ନୂଆଦିଲ୍ଲୀ:ଗତକାଲି (ଶନିବାର) ସନ୍ଧ୍ୟାରେ ନେପାଳର ଗୋରଖା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମନକାମନା ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ଭାରତୀୟ ତୀର୍ଥଯାତ୍ରୀଙ୍କ ମାଇକ୍ରୋ-ବସ୍ ନିୟନ୍ତ୍ରଣ ହରାଇ ଏକ ଗଭୀର ଖାଇରେ ଖସି ପଡ଼ିଥିଲା। ରିପୋର୍ଟ ଅନୁସାରେ, ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଛି, ଅନେକ ଆହତ ହୋଇଛନ୍ତି। ପୋଲିସ ଦୁର୍ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଛି।
ପୋଲିସର ସୂଚନା ଅନୁଯାୟୀ, ସହିଦ ଲଖନ ଗ୍ରାମୀଣ ପୌରପାଳିକାର କାନ୍ତାର ଅଞ୍ଚଳରେ ଭକ୍ତମାନଙ୍କୁ ନେଇ ଯାଉଥିବା ଏକ ଇଲେକ୍ଟ୍ରିକ୍ ମାଇକ୍ରୋବସ୍ ଏକ ଗଭୀର ଖାଇରେ ଖସି ପଡ଼ିଥିଲା। ବସ୍ଟି ପ୍ରାୟ ୧୫୦ ମିଟର ତଳକୁ ଏକ ଖାଇକୁ ଖସି ପଡ଼ିଥିଲା।
ଅନ୍ୟ ଆହତମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଯାଇଥିଲା। ସାତ ଜଣ ଭାରତୀୟ ନାଗରିକ ଭରତପୁରର ଚିତୱାନ ମେଡିକାଲ କଲେଜରେ ଚିକିତ୍ସାଧୀନ ଅଛନ୍ତି। ନେପାଳୀ ବସ୍ ଡ୍ରାଇଭର ଏବଂ ତାଙ୍କ ସହାୟକ ମଧ୍ୟ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ସ୍ଥାନୀୟ ବାସିନ୍ଦା ଏବଂ ପୋଲିସ ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ।
ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ପାଞ୍ଚ ଜଣ ପୁରୁଷ ଅଛନ୍ତି ବୋଲି ଗୋରଖା ଜିଲ୍ଲାର ଜିଲ୍ଲା ଟ୍ରାଫିକ୍ ପୋଲିସ କାର୍ଯ୍ୟାଳୟର ମୁଖ୍ୟ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ମୃତକମାନେ ସମସ୍ତେ ଭାରତୀୟ ନାଗରିକ।
ଜିଲ୍ଲା ପୋଲିସ କାର୍ୟ୍ୟାଳୟର ମୁଖ୍ୟ ଭରତ ବାହାଦୂର ବି.କେ କହିଛନ୍ତି ଯେ ମୃତ ବ୍ୟକ୍ତିମାନେ ମୁଥୁ କୁମାର (୫୮), ଅନାମଲିକ (୫୮), ମୀନାକ୍ଷୀ (୫୯), ଶିବଗାମି (୫୩), ବିଜୟଲ (୫୭), ମୀନା (୫୮) ଏବଂ ତାମିଲାରାସୀ (୬୦) ବୋଲି ଜଣାପଡିଛି।
ଗୋରଖା ଜିଲ୍ଲା ଡିଏସପି ରାଜ କୁମାର ଶ୍ରେଷ୍ଠଙ୍କ ଅନୁଯାୟୀ, ବସ୍ଟି ଏକ ଗଡାଣିଆ ରାସ୍ତାରେ ଯାଉଥିବା ବେଳେ ଏକ ମୋଡ଼ ନେବା ସମୟରେ ଖସି ପଡ଼ିଥିଲା। ତେବେ ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ତଦନ୍ତାଧୀନ ଅଛି।
ଗୋରଖା ମୁଖ୍ୟ ଜିଲ୍ଲା ଅଧିକାରୀ ତୁଳସୀ ବାହାଦୁର ଶ୍ରେଷ୍ଠ କହିଛନ୍ତି ଯେ ବସ୍ରେ ୧୨ରୁ ଅଧିକ ଯାତ୍ରୀ ଥିଲେ। ମନ୍ଦିର ଛାଡିବା ପରେ ଯାତ୍ରୀମାନେ କେଉଁଠାକୁ ଯାଉଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏପି ରିପୋର୍ଟ ଅନୁଯାୟୀ, ମୃତଦେହର ପୋଷ୍ଟମର୍ଟମ୍ କରାଯିବ ଏବଂ ତା’ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ।
Comments are closed.