Latest Odisha News

BREAKING NEWS

ଷ୍ଟ୍ରଙ୍ଗରୁମରୁ ଟ୍ରେଜେରି ଗଲା ୫ କୁଇଣ୍ଟାଲ ରୁପା

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର କଳାହାଟ ଦ୍ଵାରର ରୁପା ସାମଗ୍ରୀ ସୁରକ୍ଷା ଦାୟିତ୍ବ  ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି । ଷ୍ଟ୍ରଙ୍ଗରୁମରୁ ଟ୍ରେଜେରି ଗଲା ୫ କୁଇଣ୍ଟାଲ ରୁପା । ଶ୍ରୀମନ୍ଦିରର କଳାହାଟ ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ଆଜି ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଗଲା । ଜିଲ୍ଲାପାଳଙ୍କଠାରୁ ସବୁଜ ସଂକେତ ମିଳିବା ପରେ କୋଷାଗାରରେ ରୁପାକୁ ସୁରକ୍ଷିତ ରଖିବା ଲାଗି ରୁପାକୁ ସ୍ଥାନାନ୍ତର କରିଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତାବର୍ଷ ରଥଯାତ୍ରା ବେଳେ କଳାହାଟ ଦ୍ୱାର ରୁପା ଛାଉଣୀ ହେବ ।

ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିରର ଦ୍ୱାର ରୂପାଛାଉଣି ସରିଯାଇଛି। କେବଳ କଳାହାଟ ଦ୍ୱାର ରୁପା ଛାଉଣି ହେବା ବାକି ରହିଛି। ପ୍ରାୟ ଏଗାରଟି ବାକ୍ସରେ ୫ କ୍ୱିଣ୍ଟାଲ ରୁପା ରହିଛି ।

ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରର ୮ ପ୍ରମୁଖ ଦ୍ଵାରକୁ ରୁପାରେ ଆଚ୍ଛାଦିତ କରିବାକୁ ନିଷ୍ପତ୍ତି ନେଇଥିଲା । ୮ଟି ଯାକ ଦ୍ଵାର ନୂଆ ବର୍ମା ଟିକ୍‌ରେ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲା। ପରିଚାଳନା କମିଟି ଓ ପ୍ରତ୍ନତତ୍ତ୍ବ ବିଭାଗର ଅନୁମୋଦନ ପରେ ଏହି କାମ ହୋଇଛି । ମୁମ୍ବାଇର ଜଣେ ଦାତା ଏ ବାବଦ ଆବଶ୍ୟକ କାଠ, ରୁପା ଚାଦର ଯୋଗାଇ ଦେଇଛନ୍ତି । ପ୍ରାୟ ୨୩୫୦ କେଜି ରୁପାରେ ୮ଟି ଦ୍ଵାର ରୁପା ଆଚ୍ଛାଦିତ କରାଯାଉଛି ।

୭ଟି ଦ୍ଵାର ଯଥା ଭୋଗମଣ୍ଡପ ପଶ୍ଚିମପାର୍ଶ୍ଵ ଦ୍ଵାର, ଜୟ-ବିଜୟ ଦ୍ଵାର, ସାତପାହଚ ଦ୍ଵାର, ବେହରଣ ଦ୍ଵାର, ପ୍ରଭୁ ନୃସିଂହ, ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କ ମନ୍ଦିର ଦ୍ଵାର ନୂଆ ଲାଗିବା ସହ ଏଥିରେ ରୁପା ଚାଦର ଲାଗିବା କାମ ସରିଛି । କେବଳ କଳାହାଟ ଦ୍ଵାର ବାକି ରହିଛି । ଗତ ରଥଯାତ୍ରା ସମୟରେ ଏହି ଦ୍ଵାର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା ।

ସେପଟେ ମହପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଚାଲିଥିବାରୁ ରତ୍ନ ସିଂହସନରେ ଶ୍ରୀଜିଉ ରହିବା ପର୍ଯ୍ୟନ୍ତ ଏହି ଦ୍ଵାର ଚଳିତବର୍ଷ କରିବା ସମ୍ଭବପର ନୁହେଁ । ଏଣୁ ଆସନ୍ତା ରଥଯାତ୍ରାରେ ଶ୍ରୀଜିଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ କଳାହାଟ ଦ୍ଵାର କାମ କରିବାକୁ ମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି । ଦ୍ବାରର ସମସ୍ତ ରୁପା ଚାଦର ନୀଳାଦ୍ରି ଭକ୍ତ ନିବାସ ଷ୍ଟ୍ରଙ୍ଗ୍ ରୁମ୍‌ରେ ରଖାଯାଇଥିଲା। କିନ୍ତୁ ଏତେଦିନ ନୀଳାଦ୍ରି ଭକ୍ତ ନିବାସ ଷ୍ଟ୍ରଙ୍ଗ ରୁମ୍‌ରେ ରୁପା ଚାଦର ରଖିବା ସୁରକ୍ଷିତ ନଥିବାରୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲାଶ୍ରୀମନ୍ଦିର ପ୍ରଶାସନ।

ଜିଲ୍ଲା ଟ୍ରେଜେରିରେ ଏହାକୁ ରଖିବାକୁ ଅନୁମତି ମାଗିଥିଲା । ଜିଲ୍ଲାପାଳଙ୍କ ଅନୁମତି ପରେ ଜିଲ୍ଲା ଟ୍ରେଜେରିକୁ ଚିଠି ଲେଖିଥିଲା ମନ୍ଦିର ପ୍ରଶାସନ। ଜିଲ୍ଲା ଟ୍ରେଜେରି ସହମତି ଜଣାଇବା ପରେ ଆଜି ଏହା ଟ୍ରେଜରିକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.