Latest Odisha News

BREAKING NEWS

କୁଆଡେ ଗଲା ୪୦୦୦ ଟନ୍ କୋଇଲା?, ମନ୍ତ୍ରୀ କହିଲେ, ‘ବର୍ଷାରେ ଧୋଇଗଲା…’

ଶିଲଂଗ୍: ମେଘାଳୟରେ ୪୦୦୦ ଟନ୍ କୋଇଲା ଗାଏବ ହେବା ଏବେ ଆଲୋଚନାର ବିଷୟ ପାଲଟିଛି । ଯାହାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଥିବା ବେଳେ ଏଥିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେଘାଳୟ ମନ୍ତ୍ରୀଙ୍କ ବୟାନ ଏବେ ଆଶ୍ଚର୍ଯ୍ୟ କରିଛି । ମନ୍ତ୍ରୀଙ୍କ ବୟାନ ଯେତିକି ହାସ୍ୟସ୍ପଦ, ଜଣେ ମନ୍ତ୍ରୀ ହିସାବରେ ଏପରି କହିବା ଏବେ ବିବାଦ ତେଜିଛି । ମନ୍ତ୍ରୀ ସଫେଇ ଦେଇଛନ୍ତି ଯେ କୋଇଲା ନଷ୍ଟ ହେବାର କାରଣ ପ୍ରବଳ ବର୍ଷା । ସେ କହିଛନ୍ତି ଯେ ପ୍ରବଳ ବର୍ଷାରେ କୋଇଲା କାଳେ ଧୋଇ ହୋଇଯାଇଥାଇପାରେ ।

ତେବେ ମେଘାଳୟରେ କୋଇଲା ଗାଏବ୍ ହେବା ଘଟଣାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କୋଇଲା ଗାଏବ କରିଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମେଘାଳୟ ସରକାରଙ୍କ ଅବକାରୀ ମନ୍ତ୍ରୀ କିର୍ମେନ୍ ଶାଇଲା ଏହାର ଜବାବରେ ଏକ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଛନ୍ତି ।  ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ମେଘାଳୟ ଅବକାରୀ ମନ୍ତ୍ରୀ କିର୍ମେନ୍ କହିଛନ୍ତି, ମେଘାଳୟରେ ପ୍ରବଳ ବର୍ଷା ହୋଇଥିଲା । କିଏ ଜାଣେ, ହୁଏତ ପ୍ରବଳ ବର୍ଷାରେ ସମସ୍ତ କୋଇଲା ଭାସି ଯାଇଥିବ? ଏହାର ସମ୍ଭାବନା ବହୁତ ଅଧିକ । ଏଥିସହିତ ସେ ଏହା ବି କହିଛନ୍ତି ଯେ, ମୁଁ କେବଳ ବର୍ଷାକୁ ଦୋଷ ଦେଉନାହିଁ। ଏହା ହୋଇପାରେ କିମ୍ବା ନ ହୋଇପାରେ। ପ୍ରକୃତ କାରଣ କ’ଣ ତାହା କେହି ଜାଣନ୍ତି ନାହିଁ? ହୁଏତ କେହି ଜୀବିକା ପାଇଁ କୋଇଲା ନେଇଥିବେ । ତେବେ ଏହା ବେଆଇନ । କାରଣ କେହି ତାଙ୍କ ରାଜ୍ୟକୁ କ୍ଷତି ପହଞ୍ଚାଇବା ପାଇଁ ଏହା କରିବେ ନାହିଁ । ଯେତେବେଳେ ସରକାର ବୈଜ୍ଞାନିକ ଖଣି ଖନନ ବିଷୟରେ କଥା ହେଲେ, ସମସ୍ତେ ବହୁତ ଖୁସି ହୋଇଥିଲେ। ମୁଁ ଭାବୁଛି ଆମର ଲୋକମାନେ ଏହା କରିବେ ନାହିଁ । ମନ୍ତ୍ରୀଙ୍କ ଏଭଳି ଅଜବ ଉତ୍ତର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତେବେ କହିରଖୁଛୁ ଯେ ମେଘାଳୟର ରାଜାଜୁ ଏବଂ ଡିଆଙ୍ଗନ୍ ଗ୍ରାମରୁ ପ୍ରାୟ ୪୦୦୦ ଟନ୍ କୋଇଲା ଗାଏବ ହୋଇଯାଇଛି। ହାଇକୋର୍ଟ ୨୫ ଜୁଲାଇରେ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ କହିଛନ୍ତି ଯେ ଯେଉଁମାନେ ବେଆଇନ ଭାବରେ କୋଇଲା ଅପସାରଣ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

Comments are closed.