କଟକ: କଟକ ପୋଲିସ ମୁଖ୍ୟାଳୟରେ ୬୪ତମ ପୋଲିସ ସହିଦ ଦିବସ ପାଳିତ । ମୁଖ୍ୟ ଅତିଥି ଭାବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ କୁମାର ବଂସଲ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ହୋଇଥିବା ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ସହିଦ ବୀର ଯବାନଙ୍କ ପରିବାର ପ୍ରତି ସନବେଦନା ଜ୍ଞାପନ କରି ବୀର ସହିଦମାନଙ୍କ ପାଇଁ ରାଜ୍ୟ ଆରକ୍ଷୀ ବାହିନୀ ତରଫରୁ ଆନୁଷ୍ଠାନିକ ଶୋକଶସ୍ତ୍ର ପ୍ରଦର୍ଶନ କରିବା ସହ ଦୁଇ ମିନିଟ ନୀରବ ପାର୍ଥନା କରାଯାଇଥିଲା । ଅନେକ ପୋଲିସ ଅଫିସର ଓ କର୍ମଚାରୀ ଆଇନ୍ ଶୃଙ୍ଖଳା ଏବଂ ଅପରାଧ ନିୟନ୍ତ୍ରଣ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ଆତଙ୍କବାଦ ଓ ବାମପନ୍ଥୀ ଉଗ୍ରବାଦ ଦମନ ତଥା ଶାନ୍ତି ବଜାୟ କରିବାକୁ ଯାଇ ନିଜ ଜୀବନକୁ ବଳିଦାନ ଦେଇଥିବା ଅମର ଯବାନଙ୍କ ନିକଟରେ ଚିର କୃତଜ୍ଞ ରହିବୁ ବୋଲି ଡିଜିପି ବଂସଲ କହିଛନ୍ତି ।
ଏହି ଅବସରରେ ସାଧାରଣ ଜନତାଙ୍କୁ ନିରନ୍ତର ସେବା ପ୍ରଦାନ କରୁଥିବା ରାଜ୍ୟର ପୋଲିସ ଅଧିକାରୀ/କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ । ରାଜ୍ୟରେ ନକ୍ସଲ ପ୍ରଭାବିତ ଜିଲ୍ଲାରେ ନିୟୋଜିତ ଥିବା ସମସ୍ତ ଯବାନ ମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କର ସହଯୋଗ ଏବଂ ପ୍ରୟାସ ପାଇଁ ରାଜ୍ୟରେ ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡିକର ସଂଖ୍ୟା ହ୍ରାସ ପାଇଛି ବୋଲି ମନବ୍ୟକ୍ତ କରିଥିଲେ । ବିଭିନ୍ନ ସମୟରେ ପୋଲିସ ପ୍ରତି ସବୁବେଳେ ନୂଆ ନୂଆ ଚ୍ୟାଲେଞ୍ଜ ଆସୁଛି ଏବଂ ତାକୁ ସାମ୍ନା କରିବାକୁ ଆମେ ସବୁବେଳେ ପ୍ରସ୍ତୁତ ରହିଛୁ ବୋଲି ଡିଜିପି ଶ୍ରୀ ବଂସଲ କହିଥିଲେ ।
Comments are closed.