Latest Odisha News

କେଦାରନାଥରେ ବାଦଲଫଟା ବର୍ଷା: ଫସିଛନ୍ତି ୪ ଓଡ଼ିଆ, ଏୟାରଲିଫ୍ଟ କରି କରାଯିବ ଉଦ୍ଧାର

କେନ୍ଦୁଝର: କେରଳ ୱାୟନାଡ ଭୂସ୍ଖଳନରେ କ୍ଷତିଗ୍ରସ୍ତ ଓଡ଼ିଆଙ୍କ ଦୁଃଖଦ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡିନି ଅନ୍ୟପଟେ ଉତ୍ତରାଖଣ୍ଡ କେଦାରନାଥରେ ୪ ଓଡ଼ିଆ ଯୁବକ ଫିସି ରହିଥିବା ଖବର ଆସିଛି। କେନ୍ଦୁଝର ଜିଲ୍ଲାର ୪ ଜଣ ବୋଲବମ୍ ଭକ୍ତ ଶ୍ରାବଣରେ ଜଳଲାଗି ପାଇଁ କେଦାରନାଥ ଯାଇଥିଲେ। ବାଦଲଫଟା ବର୍ଷାରେ କେଦାରନାଥ ରାଜପଥ ବିଚ୍ଛିନ୍ନ ହୋଇଥିବାରୁ ସେମାନେ ଅଧାରେ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ତେବେ କେନ୍ଦୁଝରର ଏହି ୪ କାଉଡିଆଙ୍କୁ କରାଯାଇପାରେ ଏୟାରଲିଫ୍ଟ। ଏନେଇ ରୁଦ୍ରପ୍ରୟାଗ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।

ରୁଦ୍ରପ୍ରୟାଗ ଜିଲ୍ଲାପାଳଙ୍କ ସହ ରେସ୍କ୍ୟୁ ପ୍ରସଙ୍ଗରେ କଥା ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ । ପାଗ ଅନୁକୂଳ ହେଲେ ସେମାନଙ୍କୁ ଉଦ୍ଧାର କରାଯିବା ସମ୍ଭାବନା ରହିଛି। କାଉଡିଆଙ୍କ ମଧ୍ଯରେ ତେଲକୋଇ ବ୍ଲକର ୩ଜଣ ଓ ସଦର ବ୍ଲକର ଜଣେ ଥିବା ସୂଚନା ମିଳିଛି। ଖରାପ ପାଗ ଯୋଗୁଁ କେଦାରନାଥରେ ଫସି ରହିଥିବା କେନ୍ଦୁଝର ଜିଲ୍ଲାର ୪ ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ସହ ନିରନ୍ତର ଯୋଗାଯୋଗ କରାଯାଉଛି ଏବଂ ଆବଶ୍ୟକ ସହାୟତା ପ୍ରଦାନ କରାଯାଉଛି।

ଏହି ୪ ଜଣ ହେଲେ ତେଲକୋଇ ସରୁଆଳିର କାର୍ତିକେଶ୍ୱର ଖିଲାର, ଜଗମୋହନପୁରର ସଦାନନ୍ଦ ସାହୁ, ଦୋବଲାପାଳ ଚନ୍ଦ୍ରଶେଖରପୁରର ମହେଶ୍ୱର ପ୍ରଧାନ ଏବଂ କେନ୍ଦୁଝର ସଦର ବ୍ଲକ କେମ୍ପସଢାର ଋଷିନାଥ ମହାନ୍ତ। ସେମାନେ ଗତ ୨୭ ତାରିଖରୁ ଯାଇଥିଲେ ତେବେ ରାସ୍ତାରେ ଭୂସ୍ଖଳନ ହେବାରୁ ଖାଇବା ପିଇବାକୁ ନପାଇ ଅସୁବିଧାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି । ଦୀର୍ଘ ୪ ଜଣ ହେବ ସେମାନେ ଫସି ରହିଥିବା ଖବର ମିଳିଛି। ସେଠାରେ ପ୍ରାୟ ୨୦୦ରୁ ଅଧିକ ଲୋକ ଫସି ରହିଥିବା ପରିବାର ଲୋକେ କହିଛନ୍ତି।

Comments are closed.