Latest Odisha News

BREAKING NEWS

ହାର୍ଦ୍ଦିକଙ୍କ ଆଘାତ ଟିମ ଇଣ୍ଡିଆର ସନ୍ତୁଳନ ବିଗାଡି ଦେବନି ତ ?

ନୂଆଦିଲ୍ଲୀ: ଘରୋଇ ପରିବେଶରେ ଭାରତ ଚଳିତ ବିଶ୍ୱକପରେ ଏ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ୪ଟି ମ୍ୟାଚରେ କ୍ରମାଗତ ବିଜୟ ହାସଲ କରିଛି । ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ସମସ୍ୟା ଏବେ ଟିମକୁ ଚିନ୍ତାରେ ପକାଇଛି । ବିକଳ୍ପ ଖେଳାଳି ମିଳିବା ଅସୁବିଧା ନ ଥିଲେ ମଧ୍ୟ ଟିମ ସନ୍ତୁଳନ ଓ ବିଜୟ ଧାରାରେ ଏହା ସମସ୍ୟା ସୃଷ୍ଟି କରିବ ନାହିଁ ତ ? ନ୍ୟୁଜିଲାଣ୍ଡ ବିପକ୍ଷରେ ହାର୍ଦ୍ଦିକ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱୀନ ଖେଳିବା ସମ୍ଭାବନା ଅଧିକ । ରବୀନ୍ଦ୍ର ଜାଡେଜା ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ପରେ ଅଶ୍ୱୀନ ଓ ଶାଦ୍ଦୁର୍ଳ ଠାକୁର ତାଙ୍କୁ ସହଯୋଗ କରିପାରିବେ । ଅନ୍ୟ ଏକ ବିକଳ୍ପ ହେଉଛି ସୂର୍ଯ୍ୟକୁମାର ଯାଦବ କିମ୍ବା ଈଶାନ କିଶାନଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ଦେବା । ସୂର୍ଯ୍ୟକୁମାରଙ୍କ ନିକଟରେ ମ୍ୟାଚ ଜିତାଇବା ଦକ୍ଷତା ଥିଲେ ମଧ୍ୟ ଦିନିକିଆ ଏବଂ ବିଶ୍ୱକପ ପରି ଟୁର୍ଣ୍ଣାମେଂଟରେ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ନଜର ରହିବ । ଅବଶ୍ୟ ଏହା ଦ୍ୱାରା ଅବଶ୍ୟ ବ୍ୟାଟିଂ ଲାଇନ ଅପ ମଜଭୁତ ହେବ କିନ୍ତୁ ୫ ସ୍ପେଶାଲିଷ୍ଟ ବୋଲରଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିବାକୁ ପଡିବ ।

ଧର୍ମଶାଳା ପିଚ ଯଦି ସ୍ପିନରଙ୍କୁ ସୁହାଇବ ତାହାହେଲେ ଭାରତକୁ ବିଶେଷ ଅସୁବିଧା ହେବନି କିନ୍ତୁ ଯଦି ବ୍ୟାଟିଂ ପିଚ ହୋଇଥାଏ ଷଷ୍ଠ ବୋଲରର ଅଭାବ ପରିଲକ୍ଷିତ ହେବ । ପାଣ୍ଡ୍ୟା ବାଂଲାଦେଶ ବିପକ୍ଷରେ ବୋଲିଂ ଓ ବ୍ୟାଟିଂ କରି ନ ଥିଲେ ମଧ୍ୟ ଏହାର ପ୍ରଭାବ ଟିମ ଉପରେ ପଡି ନ ଥିଲା । ଟପ ଅର୍ଡର ଭଲ ଫର୍ମରେ ଥିବାରୁ ଅଶ୍ୱୀନଙ୍କୁ ଦଳରେ ସାମିଲ କରାଯିବ ବୋଲି ଆଶା କରାଯାଉଛି । ଭାରତ ନିଶ୍ଚିତ ଭାବେ ଆଉ ୨/୩ଟି ମ୍ୟାଚ ଜିତି ଯଥାସମ୍ଭବ ସେମିଫାଇନାଲ ପାଇଁ ନିଜ ସ୍ଥିତି ମଜଭୁତ କରିବାକୁ ଚାହିଁବ । ଭାରତ ଏବଂ ନ୍ୟୁଜିଲାଣ୍ଡ ଏ ପର୍ଯ୍ୟନ୍ତ ବିଶ୍ୱକପରେ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛନ୍ତି । ତେଣୁ ଏହି ମୁକାବିଲା ନିଶ୍ଚିତ ଭାବେ ରୋମାଂଚକର ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.