କଟକ:ଭୁବନେଶ୍ବରର ଜଣେ ବଡ଼ ନିବେଶକ ଅନଲାଇନରେ ସାଇବର ଅପରାଧୀଙ୍କ ସମ୍ପର୍କରେ ଆସିଥିଲେ । ଏହାପରେ ସାଇବର ଠକ ୫କୋଟି ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଦୁଇ କୁଖ୍ୟାତ ସାଇବର ଠକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲା ସିଲିଗୁଡ଼ିର କିରଣ ଗୁରୁଙ୍ଗ(୫୫) ଓ ପ୍ରଧାନନଗର ଅଞ୍ଚଳର ରଣଧିର କୁମାର ଦେ(୪୬)।
ସୂଚନାମୁତାବକ, ସାଇବର ଅପରାଧୀମାନେ ଅଧିକ ସୁଧର ଲୋଭ ଦେଖାଇ ନିବେଶକଙ୍କୁ ଟଙ୍କା ନିବେଶ କରିବାକୁ କହିଥିଲେ। ୨୦୨୫ ମାର୍ଚ୍ଚ ୧୭ରୁ ୨୦ ଦିନ ଭିତରେ ଏକାଧିକ ପର୍ଯ୍ୟାୟରେ ୫ କୋଟି ୧୪ ଲକ୍ଷ ଟଙ୍କା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲେ। କିନ୍ତୁ ଯେତେବେଳେ ନିବେଶକ ଟଙ୍କା ଉଠାଣ ପାଇଁ ଉଦ୍ୟମ କରିଥିଲେ ସେତେବେଳେ ତାଙ୍କୁ ଅନୁମତି ଦିଆଯାଇନଥିଲା। ଅତିରିକ୍ତ ଟଙ୍କା ଜମା କରିବାକୁ କୁହାଯାଇଥିଲା। ଏ ନେଇ ୨୦୨୫ ଏପ୍ରିଲ ୯ରେ ଭୁବନେଶ୍ବରର ନିବେଶକ ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଦାର୍ଜିଲିଂ ଲିଙ୍କ୍ ପାଇବା ପରେ ସେଠାରେ ଚଢାଉ କରି ଉପରୋକ୍ତ ଦୁଇ ସାଇବର ଠକଙ୍କୁ କାବୁ କରିଥିଲା।
ଅପରାଧୀମାନେ ବ୍ୟବହାର କରୁଥିବା ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଆଧାର କାର୍ଡ, ପାନ୍ କାର୍ଡ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି।
ପ୍ରଥମେ ଦାର୍ଜିଲିଂ ସିଲିଗୁଡ଼ିର ଆଡିସନାଲ୍ ଚିଫ୍ ଜୁଡିଆଲ୍ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା। ପରେ ଟ୍ରାନଜିଟ୍ ରିମାଣ୍ଡରେ ସେମାନଙ୍କୁ ଆଣି ଭୁବନେଶ୍ବର ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯିବା ନେଇ ସୂଚନା ରହିଛି ।