ଭଦ୍ରକ: ପ୍ରଥମେ କୁକୁଡ଼ା ଭାଡ଼ି ଖୋଲିଲେ। ଘରେ ପଶିବା ପାଇଁ କୁକୁଡ଼ାକୁ ମୋହରା କଲେ। କୁକୁଡାଙ୍କ ଶବ୍ଦ ଶୁଣି ପରିବାର ଲୋକେ ଉଠି ବାହାରକୁ ଆସିବାରୁ ଘରେ କଳାକନା ବୁଲାଇ ଦେଲେ ଲୁଟେରା। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ ହୋଇଛି ଏହି ସଶସ୍ତ୍ର ଡକାୟତି।
ଘର ମାଲିକ ମାଧବ ସେଠୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଘର ଲୋକେ ଘରୁ ବାହାରିବା ପରେ ବେକରେ ଛୁରୀ ଲଗାଇ ଲୁଟିଲେ ୬ ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ୬ ଜଣ ଡକାୟତ ମୁହଁରେ କଳାକପଡ଼ା ବାନ୍ଧି ଆସି ମାଧବ ସେଠୀଙ୍କ ଘରେ ପଶିବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ କୁକୁଡ଼ାକୁ କରିଥିଲେ ମୋହରା। ଘର ସମ୍ମୁଖରେ ଥିବା କୁକୁଡ଼ା ଭାଡ଼ିରୁ କୁକୁଡା ଗୁଡ଼ିକୁ ଖୋଲି ଦେଇଥିଲେ। କୁକୁଡ଼ାମାନେ ରାତିରେ ବାହାରକୁ ଆସି ଜୋରରେ ଶବ୍ଦ କରିଥିଲେ।
କୁକୁଡ଼ାଙ୍କ ଶବ୍ଦ ଶୁଣି ଘର ଲୋକେ ବାହାରକୁ ଆସିବା ପରେ ଦୁର୍ବୃତ୍ତମାନେ ଘରେ ପଶି ଯାଇଥିଲେ। ଘରର ସ୍ତ୍ରୀ ଲୋକଙ୍କ ବେକରେ ଛୁରୀ ଲଗାଇ ସୁନା ଗହଣା ମାଗିଥିଲେ। ଅଳଙ୍କାର ନଦେବାରୁ ଛୋଟ ପିଲାଙ୍କୁ ମାରିବାକୁ ଧମକ ମଧ୍ୟ ଦେଇଥିଲେ। ଏହାକୁ ଘରର ପୁରୁଷ ଲୋକେ ବିରୋଧ କରିବାରୁ ସେମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଘରୁ ଲୁଟ୍ କରିଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ଘରର ୪ ଜଣ ସଦସ୍ୟ ଆହତ ହୋଇଥିବା ବେଳେ ସମସ୍ତ ଦୁର୍ବୃତ୍ତ ଲୁଟ୍ କରି ଫେରାର ହୋଇଥିଲେ। ପରେ ଏନେଇ ଭଣ୍ଡାରୀ ପୋଖରୀ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।
Comments are closed.