ଭୁବନେଶ୍ୱର: ଭୁବନେଶ୍ୱର ପ୍ରତିଷ୍ଠା ଦିବସରେପୁଣି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଅସମ୍ମାନ । ଗତ ଥର ବି ପ୍ରତିଷ୍ଠା ଦିବସ ପାଳନ ଉତ୍ସବକୁ ସାଂସଦ ଅପରାଜିତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା । ଏଥର ବି ଡକାଗଲାନି । ହେଲେ କାହିଁକି ? କାହିଁକି ବିଏମସି ସାଂସଦଙ୍କୁ ନିମନ୍ତ୍ରଣ କଲାନି ? ଗତ ଥର ତ୍ରୁଟି ବୋଲି କହି ମନ୍ତ୍ରୀ କ୍ଷମା ପ୍ରାର୍ଥନା କରିଥିଲେ ? ହେଲେ ଏଥର କ’ଣ ହେଲା ? ତ୍ରୁଟି ନା ରାଗ ସୁଝାଇବା ପାଇଁ ଡକା ଗଲାନି ?
ରାଜ୍ୟ ସରକାର ବୁଧବାର ଅତିଥିଙ୍କ ନାମ ଘୋଷଣା କରିଥିଲେ । ହେଲେ ଏଥିରେ ନ ଥିଲା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁ । ଏହାକୁ ନେଇ ସାଂସଦ ଅସନ୍ତୋଷ ପ୍ରକାଶ କରିବା ସହ ଟୁଇଟ କରି ପୂର୍ବ ବର୍ଷ ତ୍ରୁଟିର ପୁନରାବୃତ୍ତି ବୋଲି ଲେଖିଛନ୍ତି । ଏହା ସଂସଦୀୟ କ୍ଷେତ୍ରର ଜନ ସାଧାରଣଙ୍କ ସମ୍ମାନ ଏବଂ ସ୍ୱାଭିମାନକୁ କୁଠାରଘାତ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ସାସଂଦ । ସେ କହିଛନ୍ତି, ଏହା ରାଜ୍ୟ ସରକାରଙ୍କ ଛୋଟ ମାନସିକତାର ନିଦର୍ଶନ l ଗତ ବର୍ଷ ମଧ୍ୟ ଏହି ଭୁଲ ହୋଇଥିଲା ବୋଲି ମାନିଥିଲେ କିନ୍ତୁ ଏ ବର୍ଷ ପୁଣି ଦୋହରାଇଲେ । ସରକାର ଭୁଲି ନଯିବା ଦରକାର ଯେ ରାଜଧାନୀ ପ୍ରତିଷ୍ଠା ଦିବସ କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ । ବାରମ୍ବାର ଏଭଳି ଉଦେଶ୍ୟ ମୂଳକ ପ୍ରୟାସ ପଛରେ କାରଣ କଣ ?
ଅନ୍ୟପକ୍ଷେ ଏପରି ତ୍ରୁଟିକୁ ନେଇ ତାତିଛି ପ୍ରତିଷ୍ଠା ଦିବସ କମିଟି । କମିଟି ପକ୍ଷରୁ ଏହାକୁ ନେଇ ସମାଲୋଚନା କରାଯିବା ସହ କ୍ଷୋଭ ପ୍ରକାଶ କରାଯାଇଛି । ପ୍ରତିଷ୍ଠା କମିଟି ପକ୍ଷରୁ ସାଂସଦଙ୍କୁ ନିମନ୍ତ୍ରଣ କରାଯିବା ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଥିଲା । କମିଟି ପକ୍ଷରୁ ସରକାରଙ୍କୁ ଏକ ତାଲିକା ଦିଆଯାଇଥିଲା । ଯେଉଁଥିରେ ସାଂସଦଙ୍କ ନାଁ ସବୁଠୁ ଉପରେ ରହିଥିଲା । ଏପରିକି କିଏ ଡାକିବାକୁ ଯିବ ତାହା ମଧ୍ୟ ସ୍ଥିର ହୋଇଥିଲା । କିନ୍ତୁ କାହିଁକି ତାଙ୍କୁ ବାଦ ଦିଆଗଲା ସେ ନେଇ ପ୍ରଶ୍ନ କରିବା ସହ ଏହା ଠିକ ହେଲାନି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା କିମିଟି ସଭାପତି ପ୍ରଦୋଷ ପଟ୍ଟନାୟକ ।
ଅନ୍ୟପକ୍ଷେ କମିଟି ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି କହିଛନ୍ତି, ସାଂସଦଙ୍କ ନ ଡାକିବା ତ୍ରୁଟି ନୁହେଁ । ତାଙ୍କୁ ଜାଣି ଜାଣି ଡକାଯାଇନି । କାରଣ ମେୟର ସୁଲୋଚନ ଦାସ ସାଂସଦଙ୍କୁ ନ ଡାକିବା ପାଇଁ ମନା କରିଥିବା ସେ ସିଧାସଳଖ ଅଭିଯୋଗ କରିଛନ୍ତି । ମେୟର କହିଛନ୍ତି, ସାଂସଦଙ୍କୁ କେବଳ ନିମନ୍ତ୍ରଣପତ୍ର ଦିଆଯବ । କିନ୍ତୁ ଅତିଥି ଭାବେ ନିମନ୍ତ୍ରଣ କରାଯିବନି ।
କମିଟି ଆହୁରି ଅଭିଯୋଗ କରିଛି, ପୂର୍ବ ରେଳ ଷ୍ଟେସନ ଆଧୁନିକୀକରଣ ବୈଠକରେ ବିଏମସି ମେୟରଙ୍କୁ ଡକା ଯାଇ ନ ଥିଲା । ମଧ୍ୟ ଭୁବନେଶ୍ୱରର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଡକା ଯାଇଥିଲା । କିନ୍ତୁ ତାଙ୍କୁ କହିବାକୁ ଦିଆ ଯାଇ ନ ଥିଲା । ଯେହେତୁ କେନ୍ଦ୍ର ମନ୍ତ୍ରୀଙ୍କ ବୈଠକକୁ ବିଜେପି ମେୟରଙ୍କୁ ଡାକି ନ ଥିଲା ତେଣୁ ପ୍ରତିଷ୍ଠା ଦିବସ ଉତ୍ସବରେ ସାଂସଦଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯିବନି ବୋଲି ମେୟର ସୁଲୋଚନା ଦାସ କହିଥିଲେ ବୋଲି କମିଟି ଅଭିଯୋଗ କରିଛି । ପ୍ରତିଷ୍ଠା ଦିବସରେ ସବୁ ଦଳର ନେତାଙ୍କୁ ଆମନ୍ତ୍ରଣ କରାଯାଇଛି । ହେଲେ ବିଜେପିକୁ ନ ଡାକିବା ଠିକ ନୁହେଁ ବୋଲି କହିଛି କମିଟି ।
Comments are closed.