ଦୁର୍ବଳ ସୁରକ୍ଷା ବ୍ୟବସ୍ଥା: ଦେଢ଼ ବର୍ଷରେ ଶ୍ରୀମନ୍ଦିର ଭିତରୁ ୭୦୦ ମୋବାଇଲ ଜବତ, ଡ୍ରୋନ୍ ଉଡ଼ାଇ ଧରାପଡ଼ିଛନ୍ତି ଏତିକି…
ପୁରୀ: ଗତ ଦେଢ଼ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ପରିସରକୁ ୭୦୦ ଜଣ ବ୍ୟକ୍ତି ଅନଧିକୃତ ଭାବେ ମୋବାଇଲ ଫୋନ୍ ଧରି ପ୍ରବେଶ କରି ଧରାପଡ଼ିଛନ୍ତି । ସେମାନଙ୍କ ନିକଟରୁ ମୋଟ ୬ ଲକ୍ଷ ୯୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏନେଇ ସିଂହଦ୍ୱାର ଥାନାରେ ୯ଟି ମାମଲା ରୁଜୁ କରାଯାଇଛି ।
ଏହା ସତ୍ବେ ପ୍ରତ୍ୟେକ ଦିନ ଶ୍ରୀମନ୍ଦିର ମଧ୍ୟକୁ ଅନେକ ବ୍ୟକ୍ତି ମୋବାଇଲ ନେଇ ପ୍ରବେଶ କରୁଥିବା ଖବର ସାମ୍ନାକୁ ଆସୁଛି । ଧୁଳିଆ, ଯାତ୍ରୀ ଗୁମାସ୍ତାଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ସେବାୟତ ମଧ୍ୟ ଖୋଲାଖୋଲି ମୋବାଇଲ୍ ଫୋନ ବ୍ୟବହାର କରୁଥିବା ନଜର ଆସଛି । ଶ୍ରୀମନ୍ଦିର ସଫେଇ କର୍ମଚାରୀ ଅଧିକାରୀ ଖୋଲାଖୋଲି ଶ୍ରୀମନ୍ଦିର ଭିତରେ ମୋବାଇଲ ବ୍ୟବହାର କରୁଛନ୍ତି ।
ସେହିଭଳି, ଶ୍ରୀମନ୍ଦିର ଓ ଏହାର ପରିଷର ମଧ୍ୟରୁ ପୋଲିସ ୧୦ଟି ବେଆଇନ ଡ୍ରୋନ୍ ଜବତ କରିବା ସହ ଏ ସଂକ୍ରାନ୍ତରେ ସିଂହଦ୍ୱାର ଥାନାରେ ୧୦ଟି ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୨ଟି ମାମଲାର ତଦନ୍ତ ସରିଥିବା ବେଳେ ଏପର୍ଯ୍ୟନ୍ତ ୮ଟି ମାମଲା ବିଚାରାଧୀନ ଅଛି । ଡ୍ରୋନ୍ ଦ୍ୱାରା ସୁଟିଂ କରାଯାଇଥିବା ଶ୍ରୀମନ୍ଦିରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ଡ୍ରୋନ ଉଡ଼ିଥିବା କଥା ପୋଲିସ ଜାଣିବାକୁ ପାଉଛି ।
ଅନ୍ୟପଟେ, ଏହି ଘଟଣାରେ ପୁରୀ ଏସପି ପ୍ରତୀକ ସିଂହ କହିଛନ୍ତି, ଶ୍ରୀମନ୍ଦିର ଚାରି ଦ୍ୱାରରେ ଥିବା ମେଟାଲ ଡିଟେକ୍ଟର କାମ କରୁଛି । ମୋବାଇଲ ଓ ଡ୍ରୋନ ଉଡାଣ ଉପରେ କଡ଼ା ନଜର ରଖାଯାଇଛି । ଆଗାମୀ ଦିନରେ ମେସିନରେ ମାନୁଆଲ୍ ଚେକିଂକୁ ଗୁରୁତ୍ୱ ଦିଆଯିବ । ଏହାଦ୍ୱାରା ମୋବାଇଲ ଫୋନ୍ ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ସଂଖ୍ୟା ହ୍ରାସ ପାଇବ ବୋଲି ଆମର ଆଶା ରହିଛି ।
ଶ୍ରୀମନ୍ଦିର ଭିତରେ ପୋଲିସ ଓ ସେବାୟତ ମୋବାଇଲ ଫୋନ୍ ବ୍ୟବହାରରେ ବାରଣ ଲଗାଇବା ପାଇଁ ଶ୍ରୀମନ୍ଦିର ଆଇନରେ ସଂଶୋଧନ କରାଯିବ ବୋଲି ଗତ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି । ହେଲେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏପରି ଘଟଣା ଦ୍ବାରା ଶ୍ରୀମନ୍ଦିରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।