ନୂଆଦିଲ୍ଲୀ: ଏବେ ବି ଜାରି ରହିଛି ମଧ୍ୟପ୍ରାଚ୍ୟ ସଂଘର୍ଷ। ଗାଜା ଓ ହେଜବୁଲ୍ଲା ସହ ସଂଘର୍ଷ ଜାରି ରଖିଛି ଇସ୍ରାଏଲ। ଇତିମଧ୍ୟରେ ଇସ୍ରାଏଲ ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି। ଲେବନାନର ରାଜଧାନୀ ବେରୁଟ ସହର ଉପରେ କରିଛି ବୋମା ବର୍ଷା। ଲେବନାନ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ଅନେକ ଶିଶୁଙ୍କ ସମେତ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଲେବନାନ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲର ବୋମା ବିସ୍ଫୋରଣ ରାଜଧାନୀ ବେରୁଟର ଦକ୍ଷିଣ ଉପକଣ୍ଠରେ ରାତି ସାରା ବୋମା ବିସ୍ଫୋରଣ କରିଛି।
ଲେବନାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଶୁକ୍ରବାର ବିଳମ୍ବିତ ରାତିରେ ଉପକୂଳବର୍ତ୍ତୀ ସୋର ସହରରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ସହରର ଅନେକ ସ୍ଥାନକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ବେରୁଟ ସହର ଉପରେ ଆକ୍ରମଣ କରିବା ପୂର୍ବରୁ କିନ୍ତୁ ଇସ୍ରାଏଲ ସେନା କୌଣସି ଆଗୁଆ ସୂଚନା ଦେଇନଥିଲା।
ସେପଟେ ହୁତି ବିଦ୍ରୋହୀମାନେ ଇସ୍ରାଏଲର ନେଭାଟିମ ଏୟାରବେସକୁ ‘ବାଲିଷ୍ଟିକ୍ କ୍ଷେପଣାସ୍ତ୍ର’ ସହିତ ଟାର୍ଗେଟ କରିଥିବା ଦାବି କରିଛନ୍ତି। ଇସ୍ରାଏଲ ଆକ୍ରମଣ ପରେ ଲେବାନନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଆକ୍ରମଣ ପରେ ଉଦ୍ଧାର ହୋଇଥିବା ମୃତକଙ୍କ ଶରୀରର ଡିଏନଏ ପରୀକ୍ଷା କରାଯିବ। ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଯେ ନିକଟବର୍ତ୍ତୀ ସହରଗୁଡ଼ିକରେ ହୋଇଥିବା ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ କିଛି ଡାକ୍ତର ମଧ୍ୟ ସାମିଲ ଥିଲେ। ଏହାବ୍ୟତୀତ ବାଲବେକ୍ ନିକଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ମଧ୍ୟ ୨୦ ଜଣଙ୍କ ମୃତ୍ୟୁ ଘଟିଛି।
Comments are closed.