ଭୁବନେଶ୍ୱର: ଓଡିଶାର ୪ଜଣ ଜିମ୍ନାଷ୍ଟ ଦେଶ ପକ୍ଷରୁ ଏଫଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପ ୨୦୨୫ରେ ପ୍ରତିନିଧିତ୍ୱ କରିବା ପାଇଁ ସୌଭାଗ୍ୟ ଅର୍ଜନ କରିଛନ୍ତି । ଫ୍ରାନ୍ସ ଓ ହଙ୍ଗେରୀରେ ଏହା ଆୟୋଜିତ ହେବ । ଏମାନେ ସମସ୍ତେ ଓଡିଶା ଏଏମ/ଏନଏସ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପର୍ଫମାନ୍ସ ସେଂଟରରେ ପ୍ରଶିକ୍ଷଣ ନେଉଛନ୍ତି । ଏହି ୪ଜଣ ଜିମ୍ନାଷ୍ଟ ହେଲେ ତପେଶ୍ୱରନାଥ ଦାସ, ତପନ ମହାନ୍ତି, ପ୍ରଣତୀ ନାୟକ ଓ ତନୁ । ଜୁଲାଇ ୨୨ରୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଆୟୋଜିତ ଜାତୀୟ ଶିବିରରେ ଓଭରାଲ ଦେଶର ୧୧ଜଣ ଜିମ୍ନାଷ୍ଟଙ୍କୁ ଏଥିପାଇଁ ଚୟନ କରାଯାଇଥିଲା । ତପେଶ୍ୱରନାଥ ଓ ତପନ ପୁରୁଷ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସରେ ଅଂଶଗ୍ରହଣ କରିବେ । ଏହା ସେପ୍ଟମ୍ବର ୧୩ ଓ ୧୪ରେ ଆୟୋଜିତ ହେବ ।
ଏହା ପରେ ହଙ୍ଗେରୀରେ ୨୬ରୁ ୨୮ ପର୍ଯ୍ୟନ୍ତ ହେବାକୁ ଥିବା ୱାର୍ଲ୍ଡ ଚ୍ୟାଲେଞ୍ଜ କପରେ ଅଂଶଗ୍ରହଣ କରିବେ । ପ୍ରଣତୀ ଓ ତନୁ ମହିଳା ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସରେ ଦକ୍ଷତା ପ୍ରଦର୍ଶନ କରିବେ । ଟୁର୍ଣ୍ଣାମେଂଟ ପୂର୍ବରୁ ଭାରତୀୟ ଟିମ ସେପ୍ଟମ୍ବର୧ରେ ସ୍ୱତନ୍ତ୍ର ଭାବେ ଆୟୋଜିତ କ୍ୟାମ୍ପରେ ଯୋଗ ଦେବେ । ସେଠାରେ ଅତ୍ୟାଧୂନିକ ପ୍ରଶିକ୍ଷଣ ସେମାନେ ନେବେ । ସମ୍ପୂର୍ଣ୍ଣ ଟିମ ସହିତ ଓଡିଶା ଏଏମ/ଏଏନ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଏଚପିସିର ମୂଖ୍ୟ କୋଚ ଅଶୋକ କୁମାର ମିଶ୍ର ଯୋଗ ଦେବେ ।
Comments are closed.