Latest Odisha News

୫ ବଢିଥିବା ବେଳେ ୬ ମାସରେ ଗଲାଣି ୪୮ ହାତୀଙ୍କ ଜୀବନ

ଭୁବନେଶ୍ବର: ଓଡିଶା ମାଟିରେ ଏବେ ମୋଟ ୨୧୦୩ ଟି ହାତୀ ବିଚରଣ କରୁଛନ୍ତି । ଶୀତଦିନିଆ ହାତୀଗଣନା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଯାହାକି ଗତ ମେ’ ମାସ ଗଣନା ଅନୁଯାୟୀ ୫ ଅଧିକ । ଅର୍ଥାତ୍ ଏହି ୬ ମାସ ଭିତରେ ହାତୀ ସଂଖ୍ୟ ୫ କୁ ବୃଦ୍ଧି ପାଇଛି । ହେଲେ ବିଡମ୍ବନାର ବିଷୟ ଏହି ୬ ମାସ ଭିତରେ ବିଭିନ୍ନ କାରଣ ଯୋଗୁଁ ୪୮ଟି ହାତୀଙ୍କର ମୃତ୍ୟୁ ହୋଇଛି ।

ତେବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ମୋଟ ୨୧୦୩ ହାତୀ ରହିଛନ୍ତି । ଏଥିମଧ୍ୟରୁ ୫୩୬ଟି ଅଣ୍ଡିରା ଓ ୯୮୩ଟି ମାଈ ହାତୀ ରହିଥିବା ବେଳେ ୫୮୪ଟି ଛୁଆ ହାତୀ ରହିଛନ୍ତି । ତେବେ ଗ୍ରୀଷ୍ମ କାଳୀନ ଗଣନା ଅନୁଯାୟୀ ମେ’ ମାସ ସୁଦ୍ଧା ଓଡ଼ିଶାରେ ୨୦୯୮ଟି ହାତୀ ରହିଥିଲେ । ଏଥିମଧ୍ୟରୁ ୪୭୪ଟି ଅଣ୍ଡିରା, ୧୦୩୦ଟି ମାଈ ଏବଂ ୫୯୪ଟି ଛୁଆ ହାତୀ ରହିଥିଲେ।

ସେହିପରି ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ୨୯୧ଟି ହାତୀ ରହିଛନ୍ତି। ଏହାପରେ କେନ୍ଦୁଝର ବନଖଣ୍ଡରେ ୧୬୦, ଆଠଗଡ଼ରେ ୧୨୪, ଦେବଗଡ଼ରେ ୧୨୩ ଓ ଅନୁଗୁଳରେ ୧୧୭ଟି ହାତୀ ରହିଛନ୍ତି । ଗ୍ରୀଷ୍ମ ସମୟ ଗଣନା ସମୟରେ ଢେଙ୍କାନାଳରେ ୨୩୯ଟି ହାତୀ ରହିଥିବା ବେଳେ ଏବେ ଏହା ୨୯୧କୁ ବୃଦ୍ଧି ପାଇଛି । କିନ୍ତୁ ଗତ ଗଣନାରେ ଆଠଗଡ଼ରେ ୧୭୮ ହାତୀ ଥିବା ବେଳେ ଏବେ ୧୨୪ଟି ରହିଛନ୍ତି। ଯାହାକି ହ୍ରାସ ପାଇଛି ।

ସର୍କଲ ଅନୁଯାୟୀ ଦେଖିବାକୁ ଗଲେ ଅନୁଗୁଳରେ ସର୍ବାଧିକ ୬୮୦ଟି ହାତୀ ଅଛନ୍ତି। ରାଉରକେଲାରେ ୪୬୨, ବାରିପଦାରେ ୩୮୪, ବ୍ରହ୍ମପୁରରେ ୧୭୨, ସମ୍ବଲପୁରରେ ୧୪୪, ଭବାନୀପାଟଣାରେ ୧୪୦, ଭୁବନେଶ୍ବରରେ ୧୨୦ ହାତୀ ରହିଛନ୍ତି । ତେବେ କୋରାପୁଟ ସର୍କଲରେ ରାୟଗଡ଼ା ବନଖଣ୍ଡରେ ମାତ୍ର ଗୋଟିଏ ଅଣ୍ଡିରା ହାତୀ ରହିଛି ।

ତେବେ ଢେଙ୍କାନାଳ, ଦେବଗଡ଼, ରାଉରକେଲା, କେନ୍ଦୁଝର, ସମ୍ବଲପୁର, ଆଠମଲ୍ଲିକ, ଘୁମୁସର ଉତ୍ତର, କଳାହାଣ୍ଡି ଉତ୍ତର, କଳାହାଣ୍ଡି ଦକ୍ଷିଣ, ବଲାଙ୍ଗୀର ଓ ରେଢ଼ାଖୋଲ ଡିଭିଜନ୍‌ରେ ହାତୀଙ୍କ ସଂଖ୍ୟା ବଢ଼ିଥିବା ବେଳେ ଶିମିଳିପାଳ ଉତ୍ତର, ସାତକୋଶିଆ, ବାମରା ଓ ରାୟଗଡ଼ା ଡିଭିଜନରେ ହାତୀଙ୍କ ସଂଖ୍ୟା କମିଥିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ ।

Leave A Reply

Your email address will not be published.