ଭୁବନେଶ୍ୱର: ଭାରତର ସ୍ୱାଧୀନତା ସଂଗ୍ରାମ ଏକ ବିରାଟ କାହାଣୀ ବା ଇତିହାସ । ଦିନେ ନୁହେଁ ମାସେ ନୁହଁ ଏ ସ୍ୱାଧୀନତା ଆନ୍ଦୋଳନ ୧୮୫୭ ରୁ ଆରମ୍ଭ ହୋଇ ୧୯୪୭ ରେ ଏହାର ଅନ୍ତ ହୋଇଥିଲା।
ଏହି ସ୍ୱାଧୀନତା ହେଉଛି ସମଗ୍ର ଭାରତ ବାସୀଙ୍କର ତ୍ୟାଗ, ବିରତ୍ୱ, ଶୋର୍ଯ୍ୟ ଓ ବିକ୍ରମର କାହାଣୀ। ଏଥିରେ ସମଗ୍ର ଭାରତ ବର୍ଷର ଅନ୍ୟାନ୍ୟ ଅଂଚଳ ପରି ଆମ ରାଜ୍ୟ ଓଡିଶା ମଧ୍ୟ ଏକ ପ୍ରମୁଖ ଓ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା ।
ଅତି ଗୌରବ ଓ ଆଶ୍ଚର୍ଯ୍ୟର କଥା ଏହି ଯେ,ଭାରତର ସ୍ୱାଧୀନତା ସଂଗ୍ରାମ ୧୮୫୭ ମସିହାର ମହାନ ବିଦ୍ରୋହ ଠାରୁ ଆରମ୍ଭ ହୋଇଥିବା ସ୍ଥଳେ ଓଡିଶାରେ ଏହି ମୁକ୍ତି ସଂଗ୍ରାମ ଆରମ୍ଭ ହୋଇଥିଲା ୧୮୦୪ ଖ୍ରୀଷ୍ଟାଦ୍ଧରେ। ଏ ଆନ୍ଦୋଳନ ମୁଖ୍ୟତଃ ଇଂରେଜ ବିରୋଧୀ ଆନ୍ଦୋଳନ। ଖୋର୍ଦ୍ଧା ସମେତ ଓଡିଶାକୁ ଇଂରେଜ ଶାସନାଧୀନରୁ ମୁକ୍ତ କରିବାରଥିଲା ଏହାର ଆଭିମୁଖ୍ୟ, ଓଡିଶାରେ ଇଂରେଜ ବିରୋଧୀ ଆନ୍ଦୋଳନର ଆରମ୍ଭ ହୋଇଥିଲା ୧୮୦୪ ବୀରଭୂମି ଖୋର୍ଦ୍ଧାରୁ, ସେହିବର୍ଷ ଖୋର୍ଦ୍ଧା ରାଜ୍ୟ ସହିତ ଇଂରେଜ ମାନଙ୍କର ମତାନ୍ତର ଘଟି ଗୋଟିଏ ସଂଗ୍ରାମ ସଂଘଠିତ ହୋଇଥିଲା।
ଏହି ଐତିହାସିକ ସଂଗ୍ରାମର କେନ୍ଦ୍ର ବିନ୍ଦୁ ଥିଲେ ଜୟୀ ରାଜଗୁରୁ ନାମରେ ପରିଚିତ ଜୟୀକୃଷ୍ଣ ରାଜଗୁରୁ। ପ୍ରାଥମିକ ଅବସ୍ଥାରେ ପାଇକ ମାନେ ଇଂରେଜ ସୈନିକ ମାନଙ୍କୁ ବ୍ୟତିବ୍ୟସ୍ତ କରିପକାଇଥିଲେ। ପରେ ପରେ ଜୟୀ ରାଜଗୁରୁ ପରାଜୟ ବରଣ କରିଥିଲେ। ତାଙ୍କୁ ବନ୍ଦୀ କରି ରଖିବା ପରେ ବିଚାର କରାଯାଇ ପ୍ରାଣ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତାଙ୍କୁ ଫାଶୀ ଦିଆଯାଇଥିଲା ଗୋଟିଏ ଝଙ୍କାଳିଆ ବରଗଛରେ। ବାସ୍ତବରେ ବିଚାର କରି ଦେଖିଲେ ଗୋଟିଏ ଦୃଷ୍ଟିରୁ ସମଗ୍ର ଭାରତବର୍ଷରେ ଇଂରେଜ ବିରୋଧୀ ଆନ୍ଦୋଳନର ଜୟୀ ରାଜଗୁରୁ ଥିଲେ ପ୍ରଥମ ଶହୀଦ୍ ଓ ଓଡିଶାରେ ମୁକ୍ତି ସଂଗ୍ରାମର ପ୍ରଥମ ପ୍ରଦର୍ଶକ।
୧୮୧୭ ଖ୍ରୀଷ୍ଟାଦ୍ଧରେ ଓଡିଶାରେ ଇଂରେଜମାନଙ୍କ ବିରୋଧରେ ଅନ୍ୟ ଏକ ବିଦ୍ରୋହର ସୁତ୍ରପାତ ହୋଇଥିଲା। ଏଥିରେ ବହୁ ସଂଖ୍ୟକ ପାଇକ ଯୋଗ ଦେଇଥିବାରୁ ଏହାକୁ ପାଇକ ବିଦ୍ରୋହ ବୋଲି କୁହାଯାଏ। ଏହି ଐତିହାସିକ ବିଦ୍ରୋହର ଅଧିନାୟକ ଥିଲେ ଖୋର୍ଦ୍ଧା ରାଜାଙ୍କର ବକ୍ସି। ସେ ଥିଲେ ବକ୍ସି ଜଗବନ୍ଧୁ ନାମରେ ପରିଚିତ ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ର। ଏହି ନାଟକର ଯବନିକା ପଡିଥିଲେ ମଧ୍ୟ ବକ୍ସିଙ୍କୁ ଧରାଯାଇପାରିନଥିଲା। ଶେଷରେ ଇଂରେଜ ସାହେବ ମାନଙ୍କର ପ୍ରବଳ ଚାପରେ ନୟାଗଡ ରାଜା ତାଙ୍କୁ ରାଜି କରାଇଥିଲେ କଟକ ଯିବା ପାଇଁ , ସେଠାରେ ତାଙ୍କୁ ଗୋଟିଏ ସ୍ୱତନ୍ତ୍ର ଘରେ ରଖାଯାଇଥିଲା। ଉକ୍ତ ଘରେ ୧୮୨୯ ମସିହା ଜାନୁଆରୀ ୨୪ ତାରିଖ ଦିନ ସେହି ବୀର ପୁରୁଷଙ୍କର ପରଲୋକ ହୋଇଥିଲା।
୧୮୨୭ ଖ୍ରୀଷ୍ଟାଦ୍ଧରେ ବୀରଭୂମି ଖୋର୍ଦ୍ଧାର ୧୬ କିଲୋମିଟର ଦୂର ତାପଙ୍ଗରେ ମଧ୍ୟ ଦଳ ବେହେରା ମାଧବ ରାଉତରାୟଙ୍କ ନେତୃତ୍ୱରେ ଦଳେଇ , ପାଇକ ଓ ଜନସାଧାରଣ ଶତସିଂହର ପରାକ୍ରମ ନେଇ ରଣାଙ୍ଗନରେ ଇଂରେଜମାନଙ୍କୁ ବିପର୍ଯ୍ୟସ୍ତ କରି ପକାଇଥିଲେ।
ଖୋର୍ଦ୍ଧା ବିଦ୍ରୋହ ଦ୍ୱାରା ପ୍ରଭାବିତ ହୋଇ ପାଇକ ସଂପ୍ରଦାୟର ଅନ୍ୟତମ ମଉଡମଣି ଓଡିଶାରୁ ଇଂରେଜମାନଙ୍କୁ ତଡିବା ପାଇଁ ୧୮୩୬ ଖ୍ରୀଷ୍ଟାଦ୍ଧରେ ଅନ୍ୟ ଏକ ବିଦ୍ରୋହର ସୂତ୍ରପାତ କରାଇଥିଲେ। ସେ ହେଉଛନ୍ତି ଅରଙ୍ଗଗଡର ଦଳ ବେହେରା ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ପୁତ୍ର କୃତ୍ତିବାସ ପାଟ୍ଟଶାହାଣୀ।
ଦକ୍ଷିଣ ଓଡିଶାର କେତେକ ଅଂଚଳରେ ଇଂରେଜ ପ୍ରଶାସକ ମାନେ କନ୍ଧ ମାନଙ୍କ ଉପରେ ପ୍ରଭୁତ୍ୱ ଜାରି କରି ତାଙ୍କ ସ୍ୱାଧୀନତାରେ ହସ୍ତକ୍ଷେପ କରିବା ଫଳରେ ସେମାନେ ବିଦ୍ରୋହୀ ହେବାକୁ ଲାଗିଲେ ବିଷେଶତଃ ଘୁମୁସର ଅଂଚଳରେ ବିଦ୍ରୋହର ପରିପ୍ରକାଶ ହେଲା। ଏହାର ନେତୃତ୍ୱ ନେଇଥିଲେ ଘୁମୁସର କନ୍ଧ ସଂପ୍ରଦାୟର ଦୁଇଜଣ ର୍ନିଭୀକ ସ୍ୱାଭିମାନୀ, ସେମାନେ ହେଲେ କମଳଲୋଚନଦୋରାବିଶୋଇ ତାଙ୍କ ପୁତୁରା ଚକ୍ରା ବିଶୋଇ। ସେହି ପରି କଳାହାଣ୍ଡି ଗଡଜାତ ଅଂଚଳର ମଦନପୁର ଅଂଚଳର ରେଣ୍ଡୋ ମାଝୀ ଓ ତାଙ୍କର ଆତ୍ମୀୟ ଅନୁଗତ ମାନେ ସେଠାରେ ସେମାନେ ଇଂରେଜ ମାନଙ୍କୁ ବ୍ୟତିବ୍ୟସ୍ତ କରିପକାଇଥିଲେ।
କେନ୍ଦୁଝର ରାଜ୍ୟସ୍ଥିତ ଭୂୟାଁ ସଂପ୍ରଦାୟର, ସେମାନେ ରାଜା ଓ ଇଂରେଜ ମାନଙ୍କସହିତ ବିଦ୍ରୋହ କରି ଓଡିଶା ଇତିହାସକୁ ଗୌରବାନ୍ୱିତ କରିଥିଲେ। ସେ ଦୁଇଜଣ ସୁନାମଧନ୍ୟ ବ୍ୟକ୍ତି ଥିଲେ ରତ୍ନା ନାୟକ ଓ ଧରଣୀଧର ନାୟକ।
୧୮୬୮ ଖ୍ରୀଷ୍ଟାଦ୍ଧରେ ରତ୍ନାକର ନାୟକଙ୍କର ବିଦ୍ରୋହକୁ ରତ୍ନାମେଳି ଓ ୧୮୯୧ ମସିହାରେ ଧରଣୀଧରଙ୍କର ବିଦ୍ରୋହକୁ ଧରଣୀମେଳି ବୋଲି କୁହାଯାଏ। ଉଭୟ ମେଳି ଇଂରେଜର ସେନାବାହିନୀର ଭିତିଭୂମିକୁ ଦୋହଲାଇ ଦେଇଥିଲା।
ଊନବିଂଶ ଶତାଦ୍ଧୀରେ ରାଂଚି ଜିଲ୍ଲାରେ ଏକ ବିଦ୍ରୋହ ସଂଘଠିତ ହୋଇଥିଲା। ବିଦ୍ରୋହୀ ମାନେ ଥିଲେ ମୁଣ୍ଡା ସଂପ୍ରଦାୟର , ତାର ପ୍ରଧାନ ସୂତ୍ରଧର ଥିଲେ ବିର୍ଶାମୁଣ୍ଡା , ବିଦେଶୀ ଶାସନରୁ ମାତୃଭୂମିକୁ ମୁକୁଳାଇବା ପାଇଁ କୋଡିଏ ବର୍ଷ ବୟସରୁ ସେ ସେହି ବିଦ୍ରୋହର ସୂତ୍ରଧର ହୋଇ ସେହି ମେଳିର ଯେଉଁ ନେତୃତ୍ୱ ନେଇଥିଲେ, ତାହା ଭାରତ ଇତିହାସରେ ଉଲି୍ଲଖିତ ଅଛି। ଭାରତୀୟମାନେ ବ୍ରିଟିଶ ଶକ୍ତି ବିରୋଧରେ ୧୮୫୭ ରେ ଏକ ବିଦ୍ରୋହର ଆଶ୍ରୟ ନେଇଥିଲେ। ୧୮୮୫ ଖ୍ରୀଷ୍ଟାଦ୍ଧରେ ହୋଇଥିବା ଯୁଗାନ୍ତକାରୀ ଆନ୍ଦୋଳନର ମହାନାଟକରେ ୧୮୫୭ ମସିହାର ବିଦ୍ରୋହ ଥିଲା ପୂର୍ବାଭାସ ମାତ୍ର ଇଂରେଜ ଐତିହାସିକ ମାନେ ୧୮୫୭ ମସିହାର ଇଂରେଜ ବିରୋଧୀ କ୍ରାନ୍ତିକାରୀ ସଂଗ୍ରାମକୁ ସିପାହୀ ବିଦ୍ରୋହ ବୋଲି ଆଖ୍ୟା ଦେଇଥିଲେ ମଧ୍ୟ ପ୍ରକୃତ ପକ୍ଷେ ଏହା ଥିଲା ଏକ ସୁଚିନ୍ତିତ ଓ ସୁସଂଗଠିତ ଜାତୀୟ ବିଦ୍ରୋହ ଓ ଭାରତୀୟ ସ୍ୱାଧୀନତା ସଂଗା୍ରମର ପ୍ରଥମ ପର୍ଯ୍ୟୟ ଘଟଣାଟିର ନ୍ୟୁନତା ପ୍ରତିପାଦନ କରିବା ପାଇଁ ଏହାକୁ ସେମାନେ ସିପାହୀ ବିଦ୍ରୋହ ବୋଲି ନାମିତ କରିଛନ୍ତି।
ସେତେବେଳେ ଇଂରେଜ ମାନଙ୍କର ପଦାତିକବାହିନୀର ବାହିନୀରେ ଭାରତୀୟ ସୈନ୍ୟମାନଙ୍କୁ ସିପାହୀ ବୋଲି କୁହାଯାଉଥିଲା। ଏହି ବିଦ୍ରୋହର ପ୍ରଭାବ ଓଡିଶାର ବିଶେଷକରି କଟକ , ପୁରୀ , ସମ୍ୱଲପୁର ଜିଲ୍ଲାରେ ଅନୁଭୁତ ହୋଇଥିଲା। ଅବିଭକ୍ତ କଟକ ଜିଲ୍ଲାର ଯାଜପୁର ସବଡିଭିଜନ ଅନ୍ତର୍ଗତ ବରାଓଁ ପ୍ରଗଣାର ବାଲିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ରାମକୃଷ୍ଣ ସାମନ୍ତ ସିଂହଙ୍କର ନିଜର ଖଣ୍ଡାୟତ ଅନୁଗତଙ୍କ ସହ ୧୮୫୭ ବିଦ୍ରୋହରେ ଇଂରେଜ ମାନଙ୍କ ବିରୋଧରେ ବିଦ୍ରୋହ କରି କାରାବରଣ କରିଥିଲେ।
୧୮୫୭ ର ବିଦ୍ରୋହରେ ପୁରୀର ଚନ୍ଦନହଜୁରୀ ନାମରେ କଥିତ ଚାଖି ଖୁଣ୍ଟିଆଙ୍କର ଭୂମିକା କୌଣସି ଗୁଣରେ ନ୍ୟୁନ ନ ଥିଲା,ସେ ଲକ୍ଷ୍ମୌରେ ଅବସ୍ଥାପିତ ତ୍ରୟୋଦଶ ବାଟାଲିଅନର ସିପାହୀଙ୍କ ସହ ମିଶି ବିଦ୍ରୋହରେ ଅଂଶଗ୍ରହଣ କରିଥିଲେ।ସେମାନଙ୍କ ବ୍ୟତୀତ ସମ୍ୱଲପୁରର ସୁରେନ୍ଦ୍ର ସାଏ ବିଦ୍ରୋହରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି କାଳକାଳକୁ ସ୍ମରଣୀୟ ହୋଇରହିଛନ୍ତି।
ସୁରେନ୍ଦ୍ର ସାଏଙ୍କର ଚାରି ଭାଇ ଉଦ୍ଧାନ୍ତ ସାଏ , ଉଜ୍ୱଳ ସାଏ , ଛବିଳ ସାଏ , ଧ୍ରୁବ ସାଏ ମଧ୍ୟ ତାଙ୍କ ସହ ଯୋଗ ଦେଇଥିଲେ।
୧୮୫୭ ବିଦ୍ରୋହର ଯଜ୍ଞବେଦୀରେ ଆତ୍ମାହୁତି ଦେଇଥିବା ସହୀଦ ମାନଙ୍କ ମଧ୍ୟରେ ଜଗୁଦେବାନ ଥିଲେ ଅନ୍ୟତମ। ସିଂହଭୂମି ଅନ୍ତର୍ଗତ ପୋଡାହାଟର ରାଜା ଅର୍ଜ୍ଜୁନ ସିଂ ଙ୍କର ସେ ଥିଲେ ବିଶ୍ୱସ୍ତ ଦେୱାନ।
ଚକ୍ରଧର ପୁର ଠାରେ ରାଜାଙ୍କ ପ୍ରାସାଦ ସମ୍ମୁଖରେ୧୮୫୯ ମସିହା ଅକ୍ଟୋବର ୨୦ ତାରିଖ ଦିନ ତାଙ୍କୁ ଫାଶୀ ଦିଆଯାଇଥିଲା।
ଭାରତବର୍ଷର ସ୍ୱାଧୀନ ସଂଗ୍ରାମର ଇତିହାସରେ ୧୯୦୫ ରୁ ୧୯୦୯ ମଧ୍ୟରେ ସଂଘଠିତ ସ୍ୱଦେଶୀ ଆନ୍ଦୋଳନ ଥିଲା ଏକ ଯୁଗାନ୍ତକାରୀ ଅଧ୍ୟାୟ। ବିଦେଶୀ ଦ୍ରବ୍ୟକୁ ପ୍ରତ୍ୟାକ୍ଷାନ କରି ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର ଥିଲା ମୋଟାମୋଟି ଆନ୍ଦୋଳନର ମୁଖ୍ୟ କାର୍ଯ୍ୟକ୍ରମ।
ଜାତୀୟ ଶିକ୍ଷାର ଗୁରୁତ୍ୱ ଉପଲବଧି କରି ଗୋପବନ୍ଧୁ ଦାସ ଏକାମ୍ର ଏକାଡେମୀ ନାମ ଦେଇ ଭୁବନେଶ୍ୱର ଠାରେ ଏକ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଗୋଖଲେଙ୍କ ସ୍ମୃତିରେ ପୁନା ଠାରେ ସ୍ଥାପିତ ଫର୍ଗୁସନ କଲେଜ ଢାଂଚାରେ ୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ସତ୍ୟବାଦୀ ବନ ବିଦ୍ୟାଳୟ ନାମ ଦେଇ ସାକ୍ଷୀଗୋପାଳ ଠାରେ ଏକ ଜାତୀୟ ବିଦ୍ୟାଳୟର ଶୁଭାରମ୍ଭ କରିଥିଲେ।
୧୯୦୭ ମସିହାରେ ଜାତୀୟ କଂଗ୍ରେସର ବିଭାଜନ ପରେ ସ୍ୱଦେଶୀ ଆନ୍ଦୋଳନ କ୍ରମେ କ୍ରମେ ତାର ପ୍ରଭାବ ହରାଇ ନିଷ୍ପୁଭ ହୋଇଗଲା। ଭାରତର ରାଜନୀତିରେ ଏକ ବିପ୍ଲବୀ ଗୋଷ୍ଠିର ଉନ୍ନେଷ ହୋଇଥିଲା। ସନ୍ତ୍ରାସବାଦୀ କାର୍ଯ୍ୟକଳାପ ପାଇଁ ସେମାନଙ୍କୁ କୁହାଯାଉଥିଲା। ସନ୍ତ୍ରାସବାଦୀ ଓଡିଶାରେ ଉଦାରପନ୍ଥୀଙ୍କର ସ୍ୱର ଥିଲାବେଳେ କଲିକତାର ସନ୍ତ୍ରାସବାଦୀ ଗୋଷ୍ଠୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଏଠାରେ ସନ୍ତ୍ରାସବାଦୀ ଆନ୍ଦୋଳନ ମୁଣ୍ଡ ଟେକି ଉଠିଥିଲା। ଓଡିଶାରେ ଏହି ଆନ୍ଦୋଳନ ବହି୍ନଶିଖା ପ୍ରଜ୍ଚଳିତ ହୋଇଥିଲା।
୧୯୧୪ ମସିହାରେ ଗୋପବନ୍ଧୁ ଦାସ ଓଡିଶାରେ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ହୋଇଥିଲେ। ସେ କଂଗ୍ରେସର ବାର୍ତା ଓଡିଶାର ପ୍ରତିକୋଣକୁ ନେଇଯାଇଥିଲେ। ଏହି ବାର୍ତା ସାଧାରଣ ପାଠକଙ୍କ ନିକଟରେ ପହଂଚାଇବା ପାଇଁ ସେ ‘ସମାଜ’ ନାମ ଦେଇ ଏକ ସାପ୍ତାହିକ ପତ୍ରିକା ପ୍ରକାଶ କରିଥିଲେ ଓ ଏହାର ପ୍ରଥମ ସଂଖ୍ୟା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ଦଶହରା ଦିନ ଜନ୍ମ ନେଇଥିଲେ। ଏହା ହୋଇଥିଲା ଓଡିଶାରେ କଂଗ୍ରେସ ଆନ୍ଦୋଳନର ମୁଖପାତ୍ର।
୧୯୨୦ ମସିହା ପରେ ଓଡିଶାର ନେତୃତ୍ୱ ବୟସ୍କ ଓ ନରମପନ୍ଥୀ ନେତାଙ୍କ ଠାରୁ ଯାଇ ଜାତୀୟବାଦୀ ଯୁବନେତାଙ୍କ ଠାରେ ରହିଥିଲା ବହୁ ସଂଖ୍ୟକ କଂଗ୍ରେସ କର୍ମୀଙ୍କ ଆର୍ବିଭାବ ଘଟିବା ଫଳରେ ଜାତୀୟ କଂଗ୍ରେସ ଇତିହାସରେ ଓଡିଶାରେ ଏକ ନୂତନ ଅଧ୍ୟାୟ ଉନ୍ନୋଚିତ ହୋଇଥିଲା।
ଇତି ମଧ୍ୟରେ ୧୯୧୯ରେ ଜାତୀୟ ରାଜନୀତିରେ ଜଣେ ବରିଷ୍ଠ ନେତା , ବଳିଷ୍ଠ ବ୍ୟକ୍ତିତ୍ୱ ବିଶ୍ୱବିଶୃତ ରାଜନୀତିଜ୍ଞଙ୍କର ଆର୍ବିଭାବ ଫଳରେ ସ୍ୱାଧୀନତା ସଂଗ୍ରାମ ଏକ ନୂତନ ମୋଡ ନେଇଥିଲା। ସେ ଥିଲେ ମୋହନ ଦାସ କରମ ଚାନ୍ଦ ଗାନ୍ଧି। ଇଂରେଜ ବିରୋଧରେ ସଂଗ୍ରାମ କରିବା ପାଇଁ ସେ ଦୁଇଟି ଅସ୍ତ୍ରର ପ୍ରୟୋଗ ଉପରେ ଗୁରୁତ୍ୱ ଦେଇଥିଲେ।
ପ୍ରାଚୀନ ଦର୍ଶନ ଉପରେ ଆଧାରିତ ଏହି ଅସ୍ତ୍ର ଦୁଇଟି ଥିଲା ଅହିଂସା ଓ ସତ୍ୟାଗ୍ରହ। ‘ସତ୍ୟାଗ୍ରହ’ର ଅର୍ଥ ହେଉଛି ସତ୍ୟ ପ୍ରତି ଆଗ୍ରହ ବା ଅନୁରକ୍ତି। ଇଂରେଜ ଶକ୍ତି ବିରୋଧରେ ସେ ଅସହଯୋଗ ଆନ୍ଦେଳନ ପ୍ରବର୍ତନ କରିବା ପାଇଁ ସ୍ଥିର କରିଥିଲେ।
୧୯୧୯ ମସିହାର ଶେଷପାଦ ଓ ୧୯୨୦ ମସିହାରେ ଜାନୁଆରୀ ମାସରେ ରେଭେନ୍ସା କଲେଜର କେତେ ଛାତ୍ର ବାଖରାବାଦରେ ଏକ ଅନୁଷ୍ଠାନ ଗଡି ଏହାର ନାମ ରଖିଥିଲେ ‘ଭାରତୀ ମନ୍ଦିର’ , ଏହାର ଆଭିମୁଖ୍ୟ ଥିଲା ଜାତୀୟବାଦୀ ଚିନ୍ତାଧାରାର ପ୍ରଚାର ଓ ରାଜନୈତିକ ପରିସ୍ଥିତି ସଂପର୍କରେ ଆଲୋଚନା କରି ମାନସିକ ଦିଗ୍ ବଳୟର ପ୍ରଶସ୍ତିକରଣ, ସେହି ଛାତ୍ରମାନେ ଥିଲେ ଗୋପବନ୍ଧୁ ଚୌଧୁରୀ ,ହରେକୃଷ୍ଣ ମହତାବ , ନବକୃଷ୍ଣ ଚୌଧୁରୀ , ନିତ୍ୟାନନ୍ଦ କାନୁନଗୋ ଓ ଭାଗୀରଥି ମହାପାତ୍ର।
୧୯୨୦ ମସିହା ଡିସେମ୍ବର ମାସରେ ନାଗପୁରଠାରେ ଗାନ୍ଧିଜୀ ଭାରତୀୟ ଜାତୀୟ କଂଗ୍ରେସର ଐତିହାସିକ ଅଧିବେଶନରେ ଅସହଯୋଗ ଆନ୍ଦୋଳନ ପ୍ରବର୍ତନ କରିଥିଲେ। ଏଥି ସହିତ ଭାଷା ଭିତିରେ ପ୍ରତ୍ୟେକ ପ୍ରଦେଶରେ ଗୋଟିଏ ଗୋଟିଏ କଂଗ୍ରେସ କମିଟି ଗଠନ କରାଯିବାର ନିଷ୍ୱତି ନିଆଯାଇଥିଲା। ଏହି ଅଧିବେଶନରେ ଓଡିଶାରୁ ୨୭ ଜଣ ପ୍ରତିନିଧି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ହରେକୃଷ୍ଣ ମହତାବ, ମୁକୁନ୍ଦ ପ୍ରସାଦଦାସ ,ପୁରୀ ଜିଲ୍ଲାରୁ ଗୋପବନ୍ଧୁ ଦାସ , ଜଗବନ୍ଧୁ ସିଂହ, କଟକ ଜିଲ୍ଲାରୁ ଯଦୁମଣି ମଙ୍ଗରାଜ , ଭାଗୀରଥି ମହାପ୍ରତ୍ର , ସମ୍ୱଲପୁରରୁ ଚନ୍ଦ୍ରଶେଖର ବେହେରା , ଦାଶରଥି ମିଶ୍ର ଓ ଧରଣୀଧର ମିଶ୍ରଙ୍କ ନାମ ଉଲ୍ଲେଖଯୋଗ୍ୟ। ଅସହଯୋଗର ଅର୍ଥ ହେଉଛି ଇଂରେଜ ସରକାରଙ୍କ ଠାରୁ ସବୁକ୍ଷେତ୍ରରେ ସହଯୋଗ ପ୍ରତ୍ୟାହାର କରିନେବା।
୧୯୨୧ ମସିହା ମାର୍ଚ ମାସରେ ୪ ଜଣ କର୍ମକର୍ତା ଓ ୫ ଜଣ ସଦ୍ୟସଙ୍କୁ ନେଇ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଗଠନ କରାଯାଇଥିଲା। ସେହି ୪ ଜଣ କର୍ମକର୍ତା ଥିଲେ ଗୋପବନ୍ଧୁ ଦାସ ସଭାପତି ,ଏକରାମ ରସୁଲ- ଉପସଭାପତି , ଭାଗୀରଥି ମହାପାତ୍ର ସମ୍ପାଦକ ଓ ବ୍ରଜବନ୍ଧୁ ଦାସ- ସହ ସଂପାଦକ ପୁନଶ୍ଚ କଂଗ୍ରେସ ଦଳକୁ ସଂଗଠିତ କରି ଆନ୍ଦୋଳନକୁ କ୍ରିୟାଶୀଳ କରିବା ପାଇଁ ପ୍ରତେକ ଜିଲ୍ଲାରୁ ଜଣେ ଜଣେ ନେତାଙ୍କ ଅଧୀନରେ ରଖାଯାଇଥିଲା। ଏତଦ ବ୍ୟତୀତ ପ୍ରତେକ ଜିଲ୍ଲା ପାଇଁ ଗୋଟିଏ ଗୋଟିଏ କଂଗ୍ରେସ କମିଟି ଗଠନ କରାଯାଇଥିଲା।
୧୯୨୧ ମସିହା ମାର୍ଚ ୨୪ ତାରିଖରେ ଗାନ୍ଧିଜୀଙ୍କ ଠାରୁ ଅନୁପ୍ରାଣିତ ହୋଇ ବିନୋଦବିହାରୀ ଠାରେ ହୋଇଥିବା ନାରୀମାନଙ୍କ ସଭାରେ ରମାଦେବୀ , ସରଳା ଦେବୀ , ହେମବତୀ ଦେଇ , ସରୋଜିନୀ ଦେବୀ ପ୍ରମୁଖ ୪୦ ଜଣ ନାରୀ ଯୋଗ ଦେଇଥିଲେ।
ଅସହଯୋଗ ଆନ୍ଦୋଳନ ସମୟରେ ଓଡ଼ିଶାରେ ଲୋକମାନେ ଇଂରେଜ ଅଦାଲତ ଓ ବିଚାରାଳୟ ବର୍ଜ୍ଜନ କରିବା ସଙ୍ଗେ ସଙ୍ଗେ କଂଗ୍ରେସ କର୍ମୀମାନେ ଘରୋଇ ପଂଚାୟତ ଗଠନ କରି ଲୋକମାନଙ୍କୁ ପ୍ରବର୍ତାଇ ଥିଲେ ଯେ, ଏହି ପଂଚାୟତ ଅଦାଲତରେ ସବୁ ମକଦ୍ଧମା ଦାଏର କରିବେ। ସେମାନେ ଆଉ ଇଂରେଜ ସରକାରଙ୍କର ଅଦାଲତକୁ ଯିବେ ନାହିଁ। ଏହା ବିଶେଷ ଭାବରେ ସାଫଲ୍ୟ ମଣ୍ଡିତ ହୋଇଥିଲା ଭଦ୍ରକ ସହରରେ।
ଜାତୀୟ କବି ବାଞ୍ଝାନିଧି ମହାନ୍ତି ସରକାର ଆଇନ ଓ ବିଚାରଳାୟ ବର୍ଜ୍ଜନ ପୂର୍ବକ ଭଦ୍ରକରେ ପଂଚାୟତ ଅଦାଲତ ସ୍ଥାପନ କରି ଆପୋଷ ମିଳାମିଶା ମାଧ୍ୟମରେ ମକବ୍ଦମା ଗୁଡ଼ିକା ଫଇସଲା କରିଥିଲେ। ଫଳରେ ଭଦ୍ରକର ସେକେଣ୍ଡ ଅଫିସର ଇଜଲାସ କାର୍ଯ୍ୟତଃ ପ୍ରାୟ ବର୍ଷକ ପାଇଁ ବନ୍ଦ ହୋଇଯାଇଥିଲା ଏହା ହେଉଛି ଅସହଯୋଗ ଆନ୍ଦୋଳନର ସଫଳତାର ଏକ ନମୁନା।
ବ୍ରହ୍ମପୁର ଓ ସମ୍ବଲପୁର ମଧ୍ୟ ଅସହଯୋଗ ଆନ୍ଦୋଳନର ପ୍ରମୁଖ କେନ୍ଦ୍ର ହୋଇଥିଲା। ୧୯୨୧ ମସିହାରେ କନିକା ରାଜା ବିରୋଧରେ ପ୍ରଜା ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ଉଲ୍ଲେଖନୀୟ ଘଟଣା।
ମୁଖ୍ୟତଃ ଚକ୍ରଧର ବେହେରା ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସେଠାରେ ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଥିଲେ ବାସୁ ସେଠୀ ଓ ବିଶୁନି ମଢୁଆଳ। ପ୍ରଥମେ କଟକରେ ଓ ତାପରେ ବାଲେଶ୍ୱରରେ ହରେକୃଷ୍ଣ ମହତାବ ୧୯୨୩ ମସିହାରେ ପ୍ରଥମେ କଟକ ଓ ପରେ ବାଲେଶର୍ୱରେ “ପ୍ରଜାତନ୍ତ୍ର ନାମଦେଇ ଏକ ସାପ୍ତାହିକ ପତ୍ରିକା ପ୍ରକାଶ କରିଥିଲେ।
୧୯୨୮ ମସିହା ଜୁନ ୧୭ ତାରିଖ ନେତ୍ରୋତ୍ସବ ଦିନ ଗୋପବନ୍ଧୁ ଦାସ ସ୍ୱର୍ଗାରୋହଣ କରିଥିଲେ। ତାଙ୍କ ମୃତ୍ୟୁ ସହିତ ଓଡିଶାରେ କଂଗ୍ରେସର ପ୍ରାଣ ପ୍ରତିଷ୍ଠାତା , ଦୀନ ଦୁଃଖୀଙ୍କର ସାଥି , ଆଦର୍ଶବାଦର ମୂର୍ତିମନ୍ତ ପ୍ରତୀକ , ଶିକ୍ଷା ଓ ସଂସ୍କୃତିର ନିଷ୍ଠାପର ପୂଜାରୀ ଓ ଜଣେ ମହିମା ମଣ୍ଡିତ ସାରସ୍ୱତ ସାଧକ ଓଡିଶାର ରାଜନୈତିକ ଦିଗ୍ ବିଳୟରେ ଅସ୍ତ ହୋଇଯାଇଥିଲେ।
Comments are closed.