Latest Odisha News

BREAKING NEWS

ଗତ ନିର୍ବାଚନ ତୁଳନାରେ ଏଥର କମିଲା ଭୋଟିଂ, ପ୍ରଥମ ପର୍ଯ୍ୟାୟରେ ୬୨.୩୭ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଗତକାଲି ସାରା ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୧ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଆସନରେ ମତଦାନ ହୋଇଥିଲା । ଏହାରିଭିତରେ ପଶ୍ଚିମବଙ୍ଗ ଏବଂ ମଣିପୁରର କେତେକ ଅଞ୍ଚଳରୁ ହିଂସା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ଏଥର ପ୍ରଥମ ପର୍ଯ୍ୟାୟରେ କମିଛି ଭୋଟ୍ ସଂଖ୍ୟା । ଗତ ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୬୯.୪୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଏଥର ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୬୨.୩୭ ପ୍ରତିଶତ ମତଦାନ ହୋଇଛି ।

ତେବେ ମଣିପୁରର ଏକ ମତଦାନ କେନ୍ଦ୍ରରେ କିଛି ଦୁର୍ବୃତ୍ତ ଗୁଳିଚାଳନା କରିଥିଲେ । ଏହି ଘଟଣା ପରେ ପୁରା ମତଦାନ କେନ୍ଦ୍ରରେ ହିଂସା ବ୍ୟାପି ଯାଇଥିଲା । ଏହା ସତ୍ତ୍ୱେ ମଧ୍ୟ ମଣିପୁରରେ ୬୮.୬୨% ମତଦାନ ହୋଇଥିଲା । ସେପଟେ ପଶ୍ଚିମବଙ୍ଗର ମଧ୍ୟ କେତେକ ସ୍ଥାନରେ ହିଂସା ସତ୍ତ୍ଵେ ମଧ୍ୟ ୭୭.୫୭% ମତଦାନ ହୋଇଥିଲା । ଭୋଟିଂର ପ୍ରଥମ ପର୍ଯ୍ୟାୟରେ ସମସ୍ତଙ୍କ ନଜର ତାମିଲନାଡୁ ଉପରେ ରହିଛି । ଗତକାଲି ଏଠାରେ ଥିବା ସମସ୍ତ ୩୯ ଲୋକସଭା ଆସନରେ ମତଦାନ ହୋଇଥିଲା ।

ପ୍ରଥମ ପର୍ଯ୍ୟାୟରେ ତ୍ରିପୁରାରେ ସର୍ବାଧିକ ଭୋଟ୍ ହାର ୮୦.୧୭ ପ୍ରତିଶତ ରେକର୍ଡ କରିଥିବା ବେଳେ ବିହାରରେ ସର୍ବନିମ୍ନ ଭୋଟ୍ ହାର ୪୮.୫ ପ୍ରତିଶତ ରହିଥିଲା । ଅନ୍ୟପଟେ ସ୍ୱତନ୍ତ୍ର ପ୍ରଦେଶ ଗଠନ ଦାବିରେ ନାଗାଲାଣ୍ଡର ୬ ଜିଲ୍ଲାରେ ଶୁନ୍ୟ ଭୋଟିଂ ହୋଇଛି । ସେପଟେ ବ୍ୟାପକ ସୁରକ୍ଷା ଭିତରେ ମାଓପ୍ରବଣ ଅଞ୍ଚଳ ବସ୍ତରରେ ମଧ୍ୟ ପଡ଼ିଛି ଭୋଟ ।

Leave A Reply

Your email address will not be published.