Latest Odisha News

BREAKING NEWS

୬୦ ବର୍ଷର ପୁରୁଣା ଘଣ୍ଟା ହେଲା ନିଲାମ: ଏତେ ଟଙ୍କା ମିଳିଲା ଯେ, ମର୍ସିଡ଼ିଜ୍ କାର କିଣିହେବ

ବ୍ରିଟେନ: ପୁରୁଣା ଜିନିଷଗୁଡିକୁ ଫିଙ୍ଗିଦିଅ ନାହିଁ । କାରଣ ସେହି ପୁରୁଣା ଜିନିଷ ତୁମକୁ ଧନୀ କରିଦେଇପାରେ । ବ୍ରିଟେନରେ ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ତାଙ୍କ ବାପା ୬୦ ବର୍ଷ ପୂର୍ବେ କିଣିଥିବା ଘଣ୍ଟାକୁ ବିକ୍ରି କରି ଏବେ ଏତେ ଟଙ୍କା ପାଇଛନ୍ତି ଯେ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଟଙ୍କାରେ ଏକ ମର୍ସିଡିଜ୍ କାର ମଧ୍ୟ କିଣାଯାଇପାରିବ ।

ଏହି ଘଣ୍ଟାକୁ ବ୍ରିଟେନର ସେନାର ସର୍ଚ୍ଚ-ଉଦ୍ଧାରକାରୀ ଡାଇଭର ସାଇମନ୍ ବର୍ନେଟ କିଣିଥିଲେ । ଏହା ଏକ ପୁରାତନ ୧୯୬୩ ରୋଲେକ୍ସ ସବମେରିନର୍ ଘଣ୍ଟା ଥିଲା । ୬୦ ବର୍ଷ ପୂର୍ବେ ଏହାକୁ ସେ କିଣିଥିଲେ । ସେ ସମୟରେ ୭୦ ପାଉଣ୍ଡ ଅର୍ଥାତ୍ ୭୦୦୦ ଟଙ୍କାରେ କିଣିଥିଲେ । ୨୦୧୯ ମସିହାରେ ସାଇମନଙ୍କ ମୃତ୍ୟୁ ହୋଇଥିଲା । ଏହି ଘଣ୍ଟାକୁ ସାଇମନ୍‌ଙ୍କ ପୁଅ ପିଟର ବର୍ନେଟ ନିଲାମ ଡ଼ାକିଥିଲେ । ନିଲାମରେ ଏହାର ମୂଲ୍ୟ ୫୦,୦୦୦ ରୁ ୬୦,୦୦୦ ପାଉଣ୍ଡ ରଖାଯାଇଥିଲା । ଯାହା ପ୍ରାୟ ୫୫ ରୁ ୬୬ ଲକ୍ଷ ଟଙ୍କା ହେବ । ଶେଷରେ ଏହି ଘଣ୍ଟା ୪୦,୦୦୦ ପାଉଣ୍ଡ ଅର୍ଥାତ୍ ୪୧ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା ।

ପିଟର ବର୍ନେଟ କହିଛନ୍ତି, ଏହା ମୋ ପାଇଁ ବହୁତ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା । କିନ୍ତୁ ପରେ ମୁଁ ଅନୁଭବ କଲି ଯେ ମୁଁ ଠିକ୍ କାମ କରିଛି । ଯେତେବେଳେ ଆମେ ସିଙ୍ଗାପୁରରେ ଥିଲୁ, ସେତେବେଳେ ବାପା ଏହି ଘଣ୍ଟା କିଣିଥିଲେ । ବାପା କହୁଥିଲେ ଯେ, ସେ ସମୟରେ ମଧ୍ୟ ଏହା ପରିବାର ପାଇଁ ଅତ୍ୟନ୍ତ ମୂଲ୍ୟବାନ ଥିଲା । ପିଟର ସେନାରୁ ଅବସର ନେଇଛନ୍ତି । ଯେତେବେଳେ ବି ସେ ଏହି ଘଣ୍ଟାକୁ ନିଜ ହାତରେ ପିନ୍ଧୁଥିଲେ, ସେତେବେଳେ ସେ ତାଙ୍କ ପିତାଙ୍କ ସହ ଅତି ନିକଟତର ଅନୁଭବ କରୁଥିଲେ । କିନ୍ତୁ ମୁଁ ଏହାକୁ ପ୍ରତିଦିନ ପିନ୍ଧିବାକୁ ଡରୁଥିଲି । କାରଣ ମୁଁ ମୋ ହାତରେ ୬୦ ହଜାର ପାଉଣ୍ଡ ମୂଲ୍ୟର ଘଣ୍ଟା ପିନ୍ଧି ଚାଲିପାରିଲି ନାହିଁ । ସେଥିଲାଗି ନିଲାମ କରିବାକୁ ନିଷ୍ପତ୍ତି ନେଲି ।

ଏହି ଘଣ୍ଟାକୁ ଅନଲାଇନରେ ନିଲାମ କରାଯାଇଥିଲା । ଏହାକୁ କିଣିଥିବା ବ୍ୟକ୍ତି ତାଙ୍କ ପରିଚୟ ପ୍ରକାଶ କରିବାକୁ ମନା କରିଦେଇଥିଲେ । ସେହି ବ୍ୟକ୍ତି ବ୍ରିଟେନର ବାସିନ୍ଦା । ଘଣ୍ଟା ବିକ୍ରୟ କରି ପାଇଥିବା ଟଙ୍କାକୁ ନେଇ ପିଟର ବହୁତ ଖୁସି ଅଛନ୍ତି । କୁହାଯାଇଛି ଯେ, ରୋଲେକ୍ସ ସବମେରିନର୍ ୱାଚ୍ କେବଳ ଫ୍ୟାଶନେବୁଲ ନୁହେଁ, କାରଣ ସାଇମନ୍ ଏହାକୁ ସମୁଦ୍ର ଭିତରେ ବି ବ୍ୟବହାର କରୁଥିଲେ । ତାଦ୍ୱାରା ସେ ଜାଣିପାରୁଥିଲେ ସେ କେତେ ସମୟ ପାଣି ଭିତରେ ରହିଲେ ।

Comments are closed.