Latest Odisha News

BREAKING NEWS

ବାଲି ମାଫିଆଙ୍କ ନିଦ ହଜାଇ ଦେଇଛି ରାତି ଅଧିଆ ଚଢାଉ, ଥରକେ ୪୮ ଚୋରା ବାଲି ବୋଝେଇ ହାଇୱା ଜବତ

ଜଗତସିଂହପୁର: ସାବାଡ୍ ହେବେ ବାଲି ମାଫିଆ। ଜଗତସିଂହପୁରରେ ବେଆଇନ ବାଲି ଘାଟରେ ରାତି ଅଧିଆ ଚଢାଉ। କିଲିପାଳ ଘାଟରୁ ବେଆଇନ ବାଲି ଚାଲାଣ ରୋକିବାକୁ ଚାଲିଛି ରେଡ୍‌। ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଡିଆଇଜି ଓ ଏସ୍‌ପିଙ୍କ ତତ୍ତ୍ବାବଧାନରେ ଚାଲିଛି ଚଢ଼ାଉ। ୪୦ରୁ ଊର୍ଦ୍ଧ୍ବ ହାଇୱା, ଟ୍ରାକ୍ଟର ଅଟକ ରଖି ପ୍ରଶାସନ କରୁଛି ଛାନଭିନ୍‌।

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲାର ମହାନଦୀର କିଲିପାଳ ବାଲି ସୈରାତରେ ଦୀର୍ଘ ବର୍ଷ ଧରି ବ୍ୟାପକ ଚୋରା ବାଲି କାରବାର ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା। ଗତକାଲି ବିଳମ୍ବିତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ନେତୃତ୍ବରେ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏକାଧିକ ଟିମ୍ କରି ଜିଲ୍ଲାର ବିଭିନ୍ନ ବାଲିଘାଟରେ ଚଢ଼ଉ କରି ବଡ଼ ଧରଣର ରାକେଟ ଠାବ କରିଛନ୍ତି।

ଗୋଟିଏ ରାତିରେ ୪୮ ଚୋରା ବାଲି ବୋଝେଇ ହାଇୱା ଜବତ କରାଯାଇଛି। ସେହିପରି ଉତ୍ତୋଳନରେ ବ୍ୟବହୃତ ୪ ଜେସିବି ମଧ୍ୟ ଧରାପଡ଼ିଛି। ଏହି ଗାଡ଼ିଗୁଡ଼ିକୁ ବିଭିନ୍ନ ଥାନାରେ ରଖାଯାଇଛି। ଏ ସଂକ୍ରାନ୍ତରେ ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି। ୧୦ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ଡିଆଇଜିଙ୍କ ନେତୃତ୍ବରେ ଜିଲ୍ଲାପାଳ, ଏସପିଙ୍କ ରାତି ତମାମ୍ ଚଢ଼ଉ ଚାଲିଥିଲା। ଏଥିରେ ୫୦ରୁ ଅଧିକ ପୁଲିସ ଓ ପ୍ରଶାସନିକ ଅଧିକାରୀ ସାମିଲ ଥିଲେ। ଏହି ଘଟଣା ଜଗତସିଂହପୁର ଜିଲ୍ଲାର‌େ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.