ଲକ୍ଷ୍ନୌ: ଆଉ ଦିନ କେଇଟାରେ ଅଯୋଧ୍ୟା ରାମ ମନ୍ଦିରକୁ ପୁରିବ ବର୍ଷେ । ଗତକାଲି ନୂଆବର୍ଷ ଉପଲକ୍ଷେ ମନ୍ଦିରରେ ଭବ୍ୟ ଆୟୋଜନ କରାଯାଇଥିଲା । ଲକ୍ଷ ଲକ୍ଷ ଭକ୍ତ ରାମଲାଲାଙ୍କୁ ଦର୍ଶନ କରିଥିଲେ । ସେପଟେ ସ୍ବତନ୍ତ୍ର ପୂଜାପାଠରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ । ପ୍ରଭୁ ରାମଲାଲାଙ୍କ ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ୫୬ ପ୍ରକାର ଭଳିକି ଭଳି ପ୍ରସାଦ । ମନ୍ଦିରର ମୁଖ୍ୟ ପୁରୋହିତ ରାମଲାଲାଙ୍କ ପାଖରେ ଏହି ପ୍ରସାଦ ଅର୍ପଣ କରିଥିଲେ । ରସଗୋଲା. ଲଡ୍ଡୁ, ବର୍ଫି ପରି ୫୬ ପ୍ରକାର ମିଷ୍ଟାନ୍ନ ରାମଲାଲାଙ୍କୁ ଲାଗି କରାଯାଇଥିଲା । ପରେ ସେହି ପ୍ରସାଦ ଭକ୍ତଙ୍କ ମଧ୍ୟରେ ବଣ୍ଟାଯାଇଥିଲା ।
ଗତକାଲି ନୂଆବର୍ଷ ଉପଲକ୍ଷେ ମନ୍ଦିରରେ ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ । ସକାଳ ୭ରୁ ଆରମ୍ଭ ହୋଇଥିବା ଦର୍ଶନ ରାତି ୯ଟା ପର୍ଯ୍ୟନ୍ତ ଚାଲିଥିଲା । ସେପଟେ ଆଗକୁ ମନ୍ଦିର ପ୍ରତିଷ୍ଠାକୁ ବର୍ଷେ ପୁରୁଥିବାରୁ ମନ୍ଦିରରେ ସ୍ଵତନ୍ତ୍ର ଆୟୋଜନ କରାଯାଇଛି । ଆସନ୍ତା ଜାନୁଆରୀ ୧୧ରେ ମନ୍ଦିରରେ ଭବ୍ୟ ବାର୍ଷିକ ଉତ୍ସବ ପାଳନ କରାଯିବ । ସେଥିପାଇଁ ମନ୍ଦିର ଟ୍ରଷ୍ଟ ଅତିଥିଙ୍କ ତାଲିକା ପ୍ରସ୍ତୁତ କରିଛି । ଗତ ୨୦୨୪ ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀଙ୍କ ହସ୍ତରେ ପ୍ରତିଷ୍ଠା ହେଇଥିଲା ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିର । ଏଥିପାଇଁ ମୋଦୀ ୧୧ଦିନ ବିଶେଷ ଉପବାସରେ ରହିଥିଲେ ।
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚଳିତ ବର୍ଷ ଜାନୁଆରୀ ୧୧ ତାରିଖରେ ମନ୍ଦିରର ବାର୍ଷିକ ଉତ୍ସବ ପାଳନ କରାଯିବ । ସେପଟେ ବାର୍ଷିକ ଉତ୍ସବରେ ପ୍ରବଳ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ଏପଟେ ମନ୍ଦିରର ବାର୍ଷିକ ଉତ୍ସବ ସେପଟେ ପ୍ରୟାଗରାଜ କୁମ୍ଭମେଳା ପାଇଁ ଆଲର୍ଟରେ ରହିଛନ୍ତି ଉତ୍ତରପ୍ରଦେଶ ସରକାର ।
Comments are closed.