Latest Odisha News

BREAKING NEWS

ଅମରନାଥ ଯାତ୍ରା ପୂର୍ବରୁ ବନ୍ଦ ରହିବ ଜାତୀୟ ରାଜପଥ, ଜାଣନ୍ତୁ କାରଣ….

ଶ୍ରୀନଗର: ଚଳିତବର୍ଷର ଅମରନାଥ ଯାତ୍ରା ପୁର୍ବରୁ ଜାତୀୟ ରାଜପଥ – ୪୪ରେ ମରାମତୀ କାର୍ଯ୍ୟ କରାଯିବ । ସେଥିପାଇଁ ୪୮ ଘଣ୍ଟା ବନ୍ଦ ରହିବ ଜାତୀୟ ରାଜପଥ । ଏନେଇ ସୂଚନା ଦେଇଛନ୍ତି ରାମବନ ଡେପୁଟି କମିଶନର ବସୀର-ଉଲ-ହକ ଚୌଧୁରୀ । ତାଙ୍କ କହିବାନୁସାରେ, ନାଶରୀ ରୁ ବନିହାଲ ମଧ୍ୟରେ ଥିବା ରାସ୍ତା ମରାମତି କାରଣରୁ ୪୮ ଘଣ୍ଟା ଜାତୀୟ ରାଜପଥ ବନ୍ଦ ରହିବ ।

ଅମରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁ ମାନଙ୍କୁ କୌଣସି ପ୍ରକାର ଅସୁବିଧା ଯେପରି ନହେବ ସେଥିପ୍ରତି ସମ୍ପୁର୍ଣ୍ଣ ଦୃଷ୍ଟି ଦେଇଛି ପ୍ରଶାସନ । ସେମାନଙ୍କ ଯାତ୍ରା ସହଜ କରିବାକୁ ଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ସମ୍ପର୍ଣ୍ଣ କରାଯିବ । ଜାମ୍ମୁ କାଶ୍ମୀର ଟ୍ରାଫିକ୍ ଡିଜି ଡକ୍ଟର ହସିବ ମୋଗଲ ଏବଂ ଏକ ଉଚ୍ଚ ସ୍ତରୀୟ ଦଳ ନାଶରୀ ରୁ ବାନିହାଲ ଦେଇ ଯାଇଥିବା ଜାତୀୟ ରାଜପଥ ୪୪ର କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ଛନ୍ତି । ଏହାପରେ ସେମାନେ ସେଠାରେ ୧୭ଟି ଏପରି ସ୍ଥାନ ପାଇଛନ୍ତି ଯେଉଁଠି ମରାମତି ନିହାତି ଆବଶ୍ୟକ ବୋଲି କହିଛନ୍ତି ଡେପୁଟି କମିଶନର ।

ସୂଚନା ଅନୁସାରେ, ଚଳିତ ବର୍ଷ ଜୁନ୍ ୨୯ରେ ଖୋଲିବ ଅମରନାଥ କବାଟ । ଜୁନ୍ ୨୯ରୁ ଅଗଷ୍ଟ ୧୯ଯାଏଁ ଦୀର୍ଘ ୫୨ ଦିନ ଧରି ଶ୍ରଦ୍ଧାଳୁ, ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ଅମରନାଥ ଯାତ୍ରାର ସୁଯୋଗ ମିଳିବ। ଜାମ୍ମୁ କାଶ୍ମୀର ସରକାର ଏବଂ ଶ୍ରୀ ଅମରନାଥ ସାଇନ ବୋର୍ଡର ମିଳିତ ସହଯୋଗରେ ଅମରନାଥ ଯାତ୍ରା ପ୍ରତିବର୍ଷ ଆୟୋଜିତ ହୋଇଆସୁଛି । ଶ୍ରୀନଗରଠାରୁ ୧୪୧ କିମି ଦୂର ଏବଂ ସମୁଦ୍ର ପତନଠାରୁ ୧୨,୭୫୬ ଫୁଟ ଉଚ୍ଚତାରେ ଅବସ୍ଥିତ ଅମରନାଥ ପୀଠ । ଏହା ଦେଶର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭାବେ ମାନ୍ୟତାଲାଭ କରିଛି।

ପ୍ରତିବର୍ଷ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅମରନାଥ ଯାତ୍ରା ଆୟୋଜିତ ହୋଇଥାଏ। ପ୍ରତିବର୍ଷ ଶ୍ରଦ୍ଧାଳୁମାନେ ଅମରନାଥ ଯାତ୍ରା ଦୁଇଟି ମାର୍ଗରେ କରିଥାନ୍ତି । ପ୍ରଥମ ମାର୍ଗ ହେଉଛି ନନୁନବାନ-ପହଲଗମ୍ ମାର୍ଗ ଯାହାକି ୪୮ କିଲୋମିଟର ଦୂରତା ଏବଂ ଦ୍ୱିତୀୟ ମାର୍ଗ ହେଉଛି ବାଲ୍ଟାଲ୍ ମାର୍ଗ ଯାହା ମାତ୍ର ୧୪ କିଲୋମିଟରର ସଂକୀର୍ଣ୍ଣ ମାର୍ଗ । ତେଣୁ ୯୫ ପ୍ରତିଶତ ଶ୍ରଦ୍ଧାଳୁ ପେହେଲଗାଓଁ ରାସ୍ତାକୁ ପସନ୍ଦ କରିଥାନ୍ତି ।

 

Comments are closed.