Latest Odisha News

BREAKING NEWS

ଫୁସକି ଗଲା ଅପହରଣ ନାଟକ, ୫୦ ଲକ୍ଷ ପାଇବା ପୂର୍ବରୁ ପହଞ୍ଚିଗଲା ପୋଲିସ

କୋରାପୁଟ: ଉଜୁଡି ଗଲା ରାତାରାତି ଧନୀ ହେବାର ସ୍ୱପ୍ନ । ଫେଲ ମାରିଲା ସବୁ ଟେକନିକ୍ । ଫୁସକି ଗଲା ଅପହରଣ ପ୍ଲାନ । ବଡଲୋକ ତ ହୋଇ ପାରିଲେନି । ଶେଷରେ ବଦନାମ ହେଲେ,ଜେଲ ଗଲେ । ଏମିତି ଥିଲା ଏକ ଅପହରଣ ପ୍ଲଟର ଶେଷ ପରିଣତି । ଅଭିଯୁକ୍ତ ଜଣେ କଲେଜ ପଢୁଆ ଯୁବକଙ୍କୁ ଅପହରଣ କରି ୫୦ ଲକ୍ଷ ଦାବି କରିଥିଲେ । କିନ୍ତୁ ସବୁ ଫସର ଫାଟିଗଲା । ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ ।

ପୋଲିସ ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନା ଅନ୍ତର୍ଗତ କର୍ଲାମୁଣ୍ଡାର ଜିତେନ୍ଦ୍ରିୟ ବାଘ ରଚିଥିଲେ ଏହି ଅପହରଣ ନାଟକ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଥିବା ତାଙ୍କର କିଛି ସହଯୋଗୀଙ୍କଠାରୁ ଖବର ସଂଗ୍ରହ କରି ଫୁଲପଦର ଗାଁର ଜଣେ ପାଷ୍ଟରଙ୍କ କଲେଜ ପଢ଼ୁଆ ପୁଅକୁ ଅପହରଣ କରିବା ପାଇଁ ଟାର୍ଗେଟ କରିଥିଲେ । ଜିତେନ୍ଦ୍ରିୟ ଏହି ଛାତ୍ରଙ୍କୁ କଅଁଳ କଥା କହି, ବିଭିନ୍ନ ପ୍ରଲୋଭନ ଦେଖାଇ ବୁଲିଯିବାକୁ ଡାକିଥିଲେ ।
ଜିତେନ୍ଦ୍ରିୟଙ୍କ ମାୟାଜାଲରେ ପଡି ଯାଇଥିଲେ କୋମଳମତି ଛାତ୍ର ଜଣକ ।

ଘର ଖୋଜିବାକୁ କୋରାପୁଟ ଯାଉଛି ବୋଲି ଘରେ କହି ବାହାରିଥିଲେ । ହେଲେ ଜିତେନ୍ଦ୍ରିୟଙ୍କ ସହ କୋରାପୁଟରୁ ଯାଇ ପହଞ୍ଚିଥିଲେ  ଜମ୍ମୁ କଶ୍ମୀରରେ ।   ସେଠାରେ ନିଜର ଅସଲି ରୂପ ଦେଖାଇଥିଲେ ଜିତେନ୍ଦ୍ରିୟ । ଛାତ୍ରଙ୍କ ମୋବାଇଲକୁ ନିଜ କବାଜକୁ ନେଇ ଯାଇଥିଲେ ।

ସେତେବେଳକୁ ଛାତ୍ର ଜଣକ ନିଜ ଭୁଲ ବୁଝି ପାରିଥିଲେ ହେଁ କରିବାର ବାଟ ନ ଥିଲା । ଏପଟେ ଜିତେନ୍ଦିୟ ଛାତ୍ରଙ୍କ ବାପାଙ୍କୁ ଫୋନ କଲ୍ ମାଧ୍ୟମରେ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନ ଦେଲେ ପୁଅକୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ । ଏହା ଶୁଣିବା ପରେ ପାଷ୍ଟର ଜଣକ ଭୟଭୀତ ହୋଇ କୋରାପୁଟ ଟାଉନ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଏପଟେ ଗଚ୍ଛିତ ଥିବା ଟଙ୍କା ସରିଯିବାରୁ ଜିତେନ୍ଦ୍ରିୟ ଜମ୍ମୁ କାଶ୍ମୀରରୁ ଉକ୍ତ କଲେଜ୍ ଛାତ୍ରଙ୍କୁ ରାଉଲକେଲା ପଳାଇ ଆସିଥିଲେ । ସେଠାରେ ତାଙ୍କର ସହଯୋଗୀଙ୍କ ଘରକୁ ଯାଇ ସେଠାରେ ଉକ୍ତ ଛାତ୍ରଙ୍କୁ ରଖାଇଥିଲେ । ହେଲେ ପୋଲିସ ପାଖରେ ପହଞ୍ଚି ଯାଇଥିଲା ସୂଚନା । ଟାଉନ ଥାନା ଅଧିକାରୀ ଧିରେନ୍ ପଟ୍ଟନାୟକଙ୍କ ଟିମ୍ ଉଭୟ ଅଭିଯୁକ୍ତ ଓ ପୀଡ଼ିତଙ୍କୁ ରାଉରକେଲା ସେକ୍ଟର-୭ ଥାନା ଅଞ୍ଚଳରୁ ଉଦ୍ଧାର କରିଥିଲେ । ଅଭିଯୁକ୍ତ ଜିତେନ୍ଦ୍ରିୟଙ୍କୁ ଗିରଫ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ୨ଟି ମୋବାଇଲ ଜବତ କରିଛି ।

ଘଟଣା ପରେ ଟାଉନ୍ ଥାନାରେ ୩୬୪(ଏ) ଦଫାରେ ଏକ ମାମଲା (ନଂ୨୯୧/୨୨) ରୁଜ୍ଜୁ ହୋଇଛି । କଲେଜ ଛାତ୍ରଙ୍କ ବୟାନ ରେକର୍ଡ ପରେ ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବ । ପରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.