Latest Odisha News

BREAKING NEWS

ଶ୍ରୀଜିଉଙ୍କ ଦେବ ଦୀପାବଳି ନୀତି

ପୁରୀ : ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦେବ ଦୀପାବଳି ନୀତି  । ତେବେ ଏହି ନିତିକାନ୍ତି ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ବିଧି ଅନୁଯାୟୀ ପାଳନ ହେବାର ପରମ୍ପରା ରହିଆସିଛି ।‌ ଏହି ନୀତିକାନ୍ତିରେ ମହାପ୍ରଭୁ ଦୀପଦାନ କରିବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବେ ।

ତେବେ ଏହି ନୀତିକାନ୍ତିର ଆଜି ହେଉଛି ପ୍ରଥମ ଦିନ ସନ୍ଧ୍ୟାଧୂପ ନୀତି ବଢିବା ପରେ ମହାପ୍ରଭୁ, ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେବେ । ଆସନ୍ତାକାଲି ଦ୍ଵିତୀୟ ଦିନ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବେ । ପରେ ତୃତୀୟ ଦିନ ଅର୍ଥାତ ଗୁରୁବାର ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି ।

ମହାପ୍ରଭୁ ଧଳା ବେଶ ପରିଧାନ କରି ପିତୃପୁରୁଷ ଉଦ୍ଦେଶରେ ଶ୍ରାଦ୍ଧ ଦେବେ । ଏଥିସହ ଏହି ତିନିଦିନ ମହାଦୀପ ପ୍ରଜ୍ବଳିତ ହେବ । ତେଣୁ ଏହାକୁ ଦେବ ଦୀପାବଳି କୁହାଯାଏ । ପ୍ରତିଦିନ ସଂଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ବେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇବେ ।

ଶ୍ରୀଜଗନ୍ନାଥ ଶ୍ରାଦ୍ଧ ବେଶରେ ତଡଗୀ, ନଳୀଭୂଜ, ଚନ୍ଦ୍ର ସୂର୍ଯ୍ୟ, କୁଣ୍ଡଳୀ, ଆଡକାନି, ହରିଡା ମାଳି, କମରପଟି ପ୍ରଭୃତି ସ୍ୱର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

 

Leave A Reply

Your email address will not be published.