Latest Odisha News

BREAKING NEWS

ଚତୁର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ,ସଂସ୍କୃତି ବିଭାଗ ଆନୁକୁଲ୍ୟରେ ତଥା ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ ଏବଂ ଓଡ଼ିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘ ସହଯୋଗରେ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଚତୁର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଉଦଘାଟିତ ହୋଇଯାଇଛି ।

ଏହି ଅବସରରେ ପୁସ୍ତକ ମେଳାର ସମସ୍ତ ଆୟୋଜକଙ୍କୁ ଧନ୍ୟବାଦ ଦେବା ସହ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଆମ ଓଡ଼ିଆ ଭାଷାରେ ରଚିତ ପୁସ୍ତକଗୁଡିକର ଦେଶ ବିଦେଶରେ ପ୍ରଚାର ପ୍ରସାର ହେବା ଆବଶ୍ୟକ ଓ ପିଲାମାନେ କିପରି ପୁସ୍ତକ ପଠନ ପ୍ରତି ଆଗ୍ରହୀ ହେବେ ସେ ବିଷୟରେ ଆମେ ପରିବେଶ ସୃଷ୍ଟି କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ଓଡ଼ିଆ ଭାଷା,ସାହିତ୍ୟ , ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ଡିଜିଟାଲ ଯୁଗରେ ପୁସ୍ତକର ମାନ ବୃଦ୍ଧି ଉପରେ ଗୁରୁତ୍ୱ ଦେବା ସହିତ ନିଜ ଘରେ ପାଠାଗାର କରିବା ଓ ବିଭିନ୍ନ ଉତ୍ସବରେ ପୁସ୍ତକ ଉପହାର ଦେବା ସହ ଏବଂ ପାଠାଗାର ଆନ୍ଦୋଳନକୁ ଗୁରୁତ୍ୱ ଦେଲେ ହିଁ ପୁସ୍ତକର ପ୍ରଚାର ପ୍ରସାର ସହ ପଠନ ପ୍ରତି ସମସ୍ତେ ଆଗ୍ରହୀ ହେବେ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।

ଏହି ଅବସରରେ ସୁବାଷ ନାୟକଙ୍କ ରଚିତ କବିତା ପୁସ୍ତକ “ପ୍ରିୟା”, ସ୍ୱଦେଶ କୁମାର ପଟ୍ଟନାୟକଙ୍କ ଲିଖିତ ଗଳ୍ପ ସଂକଳନ “ବୃତ୍ତାଙ୍କନ”, ଇତି ସାମନ୍ତଙ୍କ ଦ୍ୱାରା ସଂପାଦିତ ମାସିକ ପତ୍ରିକା “କାଦମ୍ବିନୀ” ଓ ଶିଶୁ କିଶୋର ପତ୍ର “କୁନିକଥା”ର ସଦ୍ୟତମ ସଂସ୍କରଣ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳର କଣ୍ଠଶିଳ୍ପୀମାନେ “ବନ୍ଦେ ଉତ୍କଳ ଜନନୀ” ପ୍ରାରମ୍ଭିକ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅରିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁଙ୍କ ସମେତ ବିଭାଗର ବିଭିନ୍ନ ଶାଖାର ମୁଖ୍ୟ ଓ କର୍ମକର୍ତ୍ତା, ପୁସ୍ତକ ମେଳାର ପ୍ରକାଶକ, କର୍ମକର୍ତ୍ତା, ପାଠକପାଠିକା ଏହି ପୁସ୍ତକମେଳାରେ ବହୁ ସଂଖ୍ୟାରେ ଯୋଗଦେଇଥିଲେ ।

 

Leave A Reply

Your email address will not be published.