Latest Odisha News

BREAKING NEWS

ଘାଟି ତଳକୁ ଖସି ପଡିଲା ବସ୍‌; ୭ ମୃତ୍‌, ୪୦ରୁ ଉର୍ଦ୍ଧ୍ୱ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟ ବ୍ରିଜରୁ ବୁଧବାର ଦିନ ଏକ ବସ୍ ତଳକୁ ଖସି ପଡିବା ଫଳରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଏକ ଯାତ୍ରୀବାହୀ ବସ୍ ରାୟଗଡାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ଆଜି ସକାଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କୌଣସି କାରଣବଶତଃ ଡ୍ରାଇଭର ଗାଡିର ଭାରସାମ୍ୟ ହରାଇବାରୁ ଏହା ବ୍ରିଜ୍ ତଳକୁ ଖସିପଡିଥିଲା । ବସରେ କିଛି ଯାତ୍ରୀ ଫସିରହିଥିବା ବେଳେ ଉଦ୍ଧାରକାରୀ ଦଳ ସେମାନଙ୍କୁ ବାହାରକୁ ବାହାର କରିବା ଲାଗି ପ୍ରଚେଷ୍ଟା ଜାରି ରଖିଛନ୍ତି ।

ଆହୁରି ମଧ୍ୟ ଏଥିରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ଘଞ୍ଚ ଜଙ୍ଗଲ ଓ ଦୁର୍ଘଟଣାସ୍ଥଳରେ ପାଣି ଥିବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ୪ଟି ଦମକଳବାହିନୀ ଲାଗିଛନ୍ତି। ଆବଶ୍ୟକ ସ୍ଥଳେ ଗ୍ୟାସ୍ କଟରର ବ୍ୟବହାର କରାଯିବ”।

ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ତେବେ ବସର ବ୍ରେକ୍ ଫେଲ୍ ହେବାରୁ ଏଭଳି ଅଘଟଣ ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.