Latest Odisha News

BREAKING NEWS

ଚମକିଲା ବାରବାଟୀ, ବିଶ୍ୱକପ୍ ଲାଗି ନବୀନ ଓ ଭାଇଚାରା ଲାଗି କଟକକୁ ପ୍ରଶଂସା କଲେ ସଲମାନ୍

କଟକ: ବଲିଉଡ଼ରେ ଭାଇଜାନ୍ ଭାବେ ପରିଚିତ ସୁପରଷ୍ଟାର୍ ସଲମାନ୍ ଖାନ୍ କଟକ ବାରବାଟୀରେ ପହଞ୍ଚିବା ପରେ ସମଗ୍ର ଷ୍ଟାଡ଼ିୟମର ଦର୍ଶକଙ୍କ କରତାଳିରେ ଫାଟି ପଡ଼ିଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ବାରବାଟୀ ଷ୍ଟାଡ଼ିୟମରେ ‘ଓଡ଼ିଶା ବିଶ୍ୱକପ ପୁରୁଷ ହକି ୨୦୧୮’ ର ଉଦଘାଟନୀ ସମାରୋହରେ ସଲମାନ୍ ଖାନଙ୍କୁ ସମ୍ବର୍ଦ୍ଦିତ କରିଥିଲେ ।“କଟକ ହେଉଛି ଭାଇଚାରାର ସହର, ଏଠି ଯେମିତି ଭାଇଚାରା ରହିଛି ତାହା ସବୁଠାରେ ରହିବା ଜରୁରୀ । ମୁଁ ପ୍ରଥମଥର ଲାଗି କଟକ ଆସିଛି । ମୋତେ ଓଡ଼ିଶାବାସୀଙ୍କ ପକ୍ଷରୁ ଯେଉଁଭଳି ଭାବେ ଆତିଥ୍ୟ ପ୍ରଦାନ କରାଯାଇଛି ସେଥିରେ ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ କଟକ ଦହିବରା ଖାଇବି ତ ନିଶ୍ଚୟ । ଓଡ଼ିଶାରେ ଅଦ୍ଭୁତପୂର୍ବ ଭାବେ ଏବଂ ସଫଳତାର ସହିତ ହକି ବିଶ୍ୱକପ ଆୟୋଜିତ ହେଉଥିବାରୁ ମୁଁ ସମଗ୍ର ଓଡ଼ିଶାବାସୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଜସ୍ର ଧନ୍ୟବାଦ ଜଣାଉଛି ।” ଉଦଘାଟନୀ ସମାରୋହରେ କହିଛନ୍ତି ସୁପରଷ୍ଟାର୍ ସଲମାନ୍ ଖାନ୍ ।

ସଲମାନ ଖାନ୍ ମିଲେନିୟମ୍ ସିଟି କଟକକୁ ବେଶ୍ ପ୍ରଶଂସା କରି ତାଙ୍କର ବକ୍ତବ୍ୟରେ ଓଡ଼ିଆରେ ହିଁ କହିଥିଲେ ।

“ବାଲିଯାତ୍ରା କେମିତି ଚାଲିଛି ?”

“ମୁଁ ଦହିବରା ଆଳୁଦମ୍ ଖାଇକି ଯିବି”

ଏତିକି କହିବା ପରେ ଭରପୁର ବାରବାଟୀ ଦର୍ଶକମାନେ ନିଜ ନିଜ ସ୍ଥାନରେ ଛିଡ଼ାହୋଇ ସଲମାନଙ୍କୁ କରତାଳିରେ ଧନ୍ୟବାଦ ଦେଇଥିଲେ ।

‘ଓଡ଼ିଶା ବିଶ୍ୱକପ ହକି ଉଦଘାଟନୀ ସମାରୋହ’ର ଆଜିର ରଙ୍ଗାରଙ୍ଗ୍ କାର୍ଯ୍ୟକ୍ରମରେ କଟକ ବାରବାଟୀ ଷ୍ଟାଡ଼ିୟମ ଫାଟିପଡ଼ିଥିଲା । ଗୋଟିଏ ପଟରେ ସଲମାନଙ୍କ ଯାଦୁଗରୀ କଥା ତ ଅନ୍ୟପଟରେ ଓସ୍କାର୍ ବିଜୟୀ ବଲିଉଡ଼ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍ ରେହମାନଙ୍କ ହୃଦୟସ୍ପର୍ଶୀ ସଙ୍ଗୀତ ଦର୍ଶକଙ୍କୁ ବିଭୋର କରିଦେଇଥିଲା । ଏ.ଆର୍ ରେହମାନଙ୍କ ମନଛୁଆଁ ଗୀତର ତାଳେ ତାଳେ ଦର୍ଶକ ଝୁମିଥିଲେ ।

ଆଜି ଓଡ଼ିଶାର ସହସ୍ର ବର୍ଷର ସହର କଟକରେ ଏହିପରି ଏକ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତାର ଉଦଘାଟନୀ ସମାରୋହରେ ବିଭିନ୍ନ କାର୍ଯ୍ୟକ୍ରମ ବିଶ୍ୱର ବିଭିନ୍ନ ସ୍ଥାନରେ କୋଟି କୋଟି ଦର୍ଶକ ଦେଖିପାରିଥିଲେ ।

ଏହି ଉଦଘାଟନୀ ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.