Latest Odisha News

BREAKING NEWS

ରାଜଧାନୀ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ରାଜଧାନୀ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।

ଏହି ଉତ୍ସବର ପ୍ରାରମ୍ଭରେ ସକାଳେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡିଶା ବିଧାନସୌଧ ସମ୍ମୁଖସ୍ଥ ରାଜଧାନୀ ଶିଳାନ୍ୟାସ ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ କରିବା ସହିତ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜଧାନୀ ପ୍ରତିଷ୍ଠା ଦିବସର ପତାକା ଉତ୍ତୋଳନ କରିଥିଲେ  । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଅରୁଣ କୁମାର ଷଡ଼ଙ୍ଗୀ, ପୋଲିସ କମିଶନର,ଭୁବନେଶ୍ୱର-କଟକ ସଂଜୀବ ପଣ୍ଡା, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ବଲୱନ୍ତ ସିଂ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ଜିଲ୍ଲାପାଳ,ଖୋର୍ଦ୍ଧା ଚଞ୍ଚଳ ରାଣା, ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସମେତ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ଶ୍ରୀ  ପ୍ରଦୋଷ ପଟ୍ଟନାୟକ, ଉପସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏବଂ ସାଧାରଣ ସଂପାଦକ ସନତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

ଏହି ଅବସରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ରାଜେଶ ପ୍ରଭାକର  ପାଟିଲ ସମସ୍ତ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ପରେ ଅତିଥିମାନେ ରାଜଧାନୀ ଶିଳାନ୍ୟାସ ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ ।

ପରେ ପରେ ସୂଚନା ଓ ଲୋକ ସଂପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟ ରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି  ଦିବସ ଉପଲକ୍ଷେ ଆଜି ସକାଳେ  ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମ ମିଳିତ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠାର ପୁରାତନ ସ୍ମୃତି ସମ୍ବଳିତ ଏବଂ ରାଜଧାନୀର ଐତିହ୍ୟ, ସଂସ୍କୃତି ଓ କୀର୍ତ୍ତିରାଜି ଆଦି  ବହନ କରୁଥିବା ବହୁ ପୁରାତନ ଓ ନୂତନ ଫଟୋ ଚିତ୍ର ଏହି ପ୍ରଦର୍ଶନୀକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଉଦଘାଟନ କରିଥିଲେ ।

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସନ୍ଧ୍ୟାରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ  ଭୁବନେଶ୍ୱର ମହାନଗର ନିଗମ କମିଶନର, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ , ଜିଲ୍ଲାପାଳ , ଖୋର୍ଦ୍ଧା , ବିଏମସି ଅତିରିକ୍ତ କମିଶନର  ଶୁଭେନ୍ଦୁ କୁମାର ସାହୁ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ର ନାଥ ପରିଡା, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର କର୍ମକର୍ତ୍ତାମାନେ  ଉପସ୍ଥିତ ଥିଲେ । ସ୍ୱନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରେମ ଆନନ୍ଦ ଓ  ପ୍ରଶାନ୍ତ ପାଢୀଙ୍କ ନିର୍ଦ୍ଦେଶନାରେ ଦୀପ୍ତିରେଖା ପାଢୀ, ବିଷ୍ଣୁମୋହନ କବି, ସ୍ୱସ୍ତିକ ପାଢୀ ଏବଂ ଇପସିତା ପଣ୍ଡାଙ୍କ ଦ୍ୱାରା ଭଜନ ଓ ସୁଗମ ସଂଗୀତ  ଏବଂ ବଲାଙ୍ଗିର ଜିଲ୍ଲା ଲୋଇସିଂହାର ଶଙ୍କର ବେହେରା ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ସମ୍ବଲପୁରୀ ଲୋକନୃତ୍ୟ ଆଦି ପରିବେଷଣ କରାଯାଇଥିଲା ।

ଏହି  ଦିବସ ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ,  ଭୁବନେଶ୍ୱର ମହାନଗର ନିଗମ, ପୁର୍ତ୍ତ ବିଭାଗ, ବିଡିଏ ପକ୍ଷରୁ ଧାନସଭା ସୌଧ ସ୍ଥିତ ଶିଳାନ୍ୟାସ ଫଳକ ସ୍ଥଳ ସମେତ ରାଜଧାନୀର ସମସ୍ତ ପ୍ରମୁଖ  ସରକାରୀ କାର୍ଯ୍ୟାଳୟଗୁଡିକୁ  ଆଲୋକମାଳାରେ ସଜ୍ଜିତ କରାଯାଇଥିଲା । ରାଜଧାନୀ ଶିଳାନ୍ୟାସ ପ୍ରତିଷ୍ଠା ଫଳକ ସ୍ଥଳ ସମେତ ସହରରେ  ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାଜଧାନୀ  ପ୍ରତିଷ୍ଠା ଦିବସ ତୋରଣ ପ୍ରଦର୍ଶିତ ହୋଇଥିଲା  । ସମଗ୍ର କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସଂପର୍କ ବିଭାଗ ଉପ ନିର୍ଦ୍ଦେଶିକା ସୂଚେତା ପ୍ରିୟଦର୍ଶିନୀ ଏବଂ ବିଶ୍ୱଜିତ୍ ବଳିୟାର ସିଂ  କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

 

Leave A Reply

Your email address will not be published.