Latest Odisha News

BREAKING NEWS

ଜୈଶ-ଇ-ମହମ୍ମଦର ଫୁଲୱାମାରେ ଆତ୍ମଘାତୀ ବିସ୍ଫୋରଣ: ୪୦ ସିଆରପିଏଫ ଯବାନ ସହିଦ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଫୁଲୱାମାଠାରେ ଆତ୍ମଘାତୀ ଆକ୍ରମଣରେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ସଂଖ୍ୟା ୪୦ ରେ ପହଞ୍ଚିବା ସହିତ ୪୫ ଜଣ ସୁରକ୍ଷାକର୍ମୀ ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଏହି ଆକ୍ରମଣ ଘଟଣାରେ ନିଜକୁ ଦାୟୀ କରିଥିବାର ସୂଚନା ମିଳିଛି ।

ଜମ୍ମୁ ଓ କାଶ୍ମୀରର ଶ୍ରୀନଗର-ଜମ୍ମୁ ରାଜପଥରେ ୭୦ଟି ବସରେ ସିଆରପିଏଫ ସୁରକ୍ଷାକର୍ମୀ ଯାଉଥିବା ବେଳେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ଆଦିଲ୍ ଅହମ୍ମଦ ଏକ ବିସ୍ଫୋରକ ଭରା ଗାଡ଼ିରେ ଆସି ଗୋଟିଏ ବସରେ ଧକ୍କା ଦେଇଥିଲା । ଆତଙ୍କବାଦୀମାନଙ୍କ ବିସ୍ଫୋରକ ଭରା ଗାଡ଼ି ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଧକ୍କା ଦେବା ଫଳରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ଅଧିକାଂଶ ଯବାନଙ୍କ ପ୍ରାଣହାନୀ ଘଟିଥିବାର ସୂଚନା ହସ୍ତଗତ ହୋଇଛି ।

ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶର ସୁରକ୍ଷା ଲାଗି ପ୍ରାଣବଳୀ ଦେଇଥିବା ଯବାନମାନଙ୍କ ଉତ୍ସର୍ଗ କେବେ ବି ନିଃଷ୍ଫଳ ଯିବନାହିଁ ।

ଆତଙ୍କବାଦୀଙ୍କ ଏହି ବର୍ବରୋଚିତ ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦ ହୋଇଥିବା ସୁରକ୍ଷାକର୍ମୀଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ଘଟଣାସ୍ଥଳରେ ଖଣ୍ଡ ବିଖଣ୍ଡିତ ମୃତ ଶରୀର ପଡ଼ିରହିଥିଲା । ବିଭିନ୍ନ ସେନା ଗାଡ଼ିରେ ପ୍ରାୟ ୨,୫୦୦ ଯବାନ ବିଭିନ୍ନ ସ୍ଥାନରେ ମୂତୟନ ହେବାକୁ ଯାଉଥିଲେ ।

Leave A Reply

Your email address will not be published.