ଭୁବନେଶ୍ୱର: ଲଗାଣ ବର୍ଷାରେ ସାରା ଓଡ଼ିଶାର ୧୨ଟି ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଗୁରୁବାର ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସତ୍ୟବ୍ରତ ସାହୁ କହିଛନ୍ତି, ମହାନଦୀ ବ୍ୟବସ୍ଥାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି।
ବର୍ଷା କମିବା ପରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ସତ୍ୟବ୍ରତ ସାହୁ କହିଛନ୍ତି, ମହାନଦୀ ବ୍ୟବସ୍ଥାରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ସାତୋଟି ଜିଲ୍ଲାରେ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ପ୍ରଭାବିତ ଅଞ୍ଚଳରେ ୨୩ଟି ଓଡ୍ରାଫ୍, ୮ଟି ଏନଡିଆରଏଫ୍ ଏବଂ ୬୨ଟି ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି।
ସ୍ଥାନୀୟ ପୁଲିସ ଓ ଜଳସମ୍ପଦ ବିଭାଗ (DOWR) ଯନ୍ତ୍ରୀଙ୍କ ସହଯୋଗରେ ବିପଦପୂର୍ଣ୍ଣ ନଦୀବନ୍ଧଗୁଡ଼ିକରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବା ପାଇଁ ମଧ୍ୟ ଏସଆରସି ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାବ୍ୟତୀତ ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ଆଲୋକ, ଶୌଚାଳୟ, ପାଣି ଓ ଖାଦ୍ୟ ବ୍ୟବସ୍ଥା ସହିତ ସୁରକ୍ଷିତ ଆଶ୍ରୟସ୍ଥଳୀ କୋଠାକୁ ସ୍ଥାନାନ୍ତର କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀଠାରେ ମହାନଦୀରେ ପ୍ରାୟ ୯ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ନିଷ୍କାସିତ ହେବା ଆରମ୍ଭ କରିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରେ ବନ୍ୟାଜଳ ପହଞ୍ଚିବାକୁ ପ୍ରାୟ ୧୨ ଘଣ୍ଟା ସମୟ ଲାଗିବ। ତେଣୁ ଏହି ତିନୋଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ କୁହାଯାଇଛି, ଏସଆରସି ସୂଚନା ଦେଇଛନ୍ତି ଯେ, ମଧ୍ୟମ ଧରଣର ବନ୍ୟାର ଆଶଙ୍କା ରହିଛି ଏବଂ ଏଥିପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି।
Comments are closed.