Latest Odisha News

BREAKING NEWS

ଗୋଟିଏ ଦିନରେ ରାଜଧାନୀର ୨୧ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭୁବନେଶ୍ବର : ରାଜ୍ୟରେ ଚିନ୍ତା ବଢ଼ାଇଲାଣି ମହାମାରୀ ଭୂତାଣୁ । ଗୋଟିଏ ପଟେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ, ଏବେ ହଟସ୍ପଟ ପାଲଟିଛି ଭୁବନେଶ୍ବର । ଏଥିପାଇଁ ପଦକ୍ଷେପ ନେଇଛି ଭୁବନେଶ୍ବର ମହାନଗର ନିଗମ । ସଂକ୍ରମିତ ଚିହ୍ନଟ ପରେ ଆଜି ଗୋଟିଏ ଦିନରେ ୨୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି । ନର୍ଥ ଜୋନରେ ୪ଟି, ଦକ୍ଷିଣ ପୂର୍ବ ଜୋନରେ ୧୧ଟି ଓ ଦକ୍ଷିଣ-ପଶ୍ଚିମ ଜୋନରେ ୬ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ଗତ ତିନି ଦିନରେ ଭୁବନେଶ୍ବରରେ କଣ୍ଟେନମେଣ୍ଟ ଅଞ୍ଚଳ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି । ବିଏମସି ଦକ୍ଷିଣ ପୂର୍ବ ଜୋନର ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଛି । ଦକ୍ଷିଣ-ପୂର୍ବ ଜୋନ ଜେଡିସି ସମସ୍ତ ସ୍ଥାନଙ୍କୁ ସିଲ୍ କରିଛନ୍ତି । ଉତ୍କଳ ଭିଲାରେ ୩ଟି ଫ୍ଲାଟ୍, ଟଙ୍କପାଣି ରୋଡ, ବଡଗଡ ବ୍ରିଟ୍ କଲୋନୀ, ୟୁନିଟ୍-୯ ପରି ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଛି । ଅନ୍ୟପଟେ ଆଜି ଜାଭିଅର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟରୁ ୩୦ରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ଜାଭିଅର ଇନଷ୍ଟିଚ୍ୟୁଟର ଗୋଟିଏ ହଷ୍ଟେଲକୁ ସମ୍ପୂର୍ଣ କଣ୍ଟେନମେଣ୍ଟ ଜୋନ କରାଯାଇଛି ।

Leave A Reply

Your email address will not be published.