ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଦିଲ୍ଲୀ-ଏନସିଆର, ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଶୁକ୍ରବାର ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ବୋଲି ଜଣାପଡିଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୯ ମାପ କରାଯାଇଥିଲା।
ନୋଏଡାରେ ଥିବା ଅଫିସରେ କାମକରୁଥିବା କର୍ମଚାରୀମାନେ କାର୍ଯ୍ୟାଳୟରୁ ବାହାରକୁ ବାହାରି ଆସିଥିଲେ। ଆବାସିକ ଅଞ୍ଚଳର ବାସିନ୍ଦାମାନେ ମଧ୍ୟ ଘରୁ ବାହାରକୁ ବାହାରି ଆସିଥିଲେ। ରାଜଧାନୀ କିମ୍ବା ଅନ୍ୟ କୌଣସି ସ୍ଥାନରେ ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ।
ଏହା ଚଳିତ ବର୍ଷ ଦିଲ୍ଲୀ-ଏନସିଆରରେ ତୃତୀୟଥର ପାଇଁ ଭୂମିକମ୍ପ ଅନୁଭୂତ ହୋଇଛି । ଜାନୁଆରୀ ୧୯ ତାରିଖରେ ଉତ୍ତର ଦିଲ୍ଲୀରେ କେନ୍ଦ୍ରିତ ୨.୮ ତୀବ୍ରତା ଓ ଜାନୁଆରୀ ୩୦ ରାତିରେ ୩.୨ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।