ନୂଆଦିଲ୍ଲୀ: ଆଇପିଏଲ ଖେଳିବାକୁ କେଉଁ କ୍ରିକେଟର ନ ଚାହିଁବ । ରୋମାଂଚ, ଗ୍ଲାମର ଓ ଅର୍ଥରେ ଭରପୂର ଏହି ଟି୨୦ ଲିଗ ଦିନକୁ ଦିନ ବେଶ ଲୋକପ୍ରିୟ ହେବାରେ ଲାଗିଛି । ତେବେ ଏ ଭଳି କେତେକ ଖେଳାଳି ଅଛନ୍ତିି ଯେଉଁମାନେ ଆନ୍ତର୍ଜାତୀୟସ୍ତରରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଆଇପିଏଲରେ ଖେଳି ନାହାନ୍ତି । ଇଂଲଣ୍ଡର ପୂର୍ବତନ ପେସ ବୋଲର ଜେମ୍ସ ଆଣ୍ଡରସନ ୪୨ ବର୍ଷ ବୟସରେ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିଲେ । କୌଣସି ଟିମ କିନ୍ତୁ ତାଙ୍କୁ ନେଇ ନ ଥିଲା । ଟେଷ୍ଟ କ୍ରିକେଟରେ ସେ ୭୦୦ ୱିକେଟ ନେବାରେ ଏକମାତ୍ର ପେସ ବୋଲର । ସେହିପରି ଷ୍ଟୁଆଟ ବ୍ରଡ ମଧ୍ୟ ଆଇପିଏଲ ଖେଳି ନାହାନ୍ତି । ୨୦୧୧ରେ ପଞ୍ଜାବ କିଙ୍ଗସ ତାଙ୍କୁ ନିଲାମରେ କ୍ରୟ କରିଥିଲା । ଆଘାତ ସମସ୍ୟା ଯୋଗୁ ସେ ଓହରି ଯାଇଥିଲେ । ଏହା ପରେ ସେ ଟେଷ୍ଟ କ୍ରିକେଟରେ ମନୋନିବେଶ କରିଥିଲେ ।
ଇଂଲଣ୍ଡର ଆଲିଷ୍ଟର କୁକ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ୧୨୪୭୨ ରନ କରିଛନ୍ତି । ତେବେ ଟି୨୦ରେ ସେ ସଫଳ ହୋଇ ପାରି ନ ଥିଲେ । ପରେ ସେ ଏହି ଫର୍ମାଟରୁ ନିଜକୁ ଦୂରେଇ ରଖିଥିଲେ । ବାଂଲାଦେଶର ମୁଶଫିକର ରହୀମ ଅନେକ ଥର ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିଲେ ମଧ୍ୟ କୌଣସି ଟିମ ତାଙ୍କୁ ନେଇ ନ ଥିଲା । ଦକ୍ଷିଣ ଆଫ୍ରିକାର ରୀଜା ହେନଣ୍ଡ୍ରିକ୍ସ ଅନେକ ଟି୨୦ ଲିଗରେ ଖେଳିଛନ୍ତି । ମାତ୍ର ଆଇପିଏଲରେ ତାଙ୍କୁ କୌଣସି ଟିମ ନେବା ପାଇଁ ଆଗ୍ରହ ପ୍ରକାଶ କରି ନ ଥିଲେ ।