Latest Odisha News

BREAKING NEWS

ମାଗଣା ଗ୍ୟାସ ସିଲିଣ୍ଡର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ କାରଣରୁ ଦେଖାଦେଇଥିବା ସାମାଜିକ-ଅର୍ଥନୈତିକ ଚାପର ମୁକାବିଲା କରିବା ନିମନ୍ତେ ଆସନ୍ତା ୩ ମାସ ପାଇଁ ଉଜ୍ଜ୍ୱଳା ଯୋଜନା ଅଧୀନରେ ମାଗଣାରେ ଗ୍ୟାସ ସିଲିଣ୍ଡର ଦେବାକୁ ଭାରତ ସରକାର ଘୋଷଣା କରିଛନ୍ତି । ଏପ୍ରିଲ ପହିଲାରୁ ଜୁନ ୩୦, ୨୦୨୦ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଏହି ସୁବିଧା ଯୋଗାଇ ଦିଆଯିବ । ୮ କୋଟି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ମାଗଣାରେ ଘରୋଇ ଏଲପିଜି ସିଲିଣ୍ଡର ପାଇବେ ।

ଏହି ନିଷ୍ପତି ମଧ୍ୟ ନିଆଯାଇଛି ଯେ ଏପ୍ରିଲ ମାସର ସିଲିଣ୍ଡର ଭରିବା ଲାଗି ସମ୍ପୂର୍ଣ୍ଣ ଖୁଚୁରା ବିକ୍ରୟ ମୂଲ୍ୟ ବାବଦ ଅର୍ଥ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କ ଆକାଉଂଟକୁ ଅଗ୍ରୀମ ଜମା ଆକାରରେ ହସ୍ତାନ୍ତର କରାଯିବ । ଏହି ଅର୍ଥକୁ ସେମାନେ କେବଳ ସିଲିଣ୍ଡର କ୍ରୟ ପାଇଁ ବିନିଯୋଗ କରିବେ ।

ପ୍ରତ୍ୟେକ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ମାସିକ ଗୋଟିଏ ସିଲିଣ୍ଡର ଯୋଗାଇ ଦିଆଯିବ । ଗୋଟିଏ ରିଫିଲ ପାଇବାର ୧୫ ଦିନ ପରେ ଆଉ ଏକ ସିଲିଣ୍ଡର ପାଇବା ଲାଗି ହିତାଧିକାରୀମାନେ ବୁକିଂ କରିପାରିବେ । ଆଇଭିଆରଏସ କିମ୍ବା ପଞ୍ଜିକୃତ ମୋବାଇଲ ନମ୍ବରରେ ରିଫିଲ ବୁକିଂ କରାଯାଇପାରିବ । ଓଟିପି ଆଧାରିତ/ଲାଟ-ଲଙ୍ଗ କ୍ୟାପଚର/ଅଣ୍ଡରଟେକିଂ ଜରିଆରେ, ଏହାଛଡ଼ା କ୍ୟାଶମେମୋ ସ୍ୱାକ୍ଷର ଏବଂ ଗ୍ୟାସ ଖାତାରେ ଉଲ୍ଲେଖ କରାଯାଇ ରିଫିଲ ସମ୍ପର୍କରେ ସୁନିଶ୍ଚିତ କରାଯିବ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସିଲିଣ୍ଡର ରିଫିଲ କରାଯିବାକୁ ଘୋଷଣା କରାଯିବା ପରଠାରୁ ବର୍ତମାନ ସୁଦ୍ଧା ତୈଳ ବିପଣନ କମ୍ପାନୀ ଗୁଡ଼ିକ ୭.୨୩ କୋଟି ଉପଭୋକ୍ତାମାନଙ୍କ ଆକାଉଂଟକୁ ପାଖାପାଖି ୫୬୬୩ କୋଟି ଟଙ୍କା ହସ୍ତାନ୍ତର କରିସାରିଲେଣି । ସେହିପରି ୧.୩୨ କୋଟି ମାଗଣା ଏଲପିଜି ରିଫିଲ ଉପଭୋକ୍ତାମାନଙ୍କୁ ଯୋଗାଇ ଦିଆଯାଇସାରିଛି ।

ସେହିପରି ଓଡ଼ିଶାରେ ତୈଳ ବିପଣନ କମ୍ପାନୀ ଗୁଡ଼ିକ ପ୍ରଥମ ରିଫିଲ ବୁକିଂ ବାବଦକୁ ଉପଭୋକ୍ତାଙ୍କ ଆକାଉଂଟକୁ ୩୪୧ କୋଟି ଟଙ୍କା ଅଗ୍ରୀମ ହସ୍ତାନ୍ତର କରିସାରିଲେଣି । ୧୪ ଏପ୍ରିଲ ସୁଦ୍ଧା ଓଡ଼ିଶାରେ ଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କୁ ୫.୮୮ ଲକ୍ଷ ଏଲପିଜି ରିଫିଲ ଯୋଗାଇ ଦିଆଯାଇସାରିଛି ।

ତୈଳ ବିପଣନ କମ୍ପାନୀଗୁଡ଼ିକର ପଦକ୍ଷେପକୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । ଏକ ଟ୍ୱିଟ ଜରିଆରେ ସେ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିଃ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିଃ ପକ୍ଷରୁ ନିଆଯାଇଥିବା ମାନବୀୟ ନିର୍ଣ୍ଣୟକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି, “ଏହି କଠିନ ପରିସ୍ଥିତିରେ ଆମ କର୍ମକର୍ତାମାନେ ଯେଉଁ ନିରନ୍ତର ସେବା ଯୋଗାଇ ଦେଉଛନ୍ତି ତା’କୁ ସମ୍ମାନ ଜଣାଇବା ଲାଗି ଏହି ଶୁଭକାମନା ଉଦ୍ଦିଷ୍ଟ । ଆମ କର୍ମଚାରୀମାନଙ୍କର ସୁରକ୍ଷା ଆମର ସର୍ବାଧିକ ପ୍ରାଥମିକତା; ଏହି ସହାନୁଭୂତିଶୀଳ ପଦକ୍ଷେପ ଦେଶର କରୋନା ମୁକାବିଲାରେ ସହାୟକ ହେଉଥିବା ଆମ ଶ୍ରମଶକ୍ତିର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ ।”

କରୋନା ମହାମାରୀର ଏହି ସଙ୍କଟପୂର୍ଣ୍ଣ ସମୟରେ ସହର ଓ ଗ୍ରାମାଂଚଳର ବହୁ ମହିଳା ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ମାଗଣାରେ ଗ୍ୟାସ ସିଲିଣ୍ଡର ପାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରାଷ୍ଟ୍ରହିତ ଉଦ୍ଦେଶ୍ୟରେ ତଥା ଯେକୌଣସି ବିପର୍ଯ୍ୟୟ ସମୟରେ ଦେଶର ତୈଳ ଉଦ୍ୟୋଗ ସବୁବେଳେ ଦେଶବାସୀଙ୍କ ସୁରକ୍ଷା ଲାଗି ଆଗେଇ ଆସିଛି । କୋଭିଡ-୧୯ ମହାମାରୀ ଦେଶବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଏହି ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଗତ ମାର୍ଚ୍ଚ ୨୪ ତାରିଖରୁ ସାରା ଦେଶରେ ସୁରକ୍ଷା କାରଣରୁ ଲକଡାଉନ ଘୋଷଣା କରାଯାଇଛି ।

କୋଭିଡ-୧୯ ମହାମାରୀ ମୁକାବିଲା କ୍ଷେତ୍ରରେ ଦେଶର ଇନ୍ଧନ ଯୋଗାଣକାରୀ ଭାବେ ତୈଳ ଉଦ୍ୟୋଗଗୁଡ଼ିକ ପ୍ରମୁଖ ତଥା ସକ୍ରିୟ ଭୂମିକା ଗ୍ରହଣ କରିଆସୁଛନ୍ତି । ତୈଳ ଏବଂ ଗ୍ୟାସ ମନ୍ତ୍ରଣାଳୟ ସମେତ ତୈଳ ଉଦ୍ୟୋଗର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିତରଣ ଶୃଙ୍ଖଳର ଅନ୍ତିମ ସ୍ଥାନରେ ଥିବା ଡେଲିଭରୀ କର୍ମଚାରୀ, ପମ୍ପ କର୍ମଚାରୀମାନେ ଦିନରାତି କଠିନ ପରିଶ୍ରମ କରୁଛନ୍ତି । ସେମାନେ ସାମାଜିକ ଦୂରତା, ଉପଯୁକ୍ତ ସ୍ୱଚ୍ଛତା ଏବଂ ଅନ୍ୟାନ୍ୟ ନିରାପତା ନିୟମକୁ ସୁଚାରୁ ରୂପେ ପାଳନ କରି ଉପଭୋକ୍ତାଙ୍କ ନିକଟରେ ସବୁ ସମୟରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଆଦି ଯୋଗାଇ ଦେଉଛନ୍ତି ।

ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନ ତୈଳ ବିପଣନ କମ୍ପାନୀଗୁଡ଼ିକ ଯୁଦ୍ଧକାଳିନ ଭିତିରେ ଏହି କାର୍ଯ୍ୟ କରୁଥିବାରୁ ହିତାଧିକାରୀ, ଜନସାଧାରଣ, ଗଣମାଧ୍ୟମ ଏବଂ ଅନ୍ୟ ଅଂଶୀଦାରମାନେ ଏହାକୁ ପ୍ରଶଂସା କରିଛନ୍ତି । ତୈଳ କମ୍ପାନୀଗୁଡ଼ିକ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ସହିତ ଉପଭୋକ୍ତାଙ୍କୁ ଘର ପାଖରେ ଏଲପିଜି ସିଲିଣ୍ଡର ଯଥା ସମୟରେ ଯୋଗାଇ ଦେବା ନିମନ୍ତେ ବଟଲିଂ କ୍ଷମତା ଏବଂ ବିତରଣ ଭିତିଭୂମି ବୃଦ୍ଧି କରିଦେଇଛନ୍ତି ।

Leave A Reply

Your email address will not be published.