ଓଡିଶା ସମ୍ବାଦ ବ୍ୟୁରୋ: ନାଇଜେରିଆର ଅନମ୍ବ୍ରା ରାଜ୍ୟସ୍ଥିତ ଏକ ନଦୀରେ ନୌକା ଓଲଟି ୭୬ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ଏହା ସ୍ପଷ୍ଟ କରିଛନ୍ତି। କୁହାଯାଉଛି ଯେ ନୌକାରେ କ୍ଷମତାରୁ ଅଧିକ ଯାତ୍ରୀ ପରିବହନ ଲାଗି ଏପରି ଦୁର୍ଘଟଣା ଘଟିଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ରାଜ୍ୟର ଓଗବଋ ଅଞ୍ଚଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ୮୫ ଜଣଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇ ୭୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବିପଦକାଳୀନ ସମୟରେ ପୀଡ଼ିତାଙ୍କୁ ରିଲିଫ ଯୋଗାଇବା ପାଇଁ ରାଷ୍ଟ୍ରପତି ଜରୁରୀକାଳୀନ ସେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଷ୍ଟ୍ରପତି କହିଛନ୍ତି,”ମୁଁ ମୃତକଙ୍କ ଆତ୍ମା ଶାନ୍ତି ପାଇଁ ଏବଂ ତାଙ୍କ ପରିବାରଙ୍କ ପାଇଁ ପ୍ରାର୍ଥନା କରୁଛି। ଦୁର୍ଘଟଣାରେ ପୀଡିତ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି।” ରବିବାର ଦୁର୍ଘଟଣା ଘଟିବା ପରେ ଜରୁରୀକାଳୀନ ସେବା ପକ୍ଷରୁ ଏକ ଦଳ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ଦଳ ପକ୍ଷରୁ କୁହାଯାଉଛି ଯେ ଜଳ ସ୍ତରର ବଢୁଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି।
ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି (NEMA) ଦକ୍ଷିଣ ପୂର୍ବ ସଂଯୋଜକ ଥିକମ୍ୟାନ ତନିମୁ ଏକ ନ୍ୟୁଜ୍ ଏଜେନ୍ସି ଏଏଫପିକୁ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ପାଇଁ ଜଳସ୍ତର ଅତ୍ୟଧିକ ଉଚ୍ଚ ଏବଂ ଅତ୍ୟଧିକ ବିପଦପୂର୍ଣ୍ଣ ରହିଥିଲା। ଏଥିପାଇଁ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ଯୋଗାଇବା ପାଇଁ NEMA ନାଇଜେରିଆ ବାୟୁସେନାକୁ ଅନୁରୋଧ କରିଥିଲା।
ଅନମ୍ବ୍ରା ରାଜ୍ୟପାଳ ଚାର୍ଲ୍ସ ସୋଲୁଡୋ ବନ୍ୟା ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କୁ ନିରାପଦ ସ୍ଥାନକୁ ଯିବାକୁ ଅନୁରୋଧ କରିଛନ୍ତି। ସୋଲୁଡୋ କହିଛନ୍ତି, “ଯେଉଁମାନେ ଏହି ବନ୍ୟାର ମୁକାବିଲା କରିଛନ୍ତି ସେହି ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି।” ସୂଚନା ଥାଉକି ବର୍ଷା ଆରମ୍ଭରୁ ପଶ୍ଚିମ ଆଫ୍ରିକା ରାଷ୍ଟ୍ରର ୨୦୦ ମିଲିୟନରୁ ଅଧିକ ଲୋକଙ୍କର ବହୁତ ଅଞ୍ଚଳ ବନ୍ୟା ଦ୍ୱାରା ନଷ୍ଟ ହୋଇଯାଇଛି। ଜରୁରୀକାଳୀନ ସେବା ଅନୁଯାୟୀ ୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅତି କମରେ ଏକ ଲକ୍ଷ ଲୋକ ଭୂମିହୀନ ରହିଛନ୍ତି।
Comments are closed.