Latest Odisha News

BREAKING NEWS

ଯୁବକଙ୍କ ପେଟରୁ ବାହାରିଲା ୫୬ଟି ବ୍ଲେଡ

ରାଜସ୍ଥାନ: ରାଜସ୍ଥାନର ଜାଲୋର ଜିଲା ସାଂଚୋର ଅଞ୍ଚଳର ଜଣେ ଯୁବକଙ୍କ ପେଟରୁ ଗୋଟେ କି ଦୁଇଟି ନୁହେଁ ମୋଟ ୫୬ଟି ବ୍ଲେଡ଼ ବାହାରିଛି । ଏହା ଦେଖି ଖୋଦ୍ ଅପରେସନ କରିଥିବା ଡ଼ାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଯୁବକଙ୍କୁ ଏବେ ରାଜସ୍ଥାନର ଆଇରନମ୍ୟାନ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

ୟଶପାଲ ନାମକ ଏହି ଯୁବକ ଜଣକ ଏକ ଘରୋଇ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି । କୌଣସି କାରଣକୁ ନେଇ ସେ ଗୋଟିଏ ପରେ ଗୋଟିଏ ୫୬ଟି ବ୍ଲେଡ୍ ଗିଳିଥିଲେ । ଏହା ପରେ ସେ ରକ୍ତ ବାନ୍ତି କରିବା ଆରମ୍ଭ କରିଥିଲେ । ଏପରି ଦେଖି ତାଙ୍କ ସାଙ୍ଗମାନେ ସଙ୍ଗେ ସଙ୍ଗେ ଯୁବକଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେତେବେଳେ ଡାକ୍ତରମାନେ ସୋନୋଗ୍ରାଫି କଲେ, ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଯୁବକଙ୍କ ପେଟରେ ଅନେକ ବ୍ଲେଡ଼ ରହିବା ସହ ବେକରେ ଗୁରୁତର କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ପାଇଥିଲେ । ଏହି କାରଣରୁ ସମଗ୍ର ଶରୀର ଫୁଲି ଯାଇଥିଲା । ପେଟ ଭିତରେ ଅନେକ ସ୍ଥାନ କଟି ଯାଇଥିଲା । ସାତଜଣିଆ ଏକ ଡାକ୍ତରୀ ଟିମ୍ ୩ ଘଣ୍ଟା ଧରି ଅପରେସନ୍ କରିଥିଲେ । ପରେ ଯୁବକଙ୍କ ପେଟରୁ ମୋଟ ୫୬ଟି ବ୍ଲେଡ଼ ବାହାର କରିବାରେ ସକ୍ଷମ ହୋଇଥିଲେ ।

ଡ଼ାକ୍ତରଙ୍କ କହିବା କଥା, ଯୁବକଙ୍କୁ ଡାକ୍ତରଖାନା ଅଣାଯିବାବେଳେ ଅମ୍ଳଜାନ ସ୍ତର ୮୦ ଥିଲା । ବିଭିନ୍ନ ପରୀକ୍ଷା କରିବା ପରେ ପେଟରେ ବ୍ଲେଡ଼ ଥିବା ଜଣାପଡ଼ିବା କାରଣରୁ ଜରୁରୀକାଳୀନ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା । ପରେ ପେଟରୁ ୫୬ ଟି ବ୍ଲେଡ୍ ବାହାର କରାଯାଇଥିଲା । ସେ ୩ ପ୍ୟାକେଟ୍ ବ୍ଲେଡ଼ ଗିଳି ଦେଇଥିଲେ । କୌଣସି ମାନସିକ ଅଶାନ୍ତି ଯୋଗୁ ସେ ଏପରି କରିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.