Latest Odisha News

BREAKING NEWS

ବାଜିଲା ବିଗୁଲ, ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଆଜି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ଫେବ୍ରୁଆରୀ ୧୦ ତାରିଖରୁ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ରେ ଫଳାଫଳ ପ୍ରକାଶ ପାଇବ । ଘୋଷଣା ଅନୁସାରେ, ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ହେବ ଭୋଟଗ୍ରହଣ । ସେହିପରି ମଣିପୁରରେ ୨ଟି ପର୍ଯ୍ୟାୟରେ ମତ ସାବ୍ୟସ୍ତ କରିବେ ଭୋଟର । ତେବେ ପଞ୍ଜାବ, ଗୋଆ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ ବୋଲି କହିଛନ୍ତି ନିର୍ବାଚନ କମିଶନର ।

ଉତ୍ତର ପ୍ରଦେଶରେ ପ୍ରଥମ ରାଉଣ୍ଡ ଭୋଟିଂ ଫେବ୍ରୁଆରୀ ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଫେବ୍ରୁଆରୀ ୧୪ରେ ଦ୍ଵିତୀୟ ପର୍ଯ୍ୟାୟ, ଫେବ୍ରୁଆରୀ ୨୦ରେ ତୃତୀୟ, ୨୩ରେ ଚତୁର୍ଥ, ୨୭ରେ ପଞ୍ଚମ, ମାର୍ଚ୍ଚ ୩ରେ ଷଷ୍ଠ ଏବଂ ମାର୍ଚ୍ଚ ୭ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ମାର୍ଚ୍ଚ ୧୦ ତାରିଖରେ ଭୋଟ୍ ଗଣତି ହେବ । ମଣିପୁରରେ ଫେବ୍ରୁଆରୀ ୨୭ ଓ ମାର୍ଚ୍ଚ ୩ରେ ଭୋଟ୍ ଗ୍ରହଣ କରାଯିବ । ଉତ୍ତରାଖଣ୍ଡ, ଗୋଆ ଓ ପଞ୍ଜାବରେ ଫେବ୍ରୁଆରୀ ୧୪ ତାରିଖରେ ଭୋଟ୍ ଗ୍ରହଣ ହେବ ।

୫ ରାଜ୍ୟର ୬୯୦ଟି ଆସନରେ ହେବ ମତଦାନ । ୨୯.୪ ଲକ୍ଷ ନୂଆ ମତଦାତା ଦେବେ ଭୋଟ୍ ଦେବାକୁ ଥିବା ବେଳେ, ୧୮.୩ କୋଟି ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିବେ । ଏଥର ୨ ଲକ୍ଷ ୧୫ ହଜାରରୁ ଅଧିକ ପୋଲିଂ ବୁଥରେ ହେବ ମତଦାନ । ସବୁ ପୋଲିଂ ବୁଥରେ ହ୍ୱିଲ୍ ଚେୟାର ବ୍ୟବସ୍ଥା କରାଯିବ ।

ଗୋଆ, ମଣିପୁରର ପ୍ରାର୍ଥୀ ପ୍ରଚାରରେ ସର୍ବାଧିକ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ୟୁପି, ଉତ୍ତରାଖଣ୍ଡ ଓ ପଞ୍ଜାବର ପ୍ରାର୍ଥୀମାନେ ସର୍ବାଧିକ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ‘ସୁବିଧା’ ଆପ୍ ଦ୍ୱାରା ରାଜନୈତିକ ଦଳ ସଭା ପାଇଁ ଆବେଦନ କରିପାରିବେ । ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ଏଥର ଅନଲାଇନରେ ନାମାଙ୍କନପତ୍ର ଦାଖଲ କରିହେବ । ସବୁ ରାଜନୈତିକ ଦଳ ପାଇଁ ସୁବିଧା ଆପ୍ ପ୍ରସ୍ତୁତ କରାଯାଇଛି । ଏଥିରେ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ। ବେଆଇନ ଟଙ୍କା ଓ ମଦ ଉପରେ କଡ଼ା ନଜର ରଖାଯିବ ।

Leave A Reply

Your email address will not be published.