Latest Odisha News

BREAKING NEWS

ଜୁନ୍ ୨୦୨୨ ସୁଦ୍ଧା ସରିବ ବରମୁଣ୍ଡା ବସଷ୍ଟାଣ୍ଡ ଟର୍ମିନାଲ କାମ, ସ୍ଥିତି ପରଖିଲେ 5T ସଚିବ

ଭୁବନେଶ୍ୱର: ଭୁବନେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭି. କେ. ପାଣ୍ଡିୟାନ୍ । ଆଜି ସକାଳୁ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ବରମୁଣ୍ଡାରେ ନିର୍ମାଣଧୀନ ଅତ୍ୟାଧୁନିକ ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ କାମର ଅନୁଧ୍ୟାନ କରିଛନ୍ତି ।

୨୦୨୨ ଜୁନ୍ ସୁଦ୍ଧା ବସ୍ ଟର୍ମିନାଲ ନିର୍ମାଣ କାମ ଶେଷ ହେବ । ୧୫ ଏକକରୁ ଅଧିକ ଜାଗାରେ ନିର୍ମାଣଧୀନ ଏହି ପ୍ରକଳ୍ପରେ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ଖଣ୍ଡଗିରିରେ ୩୦୦ ବସ୍ ପାର୍କିଂ କ୍ଷମତା ବିଶିଷ୍ଟ ବସ୍ ଡିପୋ ମଧ୍ୟ ଏହାର ଏକ ଅଂଶ । ଉନ୍ନତମାନ କାମ ଓ ନିର୍ଦ୍ଧାରିତ ସମୟରେ ସାରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଫାଇଭ୍ ଟି ସଚିବ ।

ସେହିପରି ଇନଫୋସିଟି ଅଞ୍ଚଳରେ ଚାଲିଥିବା ଇଡକୋ କନଷ୍ଟ୍ରକ୍ସନ ସାଇଟରେ ଫାଇଭ୍ ଟି ସଚିବ କାମ ତଦାରଖ କରିଛନ୍ତି । କେୟାର ହସ୍ପିଟାଲ ନିକଟରେ ବସ୍ତି ଅଞ୍ଚଳ ପାଇଁ ହେଉଥିବା ହାଉସିଂ ପ୍ରୋଜେକ୍ଟ କାମର ଅଗ୍ରଗତିର ସମୀକ୍ଷା କରିଛନ୍ତି । ଚନ୍ଦ୍ରଶେଖରପୁରରେ ପିପିିିପି ମୋଡରେ ବିଡିଏ ପକ୍ଷରୁ ସୁଲଭ ଗୃହ ନିର୍ମାଣ କାମ ଚାଲିଛି  ।

୨୦.୨୧ ଏକର ଜାଗାରେ ୨୬ ଶହ ଘର ନିର୍ମାଣ କରାଯାଉଛି  । ଏହି କଲୋନୀରେ ପ୍ରାଥମିକ ସ୍କୁଲ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ସପିଂ ଏରିଆ ଓ ଖେଳିବା ପାଇଁ ବ୍ୟବସ୍ଥା ରହିବ  । ଏହି ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ ସେପ୍ଟେମ୍ବର ୨୦୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି  ।

ଏହା ବ୍ୟତୀତ ଜୟଦେବ ବିହାର-ପଟିଆ ରାସ୍ତାରେ ଟ୍ରାଫିକ ଭିଡ କମ୍ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ବାମପାର୍ଶ୍ୱ ସମାନ୍ତରାଳ ସଡ଼କ ପ୍ରକଳ୍ପ ଜାରି ରହିଛି । ଏହି ରାସ୍ତା ପର୍ଯ୍ୟାୟକ୍ରମେ ସିଆରପିଏଫ୍ ସ୍କୋୟାରରୁ ଇନିଷ୍ଟିଚ୍ୟୁଟ୍ ଅଫ୍ ମାଥମେଟିକ୍ସକୁ ସଂଯୋଗ କରିବ ।

ମୋଟ୍ ୧୩.୬ କିଲୋମିଟର ରାସ୍ତା ନିର୍ମାଣରେ ଖର୍ଚ୍ଚ ହେବ ୯୨ କୋଟି ଟଙ୍କା । ବର୍ତ୍ତମାନ ଜାଭିୟର ସ୍କୋୟାରରୁ ଇନଫୋସିଟିକୁ ସଂଯୋଗ କରୁଥିବା ୫.୧୭ କିଲୋମିଟର ରାସ୍ତାର ୬ ଲେନ୍ କାମ ଚାଲିଛି । ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ ହେବ ।

ଫାଇଭ୍ ଟି ସଚିବଙ୍କ ସହ ଉପସ୍ଥିତ ଥିଲେ ପୂର୍ତ୍ତ ସଚିବ କ୍ରିଷନ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା, ବିଏମସି କମିଶନର ସଞ୍ଜୟ ସିଂହ ପ୍ରମୁଖ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭୁବନେଶ୍ୱରରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.