Latest Odisha News

BREAKING NEWS

ଏଟିଏଲ୍‌ସିର ୪୪ତମ ପରିଚାଳନା ସଂସଦ ବୈଠକ

ଜନଜାତିଙ୍କ ଭାଷା, ସଂସ୍କୃତି ସମ୍ପର୍କିତ ଗବେଷଣା ଓ ପ୍ରୟୋଗକୁ ବ୍ୟାପକ କରିବା ନେଇ ବିସ୍ତୃତ ଆଲୋଚନା

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପ୍ରତିଷ୍ଠିତ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ (ଏଟିଏଲ୍‌ସି)ର ୪୪ତମ ପରିଚାଳନା ସଂସଦ ବୈଠକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପ୍ରଶିକ୍ଷଣ ତଥା ଗବେଷଣା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ କମିଶନର ରୂପା ରୋଶନ ସାହୁ, ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ତଥା ଏଟିଏଲ୍‌ସିର ସଦସ୍ୟସଚିବ ଇନ୍ଦ୍ରମଣି ତ୍ରିପାଠୀ, ଜାତୀୟ ଅନୁସୂଚିତ ଜନଜାତି କମିଶନର ନିର୍ଦ୍ଦେଶକ ଜୟନ୍ତ ଜନାର୍ଦ୍ଦନ ଶରଦ, ଜନଜାତି ନିର୍ଦ୍ଦେଶକ ଶ୍ରୀକାନ୍ତ ତରାଇଙ୍କ ସମେତ ପରିଚାଳନା ସଂସଦର ସଭ୍ୟା ଦମୟନ୍ତୀ ବେଶ୍ରା, ସଭ୍ୟ ମେଦିନୀଧର ଜାନୀ, ଗୁଲାବ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟଙ୍କ ସମେତ ଏସ୍‌ସିଏସ୍‌ଟିଆର୍‌ଟିଆଇ ଓ ଏଟିଏଲ୍‌ସିର ବହୁ ଅଧିକାରୀ ଯୋଗଦେଇ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର କାର୍ଯ୍ୟକାରିତାକୁ ସୁଦୂରପ୍ରସାରୀ କରିବା ସହ ଜନଜାତିଙ୍କ ଭାଷା, ସଂସ୍କୃତି ସମ୍ପର୍କିତ ଗବେଷଣା ଓ ପ୍ରୟୋଗକୁ ବ୍ୟାପକ କରିବା ନେଇ ଆଲୋଚନା କରିଥିଲେ ।

ଏହି ବୈଠକରେ ଏକାଡେମୀର ଏକ ସ୍ଥାୟୀ କାର୍ଯ୍ୟାଳୟ ସହ ଗବେଷଣା, ପ୍ରଶିକ୍ଷଣ ତଥା ଭାଷା ଲାବରେଟୋରୀ ପ୍ରତିଷ୍ଠାର ଆବଶ୍ୟକତାକୁ ବିଚାରକୁ ନେଇ ଭୁବନେଶ୍ୱରରେ ଅନୁନ୍ୟ ୫ ଏକର ଜମି ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବା ଏବଂ ସେହି ଜମିରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ଏକ ରାଜ୍ୟସ୍ତରୀୟ ଜନଜାତି କଳାବ୍ୟାଖାନ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ଏହା ସହ ବିଦ୍ୟାଳୟ ମାନଙ୍କରେ ସଂଗ୍ରହାଳୟ, ଜନଜାତି ବହୁଳ ବ୍ଲକରେ ଭାଷା ପ୍ରୟୋଗଶାଳା ଏବଂ ଏକାଡେମୀର ପୁନର୍ବିନ୍ୟାସ ମାଧ୍ୟମରେ ଜନଜାତି ଭାଷା, ସଂସ୍କୃତି, ସାହିତ୍ୟ, କଳା, ଭାସ୍କାର୍ଯ୍ୟ ଉପରେ ଉଚ୍ଚତର ଗବେଷଣା ତଥା ଡିଜିଟାଇଜେସନ୍‌ କରାଯିବା ପାଇଁ ଏକ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରି ସେ ଦିଗରେ କାର୍ଯ୍ୟ କରିବା ପାଇଁ ନିଷ୍ପତି ନିଆଯାଇଥିଲା ।

Comments are closed.