Latest Odisha News

BREAKING NEWS

ହିଂସାର ନିଆଁରେ ପୁଣି ଜଳୁଛି ମଣିପୁର  

ମଣିପୁର: ମଣିପୁରରେ ପୁଣି ହିଂସାକାଣ୍ଡ । କିଛି ଦିନ ହେବ ପୁଣି ରାଜ୍ୟ ଅଶାନ୍ତ ହାଇଉଠିଛି । ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଜାତିଆଣ ହିଂସା ଥମିବାର ନାଁ ନେଉନାହିଁ ।  ଏହି ମାସ ଆରମ୍ଭରୁ ପୁଣି ଆରମ୍ଭ ହୋଇଯାଇଛି ରକ୍ତପାତ । ସଂଘର୍ଷରେ ଉଗ୍ରବାଦୀମାନେ ଡ୍ରୋନ୍ ଓ ରକେଟ୍ ବ୍ୟବହାର କରିଛନ୍ତି, ଯାହା କି ବଡ ସୁରକ୍ଷା ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି । ୨୦୨୩ ମେ’ ମାସରୁ ଜାତିଆଣ ହିଂସାର ନିଆଁରେ ଜଳୁଛି ମଣିପୁର ।

ସେପଟେମ୍ବର ଆରମ୍ଭରୁ ବଢିଚାଲିଛି ହିଂସା

କିଛି ଦିନର ନୀରବତା ପରେ ପୁଣି ଅଶାନ୍ତ ହୋଇଛି ମଣିପୁର । କୁକି ଓ ମୈତେୟୀଙ୍କ ମଧ୍ୟରେ ପୁଣି ଆରମ୍ଭ ହୋଇଯାଇଛି ରକ୍ତପାତ । ସବୁଠୁ ବଡ କଥା ହେଲା ସଂଘର୍ଷରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି ଉଗ୍ରବାଦୀ । ସଦ୍ୟ ହିଂସାରେ ଜିରିବାମ ଜିଲ୍ଲାରେ ସଶସ୍ତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗୁଳି ବିନିମୟରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ରାଜଧାନୀ ଇମ୍ଫାଲରେ ମଣିପୁର ରାଇଫଲ୍ସ ହେଡକ୍ୱାର୍ଟର ଉପରେ ଆକ୍ରମଣ ହୋଇଛି । ଉତ୍ତ୍ୟକ୍ତ ଭିଡ ସୁରକ୍ଷାବାହିନୀର ଅସ୍ତ୍ରଶସ୍ତ୍ର ଲୁଟ୍ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ଓ ସିଆରପିଏଫ ମିଳିତ ଭାବେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସଂଘର୍ଷରେ ଏକାଧିକ ଆହତ ହୋଇଛନ୍ତି । ବିଷ୍ଣୁପୁର ଜିଲ୍ଲାର ମୋଇରାଙ୍ଗରେ  ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ରକେଟ୍ ଆକ୍ରମଣ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ମଣିପୁରରେ ସେପଟେମ୍ବର ୧ ତାରିଖରୁ ହିଂସା ବଢିଛି । ରାଜ୍ୟରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଥିବାରୁ ସବୁ ସ୍କୁଲ କଲେଜ ବନ୍ଦ କରିଦିଆଯାଇଛି । ସରକାରଙ୍କ ବିଫଳତା ବିରୋଧରେ କମିଟି ଅନ ମଣିପୁର ଇଂଟିଗ୍ରିଟି ନାମକ ସଂଗଠନ କାମବନ୍ଦ ସହ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଛି ।

 ହିଂସାରେ ପ୍ରଥମ ଥର ପାଇଁ ଡ୍ରୋନ୍ ଆକ୍ରମଣ

ରାଜ୍ୟରେ ଜାରି ରହିଥିବା ହିଂସାକାଣ୍ଡରେ ପ୍ରଥମ ଥର ପାଇଁ ଡ୍ରୋନ ଦ୍ୱାରା ଆକ୍ରମଣ ହୋଇଛି । ଏକ ଉଗ୍ରବାଦୀ ଗୋଷ୍ଠୀ ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଛି । ଏହି ମାସ ପହିଲାରେ ଇମ୍ଫାଲ ୱେଷ୍ଟ ଜିଲ୍ଲାର କୋତ୍ରୁକ ଗାଁରେ ଉଗ୍ରବାଦୀମାନେ ଡ୍ରୋନରୁ ଆକ୍ରମଣ କରିଥିଲେ । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୯ ଜଣ ଆହତ ହୋଇଥିଲେ । ସେପଟେମ୍ବର ତିନି ତାରିଖରେ ଇମ୍ଫାଲ ଜିଲ୍ଲାରେ ବି ଡ୍ରୋନ୍ ଆକ୍ରମଣ ହୋଇଥିଲା ।

ମଣିପୁର ହିଂସାରେ ୨ଶହରୁ ଅଧିକ ଲୋକଙ୍କ ମୃତ୍ୟୁ

ମଣିପୁରରେ ୨୦୨୩ ମେ’ ମାସରୁ କୁକି ଓ ମୈତେଇ ସଂପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିଲା ଜାତିଆଣ ହିଂସା । ସଂରକ୍ଷଣ ପ୍ରସଙ୍ଗରେ ଆରମ୍ଭ ହୋଇଥିଲା ଉଗ୍ର ଜାତିଆଣ ହିଂସା । ସରକାରୀ ତଥ୍ୟ ଅନୁସାରେ ଏ ଯାଏଁ  ହିଂସାରେ ୨୨୬ ଜଣଙ୍କ ମୃତ୍ୟୁ ହୋଇଛି । ୧୧ ଶହରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୬୫ ହଜାରରୁ ଅଧିକ ଲୋକ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି ।

କେମିତି ଆରମ୍ଭ ହେଲା ବିବାଦ

ମୈତେଇ ସଂପ୍ରଦାୟକୁ ଜନଜାତି ମାନ୍ୟତା ଦାବିରେ ମଣିପୁର ହାଇକୋର୍ଟରେ ଆବେଦନ କରାଯାଇଥିଲା । ମୈତେଇ ସଂପ୍ରଦାୟର ଅଧିକାଂଶ ଲୋକ ହିନ୍ଦୁ ଧର୍ମାବଲମ୍ବୀ । ହାଇକୋର୍ଟରେ ମୈତେଇ ସଂପ୍ରଦାୟର ତର୍କ ଥିଲା ଯେ, ୧୯୪୯ରେ ଭାରତ ସହ ମଣିପୁରର ମିଶ୍ରଣ ପୂର୍ବରୁ ସେମାନଙ୍କୁ ଜନଜାତି ମାନ୍ୟତା ମିଳିଥିଲା । ମୈତେଇମାନଙ୍କୁ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଜାତିଆଣ ହିଂସା ଆରମ୍ଭ ହୋଇଯାଇଥିଲା । ମୈତେଇ ଓ କୁକିଙ୍କ ମଧ୍ୟରେ ସଶସ୍ତ୍ର ସଂଘର୍ଷ ଆରମ୍ଭ ହୋଇଥିଲା । କୁକି ଓ ନାଗା ଜନଜାତି ମୈତେଇଙ୍କୁ ଜନଜାତି ମାନ୍ୟତାର ବିରୋଧ କରିଆସୁଛନ୍ତି ।

 

Comments are closed.