ନୂଆଦିଲ୍ଲୀ: ଭାରତରୁ ରୁଷ ବୁଲିବା ପାଇଁ ଯାଇଥିଲେ । ହେଲେ ସେଠାରେ ୟୁକ୍ରେନ ବିରୋଧରେ ଯୁଦ୍ଧ କରିବାକୁ ବାଧ୍ୟ କରାଯାଉଛି । ସେଠାରୁ ମୁକୁଳିବା ପାଇଁ ରୁଷରେ ଫସି ରହିଥିବା ପଞ୍ଜାବ ଓ ହରିୟାଣାର ୭ ଜଣ ଯୁବକ ଏବେ କେନ୍ଦ୍ର ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।
ଯୁବକମାନେ କହିଛନ୍ତି ଯେ ସେମାନଙ୍କୁ ପ୍ରତାରଣା କରାଯାଇ ରୁଷ ଓ ୟୁକ୍ରେନ ଯୁଦ୍ଧରେ ଲଢ଼ିବାକୁ ବାଧ୍ୟ କରାଯାଇଛି । ଏନେଇ ଯୁବକମାନେ ସୋସିଆଲ ମିଡିଆ ଏକ୍ସରେ ୧୦୫ ସେକେଣ୍ଡ ଭିଡିଓରେ ସେୟାର କରିଛନ୍ତି ।
ଏହି ଭିଡିଓରେ ଦେଖିବାକୁ ମିଳିଛି ୭ ଜଣ ଯୁବକ ସେନା ପୋଷାକ ପିନ୍ଧି ଏକ ବନ୍ଦ କୋଠରୀ ଭିତରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ହର୍ଷ ନାମକ ଜଣେ ଯୁବକ ଅଛନ୍ତି । ତାଙ୍କ ଘର ହରିୟାଣାର କରନଲରେ। ସେ ଭିଡିଓ ମାଧ୍ୟମରେ ତାଙ୍କ ଅବସ୍ଥା ବିଷୟରେ ଜଣାଇବା ସହ ସରକାରଙ୍କୁ ସହାୟତା ଲୋଡ଼ିଛନ୍ତି ।
ହର୍ଷ କହିଛନ୍ତି,’’ ଆମ ସମସ୍ତଙ୍କୁ ଏକ ଦସ୍ତାବିଜରେ ଦସ୍ତଖତ କରାଇଛନ୍ତି । ଏହାପରେ ରୁଷ ସେମାନଙ୍କୁ ୟୁକ୍ରେନ୍ ବିରୋଧରେ ଯୁଦ୍ଧ କରିବାକୁ ବାଧ୍ୟ କରୁଛି ।’’
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନୂଆବର୍ଷ ପାଳନ କରିବାକୁ ଏହି ଯୁବକମାନେ ଡିସେମ୍ୱର ୨୭ରେ ରୁଷିଆ ଯାଇଥିଲେ । ରୁଷିଆ ଯିବା ପାଇଁ ସେମାନଙ୍କ ପାଖରେ ୯୦ ଦିନର ବୈଧ ଭିସା ଥିଲା । ଏହାପରେ ଏଜେଣ୍ଟ ସେମାନଙ୍କୁ ବେଲାରୁଷ ନେଇ ଯାଇଥିଲା । ହେଲେ ଯୁବକମାନେ ଜାଣି ନଥିଲେ ଯେ ବେଲାରୁଷ ଯିବା ପାଇଁ ସେମାନଙ୍କୁ ଭିସା ଦରକାର ହେବ । ହେଲେ ବେଲାରୁଷ ପହଞ୍ଚିବା ପରେ ଏଜେଣ୍ଟ ସେମାନଙ୍କ ଠାରୁ ଟଙ୍କା ନେଇ ସେଠାରେ ଛାଡି ଚାଲି ଯାଇଥିଲା । ଏହାପରେ ପୁଲିସ୍ ସେମାନଙ୍କୁ ଗିରଫ କରିଥିଲା ।
Comments are closed.