Latest Odisha News

କଟିଲେ ୫ କୋଟିରୁ ଅଧିକ ଭୂତ ରାସନ୍ ହିତାଧିକାରୀ

ନୂଆଦିଲ୍ଲୀ: ଡିଜିଟାଇଜେସନ୍ ବା ଇ-କେଓ୍ବାଇସି ଭରା ହେବା ପରେ ଅନେକ ଲୋକ ରାସନ୍ କାର୍ଡ ପାଇଁ ଅଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଅଭିଯାନ ଜରିଆରେ ୫ କୋଟି ୮ ଲକ୍ଷ ଭୂତ ହିତାଧିକାରୀ ଠାବ ହୋଇଛନ୍ତି । ଏନେଇ କେନ୍ଦ୍ର ସରକାର ସଫଳ ହୋଇଥିବା ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରାଳୟ ସୂଚନା ଅନୁଯାୟୀ, ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ଜରିଆରେ ୮୦ କୋଟି ୬ ଲକ୍ଷ ହିତାଧିକାରୀ ରାସନ ସହାୟତା ପାଉଛନ୍ତି । ଯେଉଁଥିରେ କୋଟି କୋଟି ଅଯୋଗ୍ୟ ହିତାଧିକାରୀ ରାସନ ଉପଭୋକ୍ତା ହୋଇଥିବା ବେଳେ ଏହାକୁ ଚିହ୍ନିତ କରାଇବ ପାଇଁ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ରାସନ କାର୍ଡରେ ଇକେଓ୍ବାଇସି ଭରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଭୂତ ରାସନକାର୍ଡଧାରୀଙ୍କୁ ହଟାଇବା ଲାଗି ଆଧାର ଆଧାରିତ ପ୍ରମାଣୀକରଣ ଓ ଇଲେକ୍ଟ୍ରୋନିକ୍ସ କେୱାଇସି ଲାଗୁ କରାଯାଇଥିଲା। ଏହାଦ୍ବାରା ଜାଲ ରାସନ କାର୍ଡ ସଂଖ୍ୟା କମ୍ ହୋଇଥିବା ବେଳେ ସଠିକ୍ ହିତାଧିକାରୀଙ୍କ ପାଖରେ ରାସନ ପହଞ୍ଚୁଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଏକ ସଂସ୍ଥା ଦ୍ବାରା ଜାରି କରାଯାଇଥିବା ରିପୋର୍ଟ କହୁଛି, ଦେଶର ୨୮ ପ୍ରତିଶତ ରାସନ ବାଟମାରଣା ହେଉଛି । ଏହାର ପ୍ରଭାବରେ ବର୍ଷକୁ ୬୯ ହଜାର କୋଟି ଟଙ୍କାର କ୍ଷତି ହେଉଥିବା ରିପୋର୍ଟରେ କୁହାଯାଇଛି।

ଏଥିସହିତ ମନ୍ତ୍ରଣାଳୟ ସୂଚନା ଅନୁସାରେ ୨୦.୪ କୋଟି ରାସନ କାର୍ଡକୁ ଡିଜିଟାଲାଇଜେସନ୍ କରାଯାଇଥିବା ବେଳେ ୯୯.୮ ପ୍ରତିଶତ କାର୍ଡ ସହ ଆଧାର ଲିଙ୍କ୍ ହୋଇଛି। ୯୮.୭ ପ୍ରତିଶତ ହିତାଧିକାରୀଙ୍କ ବାୟୋମେଟ୍ରିକ୍ ତଥ୍ୟ ପ୍ରମାଣୀକରଣ କରାଯାଇଛି। ସଠିକ୍ ହିତାଧିକାରୀଙ୍କ ପାଖରେ ଯେଭଳି ରାସନ ପହଞ୍ଚିବ ତାହା ନିଶ୍ଚିତ କରିବା ଲାଗି ସାରା ଦେଶରେ ୫.୩୩ ଲକ୍ଷ ଇ-ପିଓଏସ୍ ମୁତୟନ କରାଯାଇଛି। ପ୍ରାୟ ୯୮ ପ୍ରତିଶତ ରାସନ ଆଧାରଭିତ୍ତିକ ପ୍ରମାଣୀକରଣ ଜରିଆରେ ଦିଆଯାଉଛି। ଇ-କେୱାଇସି ଜରିଆରେ ୬୪% ହିତାଧିକାରୀଙ୍କ କାର୍ଡର ବୈଧତା ଯାଞ୍ଚ ହୋଇଥିବା ବେଳେ ଅନ୍ୟ କାର୍ଡଗୁଡ଼ିକର ବୈଧତା ଯାଞ୍ଚ ଜାରି ରହିଛି।

Leave A Reply

Your email address will not be published.