Latest Odisha News

ଦୁବାଇରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ୪ ଓଡ଼ିଆ

ଭୁବନେଶ୍ୱର: ମିଳିତ ଜାତିସଂଘ ପକ୍ଷରୁ ଦୁବାଇରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ-ସିଓପି ୨୮ରେ ଓଡ଼ିଶାର ଚାରି ଜଣ ଯୁବକ ଯୁବତୀ ସାମିଲ ହୋଇଛନ୍ତି। ଏମାନେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଯୋଗଦେଇଥିବା ୪ ଓଡ଼ିଆ ହେଲେ ଜଳବାୟୁ କର୍ମୀ ଅଭିଷେକ ମଣି, ଅନ୍ୱେଷା ଦତ୍ତ, ଅଶ୍ୱିନୀ କୁମାର ପଇତାଇ ଓ ପୁଣ୍ୟଶ୍ଲୋକ ପଣ୍ଡା ।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ସାରା ବିଶ୍ୱ ଭୋଗୁଥିବା ଅନିୟମିତ ବୃଷ୍ଟିପାତ ତଥା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ନେଇ ଏହି ସମ୍ମିଳନୀରେ ଆଲୋଚନା ହୋଇଥିଲା। ଓଡ଼ିଶାର ଏହି ଚାରି ଜଣ ସାମିଲ ହୋଇ ସେମାନଙ୍କ ମତ ରଖିଥିଲେ । ଦେଶ ତଥା ରାଜ୍ୟର ବିକାଶ ପାଇଁ ଜଳବାୟୁ ପରିବର୍ତ୍ତନ ବାଧକ ସାଜିଛି। ଏ ଦିଗରେ ଯୁବବର୍ଗ କାର୍ଯ୍ୟ କରିବା ଉପରେ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା ।

ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ନେଇ କାମ କରିବା ଉପରେ ଏହି ଚାରି ଜଣ ଗୁରୁତ୍ବାରୋପ କରିଛନ୍ତି । ଏବେ ଭାରତ ସରକାର ଲୋ-କାର୍ବନ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଉଥିବାରୁ ଏହି ସମ୍ମିଳନୀରେ ଓଡ଼ିଆ ପ୍ରତିନିଧିଙ୍କ ଯୋଗଦାନ ଉଲ୍ଲେଖନୀୟ ।ଚଳିତବର୍ଷ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳିତ ହେଉଥିବାବେଳେ ଏହି ୪ଜଣଙ୍କ ଆନ୍ତର୍ଜାତିକସ୍ତରରେ ଯୋଗଦାନ ବିଶେଷ ଗୁରୁତ୍ଵ ବହନ କରୁଛି।

ସମ୍ମିଳନୀରେ ସାମିଲ ହୋଇଥିବା ଅଭିଷେକ ମଣି ୟୁଥ୍ ଫର୍ ୱାଟର୍ ପ୍ଲସର ଇଣ୍ଟରନ୍ୟାସନାଲ୍ ରିଲେସ୍ ଅଫିସର ଥିବାବେଳେ ଅନ୍ୱେଷା ଦତ୍ତ ୟୁନିସେଫ୍ ଓଡ଼ିଶାର ୱାସ୍ ଉପଦେଷ୍ଟା ଅଛନ୍ତି । ସେହିପରି ଅଶ୍ୱିନୀ କୁମାର ସାତ୍ତ୍ଵିକ ଫାଉଣ୍ଡେସନର ସ୍ୱେଚ୍ଛାସେବୀ ଥିବାବେଳେ ପୁଣ୍ୟଶ୍ଲୋକ ପଣ୍ଡା ୟୁଥ୍ ଫର୍ ସଷ୍ଟେନେବିଲିଟିର ପ୍ରତିଷ୍ଠାତା ଅଛନ୍ତି ।ଏହି ଅବସରରେ  କେନ୍ଦ୍ର ଶ୍ରମ, ନିଯୁକ୍ତି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଭୂପେନ୍ଦ୍ର ବାଘେଲ ମଧ୍ୟ ଯୋଗ ଦେଇଥିଲେ।

 

 

 

Comments are closed.