Latest Odisha News

BREAKING NEWS

ଝାରସୁଗୁଡା ଉପନିର୍ବାଚନର ସମୀକ୍ଷା କରିବ ତିନି ଜଣିଆ କମିଟି: ପିସିସି ସଭାପତି

ଭୁବନେଶ୍ୱର: ଏକ ତିନି ଜଣିଆ କମିଟି ଝାରସୁଗୁଡ଼ା ଗସ୍ତ କରି ଦଳର ଭୋଟ ପ୍ରତିଶତର କାରଣ ଖୋଜିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ଏହାପରେ ଏହି ରିପୋର୍ଟ ଏଆଇସିସିକୁ ଦିଆଯିବ ବୋଲି ସେ କହିଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନରେ ଦଳର ଲଜ୍ଜାଜନକ ପ୍ରଦର୍ଶନ ପରେ ପିସିସି ସଭାପତି ଏହିପରି ସୂଚନା ଦେଇଛନ୍ତି।

କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମାତ୍ର ୪,୪୯୬ ଭୋଟ୍ (୨.୫୬%) ପାଇ ଅମାନତ ହାରିଥିଲେ। ଯାହା ୨୦୧୯ ରେ ୧୦.୬୮ ପ୍ରତିଶତରୁ ମଧ୍ୟ ଢେର କମ୍ ଥିଲା। ଦଳ ସେତେବେଳେ ୧୪,୩୨୭ ଖଣ୍ଡ ଭୋଟ ପାଇ ହାରିଥିଲା। ଏବେ ନିର୍ବାଚନ ସମୟରେ ଦଳୀୟ ଭୋଟ୍ସିଧାସଳଖ ବିଜେଡି ଖାତାକୁ ଯାଇଛି ବୋଲି ଜଣାପଡିଛି। ଯାହାର ଭୋଟ ପ୍ରତିଶତ ୬୦.୯୩ ପ୍ରତିଶତ ଛୁଇଁଛି।  ସେହିପରି ୨୦୧୯ ନିର୍ବାଚନରେ ବିଜେପିର ଭୋଟ ପ୍ରତିଶତ ୩୦.୦୪ ପ୍ରତିଶତ ଥିଲା ଯାହା ଏବେ ୩୩.୨୫ ପ୍ରତିଶତକୁ ବୃଦ୍ଧି ପାଇଛି।

ଶରତ ପଟ୍ଟନାୟକ କହିଛନ୍ତି, ଗାଁରୁ ରାଜଧାନୀ ଦଳୀୟ କର୍ମୀଙ୍କୁ ଏକାଠି କରିବ। ଆମେ ସମସ୍ତଙ୍କୁ ନେଇ ନିର୍ବାଚନ ଲଢ଼ିବୁ। ହେଲେ ଝାରସୁଗୁଡା କଂଗ୍ରେସ ସଭାପତି ଯାହା କହିଛନ୍ତି, ସେ ବାବଦରେ ତିନି ଜଣିଆ କମିଟି ରିପୋର୍ଟ ପ୍ରସ୍ତୁତ କରି ଦେବା ପରେ ଜଣାପଡ଼ିବ। ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ଚାଲିଛି।

ଝାରସୁଗୁଡା ନିର୍ବାଚନରେ ଯାହା ହୋଇଛି ତାହା ହାଇକମାଣ୍ଡ ଜାଣିଛନ୍ତି। ଦଳରେ ଯାହା ହୋଇଛି ସେ ମିଡିଆ ଆଗରେ କହିବେ ନାହିଁ ବୋଲି କହିଛନ୍ତି। ତେବେ ହାରଜିତ ରହିଛି ଦଳର ମୁଖିଆ ଭାବେ ସେ କାହା ବାବଦରେ କିଛି କହିବେ ନାହିଁ ବୋଲି କହିଛନ୍ତି।

କଂଗ୍ରେସ ବିଧାୟକ ଦଳ ନରସିଂହ ମିଶ୍ର ଝାରସୁଗୁଡ଼ାରେ ଶୋଚନୀୟ ପରାଜୟ ପାଇଁ ନେତୃତ୍ୱର ଅଭାବ ଓ ଦୁର୍ବଳ ସଙ୍ଗଠନକୁ ଦାୟୀ କରିଥିବା ବେଳେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଦଳ ଅଧାବାଟରେ ଉପନିର୍ବାଚନ ଲଢ଼ିଛି, ଯେଉଁଥିପାଇଁ ଭୋଟ ବିପୁଳ ପରିମାଣରେ ହେଲାନି।

ଉଲ୍ଲେଖୟୋଗ୍ୟ, ଏହି ପୁରୁଣା ଦଳ ୨୦୦୪ ପରଠାରୁ କ୍ରମାଗତ ନିର୍ବାଚନଗୁଡ଼ିକରେ ଏହାର ଭୋଟ୍ ହାର ଓ ଆସନ ସଂଖ୍ୟାରେ ବ୍ୟାପକ ହ୍ରାସ ପାଇଛି। ଯାହା ଦଳର ଦୁର୍ବଳତାକୁ ଦର୍ଶାଉଛି। ୨୦୦୦ରେ ବିଜେଡିଠୁ ହାରିବାପରେ ଦଳର ଭୋଟ୍ ହାର ୩୩.୭ ପ୍ରତିଶତରୁ ହ୍ରାସ ପାଇ ୨୦୧୯ରେ ୧୬ ପ୍ରତିଶତରେ ପହଞ୍ଚିଛି।

Leave A Reply

Your email address will not be published.