Latest Odisha News

ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ନେଇ ସମ୍ବଲପୁର ଓ ଅନ୍ୟାନ୍ୟ ଜିଲ୍ଲାରେ ୪୮ ଘଣ୍ଟିଆ ବନ୍ଦ ପାଳନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ନେଇ ଗୁରୁବାର ଦିନ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ବାର୍ ଆସୋସିଏସନ୍ ପକ୍ଷରୁ ୪୮ ଘଣ୍ଟିଆ ମହାବନ୍ଦ ଡ଼ାକରା ଦିଆଯାଇଛି । ଫଳରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଜନଜୀବନ ବାଧାପ୍ରାପ୍ତ ହୋଇଛି ।

ଏହି ୪୮ ଘଣ୍ଟିଆ ମହାବନ୍ଦ ପାଳନର ପ୍ରଭାବ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଏବଂ ସୋନପୁରରେ ଦେଖାଯାଇଛି । ପଶ୍ଚିମ ଓଡ଼ିଶାରେ ଏହି ୨ଦିନିଆ ମହାବନ୍ଦ ପାଳନକୁ ସମର୍ଥନ କରି ଏହିସବୁ ଜିଲ୍ଲାମାନଙ୍କରେ ଥିବା ଅଧିକାଂଶ ଦୋକାନ, ଶିକ୍ଷାନୁଷ୍ଠାନ, ବେସରକାରୀ କାର୍ଯ୍ୟାଳୟ, ବଜାର ବନ୍ଦ ରହିଥିବାର ଦେଖାଯାଇଛି ।

ସମ୍ବଲପୁରଠାରେ ସମ୍ବଲପୁର ଓକିଲ ସଂଘ ପକ୍ଷରୁ ଆଇନଜୀବୀମାନେ ବିଭିନ୍ନ ବଜାରଘାଟର ରାସ୍ତା ଅବରୋଧ କରିଛନ୍ତି । ସମ୍ବଲପୁର ଜିଲ୍ଲାର ପ୍ରମୁଖ ଛକ ଏବଂ ଜାତୀୟ ରାଜପଥରେ ବସିରହି ରାସ୍ତା ଅବରୋଧ କରିଥିବାର ସୂଚନା ମିଳିଛି ।

ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବୀ କ୍ରମେ ତେଜିଥିବାରୁ ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ସମେତ ଅନେକ ସଂଗଠନ ମଧ୍ୟ ସମର୍ଥନ କରୁଥିବାର ସୂତ୍ରରୁ ଜଣାପଡ଼ିଛି । ଏହାଫଳରେ ଗୁରୁବାର ସକାଳୁ ହିଁ ଏହି ବନ୍ଦର ପ୍ରଭାବ ଅନୁଭୁତ ହେବାରେ ଲାଗିଛି ।

ଆନ୍ଦୋଳନକାରୀମାନେ ରେଳ ଷ୍ଟେସନରେ ରେଳ ଅଟକାଇଥିବାରୁ ୨ଟି ଏକ୍ସପ୍ରେସ ଟ୍ରେନ ମଧ୍ୟ ଷ୍ଟେସନରେ ଅଟକି ରହିଛି । ବନ୍ଦପାଳନ ପ୍ରଭାବରେ ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର ଓ ଦେବଗଡ଼ରେ ଜନଜୀବନ ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇଛି ।

Leave A Reply

Your email address will not be published.