Latest Odisha News

ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ପାଇଁ ସ୍ବତନ୍ତ୍ର ସିନ୍ଦୁକ, କାଠ ଉପରେ ପିତଳ ଛାଉଣୀ

ପୁରୀ: ଆଉ ମାତ୍ର କିଛିଟା ମୁହୂର୍ତ୍ତ । ୪୬ ବର୍ଷ ପରେ ଖୋଲିବ ମଣିମାଙ୍କ ରତ୍ନଭଣ୍ଡାର । ଏହାରି ଭିତରେ ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ  ନିର୍ଦ୍ଧାରିତ ୧୧ଜଣ ସଦସ୍ୟମାନେ ଶ୍ରୀମନ୍ଦିରରେ ପ୍ରବେଶ କରିସାରିଲେଣି । ଏଥିପାଇଁ ପୁରୀ ଶ୍ରୀମନ୍ଦିରେ ଆସି ପହଞ୍ଚିଛି ସ୍ବତନ୍ତ୍ର ବରାଦରେ ତିଆରି ହୋଇଥିବା ୬ଟି ସିନ୍ଦୁକ । ଏହି ସିନ୍ଦୁକକୁ ମହାପ୍ରଭୁଙ୍କ ଅଳଙ୍କାରମାନ ସିଫ୍ଟ କରାଯିବ ।

ତେବେ ମହାପ୍ରଭୁଙ୍କ ଅଳଙ୍କାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୋଟ ୧୫ ଟି ସିନ୍ଦୁକ ପାଇଁ ସ୍ୱତନ୍ତ୍ର ବରାଦ ଦିଆଯାଇଥିଲା । ଏହା ମଧ୍ୟରୁ ତିଆରି ହୋଇଥିବା ୬ ସିନ୍ଦୁକ ଆଜି ଶ୍ରୀମନ୍ଦିରରେ ପହଞ୍ଚିଛି । ୬ଟି ସିନ୍ଦୁକ ଟ୍ରକରେ ଲଦି କରି ଭୁବନେଶ୍ୱରର ଜନୈକ ବ୍ୟକ୍ତିମାନେ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ।

ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କ କହିବା ଅନୁସାରେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୫ଟି ସିନ୍ଦୁକ ବରାଦ କରାଯାଇଥିଲା । ଏହା ମଧ୍ୟରୁ କାରିଗରମାନେ ୪୮ ଘଣ୍ଟାର ପରିଶ୍ରମରେ ମୋଟ ୬ଟି ତିଆରି କରିଛନ୍ତି । ଆଉ ୯ଟି ସିନ୍ଦୁକ ତିଆରି ଚାଲିଛି, ଏହା ଖୁବ୍ ଶୀଘ୍ର ଶ୍ରୀମନ୍ଦିରେ ପହଞ୍ଚିବ । ଏହି ସିନ୍ଦୁକ ଶାଗୁଆନ କାଠରେ ନିର୍ମିତ ଅଟେ । ଏହାର ଉପରେ ପିତଳରେ ଛାଉଣୀ କରାଯାଇଛି । ଯାହା ମଧ୍ୟକୁ ସମସ୍ତ ଅଳଙ୍କାର ସିଫ୍ଟ କରାଯିବ । ଏହାପରେ ନିର୍ଦ୍ଧାରିତ ହୋଇଥିବା ଷ୍ଟ୍ରଙ୍ଗ ରୁମକୁ ଏହା ସ୍ଥାନନ୍ତରିତ କରାଯିବ ।

ତେବେ ଦୀର୍ଘ ୪୬ ବର୍ଷ ପରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗୁମର । ଆଜି ଦିନ ୧ଟା ପରେ ଖୋଲାଯିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଏଥିପାଇଁ ଚୂଡ଼ାନ୍ତ ଏସ୍‌ଓପି ଜାରି କରିଛନ୍ତି ରାଜ୍ୟ ସରକାର। ଗତକାଲି ବିଳମ୍ବିତ ରାତିରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ସହ କମିଟିର ଅନ୍ୟ ସଦସ୍ୟମାନେ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ରତ୍ନଭଣ୍ଡାର ଖୋଲାଯିବା ପରେ, ରତ୍ନଭଣ୍ଡାର ଭିତରକୁ ଯିବାଠୁ ଗଣତି ପର୍ଯ୍ୟନ୍ତ ସବୁ କାର୍ଯ୍ୟ ସତର୍କତାର ସହ କରାଯିବ । ଅତି ନିଖୁଣ ଭାବେ ଅଳଙ୍କାରର ଗଣତି କରାଯିବ । ଗଣତି ମଣତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ରହିବ । ଗଣତି କାର୍ଯ୍ୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର  ପ୍ରତିନିଧି ଉପସ୍ଥିତ ରହିବେ । ପ୍ରକ୍ରିୟାର ସୁପରିଚାଳନା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଏଥିପାଇଁ ସମସ୍ତ ସଦସ୍ୟ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । ଦିନ ୧ଟା ୨୮ ମିନିଟରେ ଶୁଭ ମୁହୂର୍ତ୍ତ । ତେଣୁ ୧ଟା ୨୮ ସୁଦ୍ଧା ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ ।

ରତ୍ନଭଣ୍ଡାର ଯାଞ୍ଚବେଳେ ସବୁ ବର୍ଗର ମୋଟ ୧୧ ଜଣ ଉପସ୍ଥିତ ରହିବେ । ସେମାନଙ୍କ ମଧ୍ୟରେ ମୁଖ୍ୟ ପ୍ରଶାସକ ନିଜେ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁ, ଏଏସଆଇ ଅଧ୍ୟକ୍ଷ, ରତ୍ନଭଣ୍ଡାର ସବ୍ କମିଟିର ଜଣେ, ହାଇଲେବୁଲ କମିଟିର ୨ ଜଣ ସଦସ୍ୟ, ସେବାୟତ କମିଟିର ୫ଜଣ, ପରିଚାଳନା କମିଟିର ଜଣେ, ଗଜପତି ମହାରାଜାଙ୍କ ଦୁଇ ଜଣ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢଉ କରଣ ଓ ଦେଉଳ କରଣ ପ୍ରମୁଖ ଉପସ୍ଥିତ ରହିବେ । ଏମାନଙ୍କ ତତ୍ବାବଧାନ ଓ ଭିଡିଓଗ୍ରାଫି ପ୍ରମାଣ ସହ ଯାଞ୍ଚ ଓ ଗଣତି ମଣତି କାର୍ଯ୍ୟକ୍ରମ କରାଯିବ ।

 

Comments are closed.