Latest Odisha News

BREAKING NEWS

କୋଭିଡ୍‌-୧୯ ଲକଡାଉନ କାଳରେ ଭାରତର ୬୫ ପ୍ରତିଶତ ବରିଷ୍ଠ ନାଗରିକ ହରାଇଛନ୍ତି ରୋଜଗାର !

ଭୁବନେଶ୍ୱର: ବିଶ୍ୱ ବରିଷ୍ଠ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ ପାଳନ ଅବସରରେ ‘ହେଲ୍ପଏଜ୍ ଇଣ୍ଡିଆ’ ଦ୍ୱାରା କରାଯାଇଥିବା ର୍ବଭାରତୀୟ ସ୍ତରର ସର୍ଭେ ‘କୋଭିଡ୍‌-୧୯ ସମୟରେ ବରିଷ୍ଠ ନାଗରିକଙ୍କ ସ୍ଥିତି’ ର ତଥ୍ୟକୁ ଆଜି ପ୍ରକାଶ କରାଯାଇଛି ।

ଏଥିରେ ଲକଡାଉନ୍ କାଳରେ ଭାରତର ବରିଷ୍ଠ ନାଗରିକମାନଙ୍କ ଉପରେ ଏହାର ପ୍ରଭାବ ଓ ସେମାନେ ସାମ୍ନା କରୁଥିବା ସମସ୍ୟା ଉପରେ ଲୋକପାତ କରାଯାଇଛି । ଏହି ଅବସରରେ ହେଲ୍ପଏଜ୍ ଇଣ୍ଡିଆର ସି.ଇ.ଓ.  ମାଥ୍ୟୁ ଚେରିୟନ୍‌ଙ୍କ ଦ୍ୱାରା ରଚିତ ପୁସ୍ତକ – ‘ଏଜିଙ୍ଗ୍ ଏଣ୍ଡ ପଭର୍ଟି ଇନ୍ ଇଣ୍ଡିଆ’ କୁ ମଧ୍ୟ ଉନ୍ମୋଚନ କରାଯାଇଛି । ଏହି ୱେବିନାର ରେ ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା, ସ୍ୱାସ୍ଥ୍ୟ ବିଶେଷଜ୍ଞ  କ୍ଷୀରୋଦ କୁମାର ରାଉତ, ଏନଆଇସି ର ପୂର୍ବତନ ଅଧ୍ୟକ୍ଷ  ରବିନ୍ଦ୍ର ନାରାୟଣ ବେହେରା, ସାମାଜିକ କର୍ମୀ  ରୁ୍‌ଦ୍ର ପ୍ରସନ୍ନ ରଥ ତଥା ହେଲ୍ପଏଜ୍ ଇଣ୍ଡିଆର ରାଜାଶାଖା ମୂଖ୍ୟ  ଭାରତୀ ଚକ୍ର ଉପସ୍ଥିତ ଥିଲେ ।

ଏହି ପୁସ୍ତକରେ ଭାରତରେ ବରିଷ୍ଠ ନାଗରିକଙ୍କ ସ୍ଥିତିକୁ ନେଇ ଲେଖକଙ୍କ ଦୀର୍ଘ ଦୁଇ ଦଶନ୍ଧିର ଅଭିଜ୍ଞତାର ବର୍ଣ୍ଣନା ରହିଛି । ଏହା ବିଷୟରେ ମାଥ୍ୟୁ ଚେରିୟନ୍ କହନ୍ତି ଯେ “ଏହି ପୁସ୍ତକଟି ଗ୍ରାମ ତଥା ସହରରେ ରହୁଥିବା ଆର୍ଥିକ ଅନଗ୍ରସର ତଥା ଦୁର୍ବଳ ଶ୍ରେଣୀର ବରିଷ୍ଠ ନାଗରିକଙ୍କ ସମସ୍ୟାକୁ ଝିବା ତଥା ସେହି ଅଭିଜ୍ଞତାର ପରିପ୍ରକାଶ । ତା ସହିତ ସେମାନଙ୍କ ମନରେ ରହିଥିବା ଭୟ ତଥା ଅସୁରକ୍ଷାର ଭାବନା ଏଥିରେ ସ୍ଥାନ ପାଇଛି । ବାର୍ଦ୍ଧକ୍ୟ ଜନିତ ବିଭିନ୍ନ ସମସ୍ୟାର ସମାଧାନ ତଥା ଭାରତର ବରିଷ୍ଠ ନାଗରିକଙ୍କ ଜୀବନ ମାନରେ ଉନ୍ନତି ଆଣିବା ଦିଗରେ ଏହି ପୁସ୍ତକ ସହାୟକ ହେବ ବୋଲି ଆଶା । ଯେଉଁମାନେ ଆମ ପାଇଁ ଆଜୀବନ କାର୍ଯ୍ୟ କରିଛନ୍ତି, ସେମାନେ ନିଜ ବାର୍ଦ୍ଧକ୍ୟ ଅବସ୍ଥାରେ ଅଶୁଣା, ଅଦେଖା, ଅଜଣା ହୋଇ ନ ରହନ୍ତୁ, ସମ୍ମାନର ଜୀବନ ବିତାନ୍ତୁ , ତାହାହିଁ କାମନା କରୁଛିା”

ଏହି ଅବସରରେ ପ୍ରକାଶ ପାଇଥିବା ସର୍ବଭାରତୀୟ ସ୍ତରର ସର୍ଭେ ‘କୋଭିଡ୍‌-୧୯ ସମୟରେ ବରିଷ୍ଠ ନାଗରିକଙ୍କ ସ୍ଥିତି’ ର ତଥ୍ୟ ମଧ୍ୟ ବରିଷ୍ଠ ଗରିକଙ୍କ ଅନେକ ସମସ୍ୟାକୁ ଉତଥାପିତ କରୁଛି, ଯାହାକି ଚିନ୍ତା ର ବିଷୟ । ଭୁବନେଶ୍ୱରର ୬୬ ବର୍ଷ   ବୟସ୍କା ବି. ଶାନ୍ତି (ଛଦ୍ମ ନାମ) କହିଛନ୍ତି,“ ମୁଁ ଲୋକଙ୍କ ଘରେ ଘରକାମ କରି ଚଳେ । ଲକଡାଉନ ଯୋଗୂଁ କାମ ବନ୍ଦ ହୋଇଗଲା । ମୋ ପାଖରେ କିଛି ସଂଚୟ ନଥିଲା । ଛତୁଆ ପାଣି ଗୋଳେଇ ପିଇକରି ୧୫ ଦିନ ରହିଲି । ମୋର ପରିବାର ବୋଲି କେହି ନାହିଁ, ଅନ୍ୟ ରୋଜଗାରର ପନ୍ଥା ମଧ୍ୟ ନାହିଁ, କେମିତି ବଂଚିବି?” ।

“ମୁଁ ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ । ମୋର ସଂଚୟ ସୀମିତ ତଥା କୈାଣସି ପେନସନ୍ ନାହିଁ । ଲକ୍‌ଡାଉନ୍ ପୁର୍ବରୁ ପିଲାଙ୍କୁ ଟ୍ୟୁସନ୍ କରି ଚଳୁଥିଲି
ା ଏବେ ଓଳିଏ ଖାଇଲେ ଓଳିଏ ଓପାସ ରହୁଛି । ସୀମିତ ସଂଚୟରେ କେତେ ଦିନ ଚଳିପାରିବି?ମୋର କେହି ନାହାଁନ୍ତି । ଘର ଭଡା ଦେଇପାରିବିନି
ବୋଲି ସଂପର୍କୀୟଙ୍କ ପାଖରେ ରହୁଛି ଓ ନିତି ଗାଳି ଶୁଣୁଛି । ମୋ କଷ୍ଟ କାହାକୁ କହିବି?” ପାଟନାର ୬୭ ବର୍ଷ ବୟସ୍କା  ନମିତା ମିଶ୍ରା (ଛଦ୍ମ ନାମ) କହିଛନ୍ତି।

ମୁଁ ଆର୍ମିରୁ ଅବସର ନେଇ ଏଠାରେ ନିଜ ପତ୍ନୀଙ୍କ ସହ ବସବାସ କରୁଛି । ମୋ ପିଲାମାନେ ବିଦେଶରେ ରହନ୍ତି । ଲକଡାଉନ୍ ଯୋଗୁଁ ଘରେ ରହୁଛୁ ।
କଥା ପଦେ କହିବାକୁ ବା ଶୁଣିବାକୁ କେହି ନାହାଁନ୍ତି । ଭାରି ଏକା ଲାଗୁଛି ଓ ବିଷାଦଗ୍ରସ୍ତ ଲାଗୁଛି । ସେଥିପାଈଁ ଆପଣଙ୍କ ସହ କଥା ହେବାକୁ ପଣଙ୍କ ହେଲ୍ପଲାଇନ୍ କୁ ଫୋନ୍ କରିଥିଲି ।” କହିଛନ୍ତି କର୍ଣ୍ଣେଲ୍ ରାୟ (ଛଦ୍ମ ନାମ), ୭୦ ବର୍ଷ, ଭୁବନେଶ୍ୱର।

ସର୍ଭେ ସମୟରେ ଲୋକେ କହିଥିବା କଥାରୁ ଏହା କିଛି ଅଂଶ ମାତ୍ର । ଭାରତରେ ୯୦ ପ୍ରତିଶତ ବରିଷ୍ଠ ନାଗରିକ ବଂଚିରହିବା ପାଇଁ ଅସଂଗଠିତ
କ୍ଷେତ୍ରରେ କାର‌୍ୟ୍ୟରତ, ଏହା ଏକ ଜଣାଶୁଣା ସତ୍ୟ । ସର୍ଭେରେ ଏହି ତଥ୍ୟ ପୁଣି ପ୍ରମାଣିତ ହେଉଛି ।

କୋଭିଡ୍‌-୧୯ ଲକଡାଉନ କାଳରେ ଭାରତର ୬୫ ପ୍ରତିଶତ ବରିଷ୍ଠ ନାଗରିକ ନିଜର ରୋଜଗାର ହରାଇଛନ୍ତି । ଗ୍ରାମୀଣ ଅଂଚଳରେ ଏହା ୬୧ ପ୍ରତିଶତ ହୋଇଥିବା ବେଳେ, ସହରାଂଚଳରେ ଏହି ସଂଖ୍ୟା ୩୯ ପ୍ରତିଶତ ବୋଲି ଜଣାଯାଇଛି । ଏମାନଙ୍କ ମଧ୍ୟରୁ ୬୭ପ୍ରତିଶତ (୬୦- ୬୯ ବର୍ଷ ବୟସ), ୨୮ ପ୍ରତିଶତ (୭୦-୭୯ ବର୍ଷ ବୟସର) ଓ ୫ ଭାଗ (୮୦ ବର୍ଷରୁ ଅଧିକ ବୟସର) ବ୍ୟକ୍ତି ଅଟନ୍ତି ।

“ଲକଡାଉନ ସମୟରେ ତଥା ଏହା ପରେ ବରିଷ୍ଠ ନାଗରିକମାନେ ଏକ କଷ୍ଟଦାୟକ ସମୟ ଅତିବାହିତ କରୁଛନ୍ତି । ଆୟର ପନ୍ଥା ନାହିଁ, ସାମାଜିକ ଦୂରତାର କଟକଣା ଯୋଗୁଁ ଏକାକୀତ୍ୱ ତଥା ବଢୁଥିବା ସ୍ୱାସ୍ଥ୍ୟ ସମସ୍ୟା – ଏ ସବୁ ମିଶି ସେମାନଙ୍କ ଜୀବନକୁ ଦୁର୍ବିସହ କରିଦେଉଛି । ଏହି ସମୟରେ
ବିଭିନ୍ନ ବର୍ଗର ଲୋକଙ୍କ ସମସ୍ୟା ମଧ୍ୟରେ ଏହି ୧୦ ଭାଗ ଜନସଂଖ୍ୟା ଅଦେଖା, ଅଶୁଣା ହୋଇ କୈାଣସି ସହାୟତା ବିନା ଅଧିକ କଷ୍ଟ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ସେମାନଙ୍କୁ ସାହାଯ୍ୟ କରିବା ନିହାତି ଆବଶ୍ୟକ । ସରକାର, ସମାଜ ତଥା ପରିବାରର ମିଳିତ ସହଯୋଗରେ ହିଁ ଏହାର
ସମାଧାନ ନିମନ୍ତେ ସମୁଚିତ ପଦକ୍ଷେପ ନିଆଯିବା ଉଚିତ ।” – ଭାରତୀ ଚକ୍ର, ରାଜ୍ୟଶାଖା ମୁଖ୍ୟ – ଓଡିଶା, ହେଲ୍ପଏଜ୍ ଇଣ୍ଡିଆ ।

ହେଲ୍ପଏଜ୍ ଇଣ୍ଡିଆ ଦ୍ୱାରା ହୋଇଥିବା ସର୍ଭେରୁ ଏହା ଜଣାପଡେ ଯେ, ୬୨ ଭାଗ ଉଚାରଦାତା ବିଭିନ୍ନ େରୋଗ ଯଥା ମଧୁମେହ, ଆଜମା, କ୍ୟାନସର, ଉଚ୍ଚରକ୍ତଚାପ ଆଦି ଦୁରାରୋଗ୍ୟ ବ୍ୟାଧି ଦ୍ୱାରା ପୀଡିତ ତଥା ଏହି ଲକ୍‌ଡାଉନ୍ ସମୟରେ ତା ମଧ୍ୟରୁ ୪୨ ଭାଗ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା । ଏମାନଙ୍କ ମଧ୍ୟରେ ୬୪ ପ୍ରତିଶତ ଗ୍ରାମୀଣ ଅଂଚଳରୁ ତଥା ୩୬ ପ୍ରତିଶତ ସହରାଂଚଳରୁ ଥିଲେ । ଏହି ଲକ୍‌ଡାଉନ ସମୟରେ ୭୮ଭାଗ ବରିଷ୍ଠ ନାଗରିକ ଅତ୍ୟାବଶ୍ୟକୀୟ ସାମଗ୍ରୀ ତଥା ସେବା ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ୮୪ ଭାଗ ଲୋକ ଗ୍ରାମାଂଚଳରୁ ଏପରି ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ସହରରେ ରହୁଥିବା ୭୧ଭାଗ ଲୋକ ଏଭଳି ଅସୁବିଧାରେ ପଡିଥିବା କଥା କହିଥିଲେ । ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ତଥା ସେବା ମଧ୍ୟରେ ମୁଖ୍ୟ ତିନୋଟି ସମସ୍ୟା ହେଲା – ଖାଦ୍ୟସାମଗ୍ରୀ ଓ ଔଷଧ, ଘରକାମରେ ସହାୟକ/ସହାୟିକା ତଥା ବ୍ୟାଙ୍କ/ଏଟିଏମ୍ ।

୬୧ ପ୍ରତିଶତ ଲୋକେ ଏହି ସମୟରେ ନିଜକୁ ଏକାକୀ ଅନୁଭବ କରିଥିଲେ ଓ ଘର ଭିତରେ ବନ୍ଦୀ ଥିବାଭଳି ଅନୁଭବ କରିଥିଲେ । ତନ୍ମଧ୍ୟରୁ ୬୦ ରୁ ୬୯ ବର୍ଷ ବୟସର ଲୋକଙ୍କ ସଂଖ୍ୟା ୬୨ ପ୍ରତିଶତ । ଗାଁରେ ରହୁଥିବା ୫୦ ଭାଗ ଲୋକ ଏଭଳି ମାନସିକ ସ୍ଥିତିର ସାମ୍ନା କରୁଥିବା ବେଳେ ସହରରେ ରହୁଥିବା ୫୦ ଭାଗ ଉତରଦାତା ମଧ୍ୟ ସମାନ କଥା କହିଥିଲେ ।

୯୧ ପ୍ରତିଶତ ବରିଷ୍ଠ ନାଗରିକ କୋଭିଡ-୧୯ ର ଲକ୍ଷଣ ବିଷୟରେ ଜାଣନ୍ତି ବୋଲି କହିଥିଲୋ ତା ମଧ୍ୟରୁ ୫୨ଭାଗ ଏହା ନିଜ ପରିବାର/ ସଂପର୍କୀୟଙ୍କ ଠାରୁ ଜାଣିବାକୁ ପାଇଛନ୍ତି । ଏହା ମନେରଖିବାକୁ ହେବ ଯେ ଅଧିକାଂଶ ବରିଷ୍ଠ ନାଗରିକଙ୍କର ଡିଜିଟାଲ ସାକ୍ଷରତା ବା ଅନଲାଇନ୍‌
ମାଧ୍ୟମ ସହ ଯୋଗାଯୋଗ ସୀମିତ ମାତ୍ରାରେ ରହିଛି ବା ଆଦୈା ନାହିଁ ।

ଏହି ମସୟ ମଧ୍ୟରେ ସେମାନଙ୍କ ମୁଖ୍ୟ ତିନୋଟି ଭୟ ମଧ୍ୟରେ ରହିଛି – ୩୮ଭାଗ ଲୋକେ କାଳେ କରୋନା ଆକ୍ରାନ୍ତ ହେବେ ତଥା ରୋଜଗାର କିଛି ରହିବନି ବୋଲି ଭୟ କରିଛନ୍ତି, ୩୪ ଭାଗ ଲୋକେ ଅର୍ଥହାନୀ, ଅନାହାର ତଥା କିଛି କାମ ନ ମିଳିବାର ଭୟରେ ଅଛନ୍ତି ଓ ୧୨ ଭାଗ ଲୋକ ନିଜର କମ୍ ରୋଗ ପ୍ରତିରୋଧକ ଶକ୍ତି ତଥା ଲୋକଙ୍କ ଅବାଧ ଯାତଆତ ଯୋଗୁଁ ଗୋଷ୍ଠୀ ସଂକ୍ରମଣ ର ଭୟ ବିଷୟରେ କହିଛନ୍ତି । ସରକାରଙ୍କ ଠାରୁ କଣ ଏହି ସମୟରେ ଆଶା କରିବା ର ଉତ୍‌ତରରେ ୬୦ଭାଗରୁ ଅଧିକ ଲୋକେ ସାମାଜିକ ସୁରକ୍ଷା ପେନସନ୍ କୁ ନିଜର ପ୍ରାଥମିକତା ପ୍ରଦାନ କରିଥିବା ବେଳେ, ୫୦ ଭାଗ ଲୋକେ ଔଷଧ ତଥା ସ୍ୱାସ୍ଥ୍ୟସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ ।

Comments are closed.