Latest Odisha News

BREAKING NEWS

ବିଜେଡି ନେତା ସୋମନାଥ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣା, ତିନି ଅଭିଯୁକ୍ତ ଗିରଫ

ପୁରୀ: ଯୁବ ବିଜେଡି ନେତା ତଥା ବ୍ୟବସାୟୀ ସୋମନାଥ ସାହୁ ଓରଫ କପଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କୁମ୍ଭାରପଡା ଥାନା ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କପ ସାହୁଙ୍କୁ ହତ୍ୟା ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଥିବା କହିଛି ପୋଲିସ।

ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ଅବକାଶ ଲେନର ବାବୁ ପ୍ରଧାନ, ପିକେଡିଏ କଲୋନୀର ସୁନୀଲ କୁମାର ପ୍ରଧାନ ଓ ଚନ୍ଦ୍ରକାନ୍ତ ଜେନା। ପୋଲିସ ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ୪ଟି ଜୀବନ୍ତ ଗୁଳି ଜବତ କରିଛି। ଗତ ୨୬ ତାରିଖ ସନ୍ଧ୍ୟା ସମୟରେ ରେଡକ୍ରସ ରୋଡରେ ବିଜେଡି ନେତା ସୋମନାଥ ସାହୁ ତାଙ୍କ ଗୋଦାମ ଘରେ ବସିଥିବା ବେଳେ ଅଭିଯୁକ୍ତ ମାନେ ତାଙ୍କ ମୁଣ୍ଡକୁ ବନ୍ଧୁକରେ ଆକ୍ରମଣ ସହ କାଠ ଫାଳିଆରେ ପିଟି ହତ୍ୟା ଉଦ୍ୟମ କରି ଫେରାର ହୋଇଯାଇଥିଲେ।

ତେବେ ଅଭିଯୁକ୍ତ ମାନେ ରାଜ୍ୟ ବାହାରକୁ ଯିବା ପାଇଁ ଯୋଜନା କରୁଥିବାବେଳେ କୁମ୍ଭାରପଡା ପୋଲିସ ସହ ସ୍ୱତନ୍ତ୍ର ଟିମ ସେମାନଙ୍କୁ ଅନୁଗୁଳରୁ ଗିରଫ କରିଛନ୍ତି। ଅଧିକ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ପୋଲିସ ରିମାଣ୍ଡରେ ନେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ଡଃ କନୱର ବିଶାଳ ସିଂ ଓ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ସେପଟେ ପୁରୀକୁ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିବା ବେଳେ ଗତ ମାସକ ମଧ୍ୟରେ ୬୦ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସିଟି ଡିଏସପି କହିଛନ୍ତି। ସହରରେ ଦିନକୁ ଦିନ ଅପରାଧ ବଢୁଥିବାରୁ ଅପରାଧୀଙ୍କ‌ ଉପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଛି ପୁରୀ ଜିଲ୍ଲା କଂଗ୍ରେସ।

Leave A Reply

Your email address will not be published.