ଭୁବନେଶ୍ୱର: ବିଗତ ୧୫ ମାସ ମଧ୍ୟରେ ମହିଳାଙ୍କ ବିରୁଦ୍ଧରେ ୪୦ ହଜାରରୁ ଅଧିକ ଅପରାଧିକ ମାମଲା ରୁଜୁ। ସୋମବାର ଦିନ ବିଧାନସଭାରେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୁଲାଇ ୨୦୨୪ରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ଅର୍ଥାତ୍ ଗତ ୧୫ ମାସ ମଧ୍ୟରେ ସାରା ରାଜ୍ୟରେ ମହିଳାମାନଙ୍କ ବିରୁଦ୍ଧରେ ଅପରାଧର ପ୍ରାୟ ୪୦,୯୪୭ ମାମଲା ପଞ୍ଜିକୃତ ହୋଇଛି।
ଯେଉଁଥିରେ ୩,୨୦୫ ଦୁଷ୍କର୍ମ ମାମଲା ବ୍ୟତୀତ ୨୦୨ ଦୁଷ୍କର୍ମ ଉଦ୍ୟମ, ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ୪୪୦ ମାମଲା, ୯,୮୫୧ ଶୋଷଣ ମାମଲା, ୧୪୭୬ ଯୌନ ନିର୍ଯାତନା, ୮,୮୬୩ ଅପହରଣ ମାମଲା ସହ ୫,୮୬୧ ଯୌତୁକ ନିର୍ଯାତନା ଓ ଶୋଷଣର ୬,୭୭୩ ମାମଲା ଏବଂ ୪୯ ଯୌତୁକ ଜନିତ ମୃତ୍ୟୁ ମାମଲା ରିପୋର୍ଟ ହୋଇଛି। ଏହା ବ୍ୟତୀତ ପବ୍ଲିକ ପ୍ଲେସରେ ଅସଦାଚରଣ ଜନିତ ୨୩୧୦ଟି ମାମଲା ଏବଂ ୫୫୬ଟି ଫେଲୋ କରିବା ଭଳି ମାମଲା ମଧ୍ୟ ରହିଛି। ଏଥିସହିତ ୪ଟି ଏସିଡ୍ ଆକ୍ରମଣ, ୧୨୯ଟି ଟ୍ରାଫିକିଂ ମାମଲା ସହିତ ୭୯୬ଟି ଇଭ-ଟିଜିଂ ଘଟଣା ମଧ୍ୟ ସାମିଲ ରହିଛି।
ତେବେ ପ୍ରାୟ ଦୁଇ ବର୍ଷ ଧରି ଜଣେ ୧୭ ବର୍ଷୀୟ ଝିଅ ବସ୍ ହେଲପରଙ୍କ ଦ୍ୱାରା ହଇରାଣ ହେବା ପରେ ଶୁକ୍ରବାର ଏବଂ ଶନିବାର ଅଧ ରାତିରେ ରାଜଗାଙ୍ଗପୁରର ଲାଞ୍ଜିବେରା ଅଞ୍ଚଳରେ ତାଙ୍କ ଘରେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ମୃତ୍ୟୁବରଣ କରିଥିଲେ। ଯାହାପରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିକ୍ରିୟା ଦେଇଥିବା ଜଣାପଡିଥିଲା।