ଖୋର୍ଦ୍ଧା: ଶାଗୁଆନ ଜଙ୍ଗଲରେ ପୋଲିସ ଏକ ବଡ଼ଧରଣର ନିଶା କାରବାରକୁ ପଣ୍ଡ କରିଦେଇଛି। ପୋଲିସ ପ୍ରାୟ ୫୨ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ଜାନକିଆ ଥାନା ଅନ୍ତର୍ଗତ ହାଜ ପଞ୍ଚାୟତ ଅଫିସ ନିକଟସ୍ଥ ଶାଗୁଆନ ଜଙ୍ଗଲରେ ଏହି ଚଢ଼ାଉ ହୋଇଥିଲା ।
ଅଭିଯୁକ୍ତ ହେଲେ ହଜ ଗୋଡିସାହି ଅଞ୍ଚଳର ସନ୍ତୋଷ କୁମାର ବଳିଆରସିଂହ ଓରଫ ବାବି (୪୫) ଏବଂ ମଳିପଡ଼ା ମାଝିସାହିର ଅନିଲ ବଳିଆରସିଂହ ଓରଫ ଲିପା (୩୫)। ଏହି କାରବାର ପଛରେ ଆଉ କାହାର ସଂପୃକ୍ତି ରହିଛି, ସେ ନେଇ ପୋଲିସ ଖୋଳତାଡ କରୁଛି ।
ସୂଚନାମୁତାବକ,ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟା ୨୮ ମିନିଟରେ ଜାନକିଆ ଥାନା ଏସ.ଆଇ କେଶବ ଚନ୍ଦ୍ର ବେହେରା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଯେ, ହଜ ପଞ୍ଚାୟତ ନିକଟସ୍ଥ ଜଙ୍ଗଲ ମଧ୍ୟରେ କିଛି ବ୍ୟକ୍ତି ବ୍ରାଉନସୁଗାର କାରବାର କରୁଛନ୍ତି। ଏହାପରେ ସେ ଥାନା ଆଇଆଇସି ସୁଶାନ୍ତ କୁମାର ବେହେରାଙ୍କ ନିର୍ଦ୍ଦେଶରେ ନିଜର ପୋଲିସ ଫୋର୍ସ ଏବଂ ଦୁଇଜଣ ସରକାରୀ ସାକ୍ଷୀଙ୍କ ସହ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ପୋଲିସ ଘଟଣାସ୍ଥଳରୁ ୨ଜଣ ବ୍ୟକ୍ତିଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ୫୨ ଗ୍ରାମ ବ୍ରାଉନସୁଗାର ,ନଗଦ ଟଙ୍କା ୨୮,୪୦୦ ଟଙ୍କା ଓ ଗୋଟିଏ ମାରୁତି ସୁଜୁକି ୱାଗନର , ସୁଜୁକି ଡିଜାୟାର , ହିରୋ ସ୍ପ୍ଲେଣ୍ଡର ପ୍ଲସ ମୋଟର ସାଇକେଲ , ଟିଭିଏସ IQUBE ଇଲେକ୍ଟ୍ରିକ ସ୍କୁଟି , ବଜାଜ ପଲସର ଓ ହିରୋ ଗ୍ଲାମର ମୋଟର ସାଇକେଲ ଜବତ କରିଛି ।