Latest Odisha News

ଫେବୃଆରୀ ୨୪ସୁଦ୍ଧା କାର୍ଯ୍ୟକ୍ଷମ ହେବ ବରମୁଣ୍ଡା ବସ୍ ଟର୍ମିନାଲ, ସକାଳୁ ସକାଳୁ ଗ୍ରାଉଣ୍ଡ ଜିରୋରେ 5T ଅଧ୍ୟକ୍ଷ

ଭୁବନେଶ୍ଵର: ନୂଆ ରୁପ ପାଇବାକୁ ଯାଉଛି ଅନ୍ତଃରାଜ୍ୟ ବରମୁଣ୍ଡା ବସ୍ ଟର୍ମିନାଲ । ୧୫.୫ ଏକର ଜମିରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ସମସ୍ତ ସୁବିଧା ଉପଲବ୍ଧ ହେବ । ଏଠାରେ ଯାତ୍ରୀଙ୍କୁ ଏୟାରପୋର୍ଟ ଭଳି ଅନୁଭବ ମିଳିବ । ତେବେ ଫେବୃଆରୀର ମଧ୍ୟ ଭାଗରେ ଏହି ବସ୍ ଟର୍ମିନାଲ ଲୋକାର୍ପିତ ହେବାର ଲକ୍ଷ ରଖାଯାଇଛି । ସେଥିପାଇଁ ସକାଳୁ ସକାଳୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।

ମଧ୍ୟ ଫେବ୍ରୁଆରୀ ସୁଦ୍ଧା ବରମୁଣ୍ଡା ନୂଆ ବସ୍ ଟର୍ମିନାଲ ଲୋକାର୍ପଣ କରାଯିବ । ତେଣୁ ତୁରନ୍ତ ବାକି ଥିବା କାମ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ୍ ଯାତ୍ରୀମାନଙ୍କ ପାଇଁ ପ୍ରଦାନ କରାଯାଇଥିବା ସୁବିଧା ଯେପରିକି ୱେଟିଂ ହଲ୍, ପରିମଳ ସୁବିଧା, ବସ୍ ଚଳାଚଳ, ଏଫ୍ ଆଣ୍ଡ ବି ଆଉଟଲେଟ୍, ଆଲୋକୀକରଣ ଏବଂ ଶୌଚାଳୟ ସୁବିଧାକୁ ନେଇ ସମୀକ୍ଷା କରିଛନ୍ତି ।

ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀଙ୍କ ସୁବିଧା ସାଙ୍ଗକୁ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇଛି । ଏହି ଅନ୍ତଃରାଜ୍ୟ ବରମୁଣ୍ଡା ବସ୍ ଟର୍ମିନାଲ କାର୍ଯ୍ୟକ୍ଷମ ହେଲେ ଏହା ଓଡ଼ିଶାବାସୀଙ୍କ ସହ ପଡୋଶୀ ରାଜ୍ୟର ଲୋକଙ୍କ ପାଇଁ ମଧ୍ୟ ଏହା ଏକ ଗୁରୁତ୍ବପୂର୍ଣ୍ଣ ଟ୍ରାଞ୍ଜିଟ୍ ହବ୍ ହେବ । ଏଠାରେ ପ୍ରିପେଡ ଅଟୋ ଓ ଟ୍ୟାକ୍ସି ବ୍ୟବସ୍ଥା ମଧ୍ୟ ରହିବ । ଏଥିସହ ଅଫିସ ସ୍ପେସ୍, ପାର୍କିଂ ବ୍ୟବସ୍ଥା, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ ଓ ବ୍ୟବସାୟିକ ସ୍ଥାନର ବି ବ୍ୟବସ୍ଥା ରହିବ । ଏତଦ ବ୍ୟତୀତ ଯାତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ସେବା କେନ୍ଦ୍ର ସହ ଟର୍ମିଲନାଲ ପରିଚାଳନା ପାଇଁ ପ୍ରଶାସନିକ ବିଲ୍ଡିଂ, ଯାତ୍ରୀଙ୍କ ପାଇଁ ଶୌଚାଳୟ, ଭିନ୍ନକ୍ଷମ ଓ ବୟସ୍କ ଯାତ୍ରୀଙ୍କ ପାଇଁ ରେମ୍ପବ୍ୟବସ୍ଥା ଏବଂ ମହିଳା ଯାତ୍ରୀଙ୍କ ପାଇଁ ଫିଡିଂ ରୁମ ମଧ୍ୟ ରହିବା ନେଇ ସୂଚନା ମିଳିଛି ।

Comments are closed.