ନୂଆଦିଲ୍ଲୀ: ଜଳୁଛି ବାଂଲାଦେଶ । ଏହି ହିଂସାର ନିଆଁ ଦିନକୁ ଦିନ ବଢୁଛି । ଛାତ୍ରନେତାଙ୍କୁ ହତ୍ୟା ପରେ ଏହି ହିଂସା ଆହୁରି କୁହୁଳୁଛି । ଏପରିକି ଜଣେ ବିଏନପି ନେତାଙ୍କ ଘରକୁ ତାଲା ପକାଇ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଜଣେ ନେତାଙ୍କ ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଏହି ଅଗ୍ନିକାଣ୍ଡରେ ବିଏନପି ନେତାଙ୍କ ସାତ ବର୍ଷର ଝିଅର ମୃତ୍ୟୁ ହୋଇଛି। ବିଏନପି ନେତା ଏବଂ ତାଙ୍କର ଦୁଇ ନାବାଳିକା ଝିଅ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଖାଲେଦା ଜିଆଙ୍କ ଦଳ, ବିଏନପିର ନେତା ବେଲାଲ ହୋସେନ, ବାଂଲାଦେଶର ଚିଟାଗଙ୍ଗ ଡିଭିଜନର ଲକ୍ଷ୍ମୀପୁର ଜିଲ୍ଲାରେ ରୁହନ୍ତି। ସେ ଲକ୍ଷ୍ମୀପୁରର ଭବାନୀଗଞ୍ଜ ୟୁନିଅନରେ ଦଳର ସହକାରୀ ସଂଗଠନ ସମ୍ପାଦକ। ସ୍ଥାନୀୟ ସୂତ୍ର ଅନୁଯାୟୀ, ରାତିରେ ବେଲାଲ ଏବଂ ତାଙ୍କ ପରିବାର ଶୋଇଥିଲେ। ପ୍ରାୟ ୨ଟା ବେଳେ କିଛି ଲୋକ ମୁଖ୍ୟ ଦ୍ୱାର ବନ୍ଦ କରି ବେଲାଲଙ୍କ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।ବିଏନପି ନେତାଙ୍କ ପରିବାର ପ୍ରତିକ୍ରିୟା ଦେବା ପୂର୍ବରୁ, ନିଆଁ ଦ୍ରୁତ ଗତିରେ ବ୍ୟାପିଗଲା।
ଦ୍ୱାର ବନ୍ଦ ଥିବାରୁ କେହି ଖସି ଯାଇପାରିଲେ ନାହିଁ। ବେଲାଲଙ୍କ ସାତ ବର୍ଷର ଝିଅ ଆୟେଶା ଅଖତର ନିଆଁରେ ଜଳି ତୁରନ୍ତ ମୃତ୍ୟୁବରଣ କରିଛନ୍ତି। ନେତା ଏବଂ ତାଙ୍କର ଅନ୍ୟ ଦୁଇ ଝିଅ, ଗୁରୁତର ଆହତ ହୋଇଛନ୍ତି।ଏକ ରିପୋର୍ଟ ଅନୁଯାୟୀ, ଅଗ୍ନିକାଣ୍ଡରେ ବିଏନପି ନେତାଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।ଖାଲେଦାଙ୍କ ଦଳ ଏହି ଘଟଣାକୁ ନିନ୍ଦା କରିଛି। ବିଏନପି ଯୁଗ୍ମ ସଂଯୋଜକ ହସିବୁର ରହମାନ କହିଛନ୍ତି, “ଆତଙ୍କବାଦୀମାନେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହା ପୂର୍ବରୁ, ଦ୍ୱାର ମଧ୍ୟ ବନ୍ଦ କରି ଦିଆଯାଇଥିଲା। ଆତଙ୍କବାଦୀମାନେ ଏକ ଯୋଜନା ଅନୁଯାୟୀ ଏସବୁ କରିଥିଲେ। ଆମେ ଏହି ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରୁଛୁ।”ଲକ୍ଷ୍ମୀପୁର ସଦର ମଡେଲ ପୋଲିସ ଷ୍ଟେସନର ଭାରପ୍ରାପ୍ତ ପୋଲିସ ଅଧିକାରୀ ମହମ୍ମଦ ୱାହିଦ ପରଭେଜ କହିଛନ୍ତି ଯେ ଅଗ୍ନିକାଣ୍ଡରେ ଶୋଇଥିବା ଜଣେ ଶିଶୁର ମୃତ୍ୟୁ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ କେହି ଜାଣିଶୁଣି ଘରେ ନିଆଁ ଲଗାଇ ଦେଇଛନ୍ତି କି ନାହିଁ ତାହା ପୋଲିସ ତଦନ୍ତ କରୁଛି।
ହାଦିଙ୍କ ହତ୍ୟା ପରେ ବିଶୃଙ୍ଖଳା ଜାରି ରହିଛି :
ଡିସେମ୍ବର ୧୨ ତାରିଖରେ, ଇନକିଲାବ ମଞ୍ଚର ସଂଯୋଜକ ଓସମାନ ହାଦିଙ୍କୁ ଢାକାରେ ଗୁଳି କରି ହତ୍ୟା କରାଯାଇଥିଲାଏହା ପରେ, ସାରା ବାଂଲାଦେଶରେ ହିଂସା ଦେଖାଦେଇଛି । ଶେଖ ହସିନାଙ୍କ ଦଳ ଆୱାମୀ ଲିଗର କାର୍ଯ୍ୟାଳୟ ସମେତ ବାଂଲାଦେଶର ଅନେକ ସରକାରୀ କୋଠା ଭଙ୍ଗାରୁଜା କରାଯାଇଥିଲା। ଗଣମାଧ୍ୟମକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇ ନଥିଲା। ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଆବେଦନକୁ ଅଣଦେଖା କରି, କ୍ରୋଧିତ ଜନତା ରାତିସାରା ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏପରିକି ଦେଶର ଦୁଇଟି ପ୍ରମୁଖ ଖବରକାଗଜ, ପ୍ରଥମ ଆଲୋ ଏବଂ ଦି ଡେଲି ଷ୍ଟାରର କାର୍ଯ୍ୟାଳୟ ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦିଆଯାଇଥିଲା।
Comments are closed.