Latest Odisha News

୧୨ ଦିନ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ; ଭୟରେ ଗ୍ରାମବାସୀ

ନବରଙ୍ଗପୁର: ଗାଁର ଗୋଟିଏ ସାହିରେ ଗତ ୧୨ ଦିନ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଖଣ୍ଡିଆଗୁଡା ଗାଁରେ ଦେଖା ଦେଇଛି ଏପରି ଅଭାବନୀୟ ଘଟଣା। ଗାଁରେ ମେଡ଼ିକାଲ ଟିମ୍ ପହଁଚି ମୃତ୍ୟୁର କାରଣ ଖୋଜୁଥିବାବେଳେ ଗ୍ରାମବାସୀ ମାନେ ଗ୍ରାମଦେବୀଙ୍କ ଅସନ୍ତୋଷର ପ୍ରକୋପ ଯୋଗୁଁ ଏଭଳି ମୃତ୍ୟୁ ଘଟୁଥିବା ବିଶ୍ୱାସ କରୁଛନ୍ତି।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖଣ୍ଡିଆଗୁଡା ଗାଁର ପରଜା ସାହିରେ ଗତ ୧୨ ଦିନ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇସାରିଛି। ପ୍ରଥମେ ଚନ୍ଦ୍ରମା ଯାନୀର ମୃତ୍ୟୁ ହୋଇଥିଲା ଏହାପରେ ଗରୀ ଯାନୀ, ବୁଦାଇ ଯାନୀ,ପରେ ଘାସିଏନ ଯାନୀର ମୃତ୍ୟୁ ହୋଇଥିଲା । ଶେଷରେ ଏହି ଗାଁରେ ଥିବା ସଂପର୍କୀୟଙ୍କ ଘରକୁ ବୁଲି ଆସିଥିବା ଏହି ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମା ଅଞ୍ଚଳର ସନୁ ଯାନୀର ମଧ୍ୟ ମୃତ୍ୟୁ ଘଚିଛି।

ଏହାପରେ ମେଡ଼ିକାଲ ଟିମ୍ ଗାଁରେ ପହଂଚି ସ୍ୱଳ୍ପ ଦିନ ବ୍ୟବଧାନରେ ୩ ମହିଳା ଜଣେ ପୁରୁଷର ମୃତ୍ୟୁର କାରଣ ଖୋଜୁଛନ୍ତି। ଏହାରି ଭିତରେ ଗାଁ ଲୋକେ ଏହିଭଳି ମୃତ୍ୟୁ ପଛରେ ଗ୍ରାମଦେବୀଙ୍କ ଅସନ୍ତୋଷ ବୋଲି କହୁଛନ୍ତି।

କେଉଁ ରୋଗ କାରଣରୁ ମୃତ୍ୟୁ ହେଉଥିବା ଜଣାପଡିନଥିବା ବେଳେ ଅନ୍ଧ ବିଶ୍ୱାସରେ ପଡି ଲୋକେ ଗୁଣିଆ ଡାକି ଏହାର କାରଣ ଖୋଜୁଛନ୍ତି। ଗାଁରେ ଥିବା ଦେବା, ଦେବୀଙ୍କ ପୂଜାବିଧି ଠିକ୍‌ରେ ହେଉ ନ ଥିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଗାଁର ବରିଷ୍ଠ ସଦସ୍ୟ କହୁଛନ୍ତି । ମୃତକଙ୍କ ସମ୍ପର୍କୀୟ ଡ଼ମୁ ଜାନୀ କହିଛନ୍ତି, ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ଗୁଣିଆ ଥିଲେ ଆଉ ସେ ଗାଁ ବାହାରକୁ ଯାଇ ସେଠାରୁ କୌଣସି ଅଜଣା ରୋଗରେ ପୀଡିତ ହୋଇ ଆସିବା ପରେ ଏଭଳି ମୃତ୍ୟୁ ହେଉଛି। ଏହାପରେ ଅନ୍ୟ ଦୁଇ ଜଣ ଦିନେ ଦୁଇଦିନ ବ୍ୟବଧାନରେ ମୃତ୍ୟୁ ହେବାକୁ ନେଇ ଗ୍ରାମବାସୀମାନେ ଆତଙ୍କିତ ହୋଇ ପଡିଛନ୍ତି ।

ଗାଁ ରେ ଅନେକ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶ ରହିଥିବାବେଳେ ଅଧିକାଂଶ ଲୋକ ମଦ୍ୟପାନ କରୁଥିବା ଅଭିଯୋଗ ହୋଇଛି । ଗାଁରେ ଚାରିଆଡେ ଦେଶୀମଦ ବିକ୍ରି ହେଉଥିବା ବେଳେ ଦେଶୀମଦ ପୁଡ଼ିଆ ସବୁ ପଡିଥିବା ଦେଖିବାକୁ ମିଳିଛି ଯାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଏଭଳି ପରିସ୍ଥିତି ରେ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁକୁ ଯାଇ ମଦ ନ ପିଇବା ପାଇଁ ସଚେତନ କରି ଫେରିଛନ୍ତି ।

ଏ ସମ୍ପର୍କରେ ମେଡ଼ିକାଲ ଟିମ ଏହା ବାର୍ଦ୍ଧକ୍ୟଜନିତ ମୃତ୍ୟୁ ସହ ଅନ୍ୟ ରୋଗ କାରଣରୁ ହୋଇଥିବା କହୁଥିବାବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ । ତେବେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କାଳି ପ୍ରସାଦ ବେହେରା ।

Comments are closed.